ୱାଶିଂଟନ ଡିସି,୨୧/୦୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫ୍ରାନ୍ସର ୱାଇନ ଓ ସାମ୍ପେନ ଉପରେ ୨୦୦ ପ୍ରତିଶତ ଟାରିଫ ଲାଗୁ କରିବାକୁ ଧମକ ଦେଇଛନ୍ତି । ଗାଜା ଶାନ୍ତି ବୋର୍ଡରେ ସାମିଲ ହେବାକୁ ଫ୍ରାନ୍ସ ମନା କରିବାରୁ ଏଥିରେ କ୍ଷୁବ୍ଧ ହୋଇ ଟ୍ରମ୍ପ ଏଭଳି ଧମକ ଦେଇଥିବା ଜଣାପଡିଛି । ନିଜ ସୋସିଆଲ ମିଡିଆରେ ଟ୍ରମ୍ପ ମଧ୍ୟ ଏକଥା ଉଲ୍ଲେଖ କରିଛନ୍ତି । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ଉପରେ ଅସନ୍ତୋଷ ପ୍ରକଟ କରି ଟ୍ରମ୍ପ ଲେଖିଛନ୍ତି ଯେ ସେ ଗାଜା ଶାନ୍ତି ବୋର୍ଡରେ ମାକ୍ରନଙ୍କୁ ସାମିଲ କରିବାକୁ ଚାହୁଁନାହାନ୍ତି । କାରଣ ମାକ୍ରନଙ୍କ ଚଉକି ଖୁବଶୀଘ୍ର ଛଡାଇ ନିଆଯିବ ।
ଯଦି ସେ ଫ୍ରାନ୍ସର ୱାଇନ ଓ ସାମ୍ପେନ ଉପରେ ୨୦୦ ପ୍ରତିଶତ ଟାରିଫ ଲାଗୁ କରିବେ ତେବେ ମାକ୍ରନ ନିଜେ ଗାଜା ଶାନ୍ତି ବୋର୍ଡରେ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରିବେ । ପ୍ରକୃତରେ ଗାଜାରେ ଶାସନ ଚଳାଇବା ଓ ଏହାର ପୁନର୍ଗଠନ ଲାଗି ଟ୍ରମ୍ପ ଏକ ଶାନ୍ତି ବୋର୍ଡ ‘ନ୍ୟାସନାଲ କମିଟି ଫର ଦି ଆଡମିନିଷ୍ଟ୍ରେସନ ଅଫ୍ ଗାଜା’ (ଏନ୍ସିଏଜି) ଗଠନ କରିବା ଲାଗି ଘୋଷଣା କରିଛନ୍ତି । ଏହି କମିଟିରେ ସାମିଲ ହେବାକୁ ଟ୍ରମ୍ପ ୬୦ଟି ଦେଶକୁ ଆମନ୍ତ୍ରଣ କରିଛନ୍ତି । ସେପଟେ ଟ୍ରମ୍ପ ମଧ୍ୟ ଆଜି ନିଜ ସୋସିଆଲ ମିଡିଆରେ ମାକ୍ରନ ପଠାଇଥିବା ଏକ ବ୍ୟକ୍ତିଗତ ବାର୍ତ୍ତାର ସ୍କ୍ରିନ୍ସଟ ସେୟାର କରିଛନ୍ତି । ସେଥିରେ ଟ୍ରମ୍ପଙ୍କ ଉଦ୍ଦେଶ୍ୟରେ ମାକ୍ରନ ଲେଖିଥିଲେ ଯେ ସିରିୟା ପ୍ରସଙ୍ଗରେ ଆମେ ଆପଣଙ୍କ ମତ ସହ ସମ୍ପୂର୍ଣ୍ଣ ଭାବେ ଏକମତ । ଇରାନ ମାମଲାରେ ଆମ ଅଧିକ କିଛି କରିପାରିବା । କିନ୍ତୁ ଆପଣ ଗ୍ରୀନ୍ଲାଣ୍ଡ ମାମଲାରେ କାହିଁକି ହସ୍ତକ୍ଷେପ କରୁଛନ୍ତି ତାହା ମୁଁ ବୁଝିପାରୁନାହିଁ । ଏଥିସହ ସେ ଟ୍ରମ୍ପଙ୍କୁ ଜି-୭ ବୈଠକ ଡାକିବାକୁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି ।
ସେଥିରେ ମାକ୍ରନ ଲେଖିଛନ୍ତି ଯେ ସେ ଚାହିଁଲେ ପ୍ୟାରିସ୍ରେ ଜି-୭ ବୈଠକ ଡକାଇବେ । ଏଥିରେ ୟୁକ୍ରେନ, ଡେନମାର୍କ, ସିରିୟା ଓ ରୁଷକୁ ମଧ୍ୟ ଆମନ୍ତ୍ରିତ କରିପାରିବେ । ଆମେରିକା ଫେରିବା ପୂର୍ବରୁ ଟ୍ରମ୍ପଙ୍କ ସହ ସେ ରାତ୍ରିଭୋଜନ କରିବାକୁ ଚାହାନ୍ତି ବୋଲି ମଧ୍ୟ ମାକ୍ରନ ଉକ୍ତ ଚିଠିରେ ଉଲ୍ଲେଖ କରିଥିଲେ । ପ୍ରକୃତ କଥା ହେଉଛି ଟ୍ରମ୍ପଙ୍କ ଗ୍ରୀନ୍ଲାଣ୍ଡ କବ୍ଜା ପ୍ରୟାସକୁ ଫ୍ରାନ୍ସ ବିରୋଧ କରିବା ସହ ଏହାର କଡା ସମାଲୋଚନା କରିବା ପରେ ଦୁଇଦେଶ ଭିତରେ ବିବାଦ ବଢ଼ିଛି । ଟ୍ରମ୍ପଙ୍କ ଗ୍ରୀନ୍ଲାଣ୍ଡ ନୀତିକୁ ସମର୍ଥନ କରିଛନ୍ତି ଆମେରିକାର ଟ୍ରେଜେରୀ ସେକ୍ରେଟାରୀ ସ୍କଟ ବେସେଣ୍ଟ । ସେ କହିଛନ୍ତି ଗ୍ରୀନଲାଣ୍ଡ ପ୍ରତି ଦିନକୁ ଦିନ ରୁଷଠାରୁ ବିପଦ ବଢ଼ିବାରେ ଲାଗିଛି । ଗ୍ରୀନ୍ଲାଣ୍ଡ ଉପରେ ଚୀନ୍, ରୁଷ କିମ୍ବା ଅନ୍ୟ କୌଣସି ଦେଶ ଯଦି ଆକ୍ରମଣ କରନ୍ତି ତେବେ ଆମେ ନାଟୋ ସଦସ୍ୟ ରାଷ୍ଟ୍ରମାନେ ଏକାଠି ହୋଇ ତାର ମୁକାବିଲା କରିବା । ତାଙ୍କର ଏଭଳି ବୟାନକୁ ଫ୍ରାନ୍ସ ଥଟ୍ଟା କରିଥିଲା । ଫ୍ରାନ୍ସର ୟୁରୋପ ଓ ବିଦେଶ ବ୍ୟାପାର ବିଭାଗ ତାର ସୋସିଆଲ ମିଡିଆ ଏକ୍ସରେ ଲେଖିଥିଲା ଯେ ବେସେଣ୍ଟଙ୍କ ଯୁକ୍ତି ହେଉଛି କି ଘରେ ଯଦି ନିଆଁ ଲାଗିବାର ବିପଦ ଆସୁଛି ତେବେ ନିଜେ ତାକୁ ନିଆଁ ଲଗାଇ ଜାଳିଦେବା ।