ନୂଆଦିଲ୍ଲୀ,୧୭।୭: ପୁଣି ଛାନିଆ କଲା ଆମେରିକା ରାଷ୍ଟ୍ରପତିଙ୍କ ଟାରିଫ୍ ବୋମା। ଏଥର ତାଙ୍କ ଟାର୍ଗେଟରେ ଅଛନ୍ତି ଶତାଧିକ ଦେଶ। ଜାପାନ, ବ୍ରାଜିଲ, କାନାଡା ଓ ଇଣ୍ଡୋନେସିଆ ପରେ ଏବେ ୧୫୦ ଦେଶକୁ ପଠାଇବେ ଟାରିଫ୍ ଲେଟର। ଏନେଇ ନିଜେ ଆଜି ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ । ତାଙ୍କର ଆମେରିକା ଫାଷ୍ଟ ନୀତି ଏବେ ସାରା ବିଶ୍ବର ଚିନ୍ତା ବଢାଇଛି। ବ୍ଲୁମବର୍ଗର ରିପୋର୍ଟ ଅନୁସାରେ, ଟ୍ରମ୍ପ କହିଛନ୍ତି, ଆମେ ଏବେ ଦୁନିଆର ୧୫୦ରୁ ଅଧିକ ଦେଶକୁ ଟାରିଫ୍ ଲଗାଇବା ନେଇ ଲେଟର ପଠାଇବୁ। ଲାଗୁ ହେବାକୁ ଥିବା ‘ନିଉ ଟାରିଫ୍ ରେଟସ୍’ ୧ ଅଗଷ୍ଟକୁ ଲାଗୁ ହେବାର ଆଶା କରାଯାଉଛି।
ଟାରିଫ୍ ଲେଟର ହେଉଛି ଆମେରିକାର ବାଣିଜ୍ୟ ସର୍ତ୍ତ ଉପରେ ପୁଣିଥରେ ଆଲୋଚନା କରିବାର ଏକ ବ୍ୟାପକ ରଣନୀତିର ଅଂଶ। ଯେଉଁ ୧୫୦ ଦେଶକୁ ଚିଠି ପଠାଯିବ, ତାଙ୍କ ଉପରେ ୧୦ ରୁ ୧୫ % ପର୍ଯ୍ୟନ୍ତ ଟାରିଫ୍ ଲାଗିପାରେ। ନୂତନ ତାଲିକାରେ ଅନ୍ତର୍ଭୁକ୍ତ ଏହି ଦେଶଗୁଡ଼ିକୁ ବଡ଼ ନୁହଁନ୍ତି ବୋଲି ଟ୍ରମ୍ପ କହିଛନ୍ତି। ତାଙ୍କ କହିବା ଅନୁସାର ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ସମାନ ଶୁଳ୍କ ହାର ସ୍ଥିର କରିବା। ତେବେ ଆମେ ଏପର୍ଯ୍ୟନ୍ତ କୌଣସି ଅନ୍ତିମ ନିଷ୍ପତ୍ତି ନେଇ ନାହୁଁ। ସେପଟେ ଭାରତ ସହ ବାଣିଜ୍ୟ ଚୁକ୍ତି ନେଇ ଟ୍ରମ୍ପ ପୁଣି ମୁହଁ ଖୋଲିଛନ୍ତି। ସେ ପୁଣି ଥରେ କହିଛନ୍ତି ଖୁବ୍ ଶୀଘ୍ର ଭାରତ ସହିତ ଏକ ପ୍ରମୁଖ ବାଣିଜ୍ୟ ଚୁକ୍ତିର ହେବାକୁ ଯାଉଛି। ଆମେ ଅନେକ ଭଲ ଦେଶ ସହିତ ଚୁକ୍ତି କରିଛୁ, ଏବେ ହୁଏତ ଆମର ଭାରତ ସହିତ ମଧ୍ୟ ଏକ ଚୁକ୍ତି ହେବ। ଯେତେବେଳେ ମୁଁ ଚିଠି ପଠାଇବି, ସେତେବେଳେ ବୁଝିଯିବେ ଯେ ଚୁକ୍ତି ହୋଇସାରିଛି।’
ଏହା ଭିତରେ ଟ୍ରମ୍ପ ୟୁରୋପୀୟ ସଂଘ ସହ ସମ୍ଭାବିତ ଟ୍ରେଡ୍ ଡିଲ୍ ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି। କିନ୍ତୁ ସେ କହିଛନ୍ତି, ହୁଏତ ୟୁରୋପ ସହ ଏକ ଚୁକ୍ତି ହୋଇପାରେ। ସେଭଳି ଅନ୍ୟପକ୍ଷେ କନାଡା ଉପରେ ଲଗାଯାଇଥିବା ଟାରିଫକୁ ନେଇ କହିଛନ୍ତି ଏହାର ପରିଣାମ କ’ଣ ହେବ ତାହା କହିବା ଏବେ ସମ୍ଭବ ନୁହେଁ। ଟ୍ରମ୍ପଙ୍କ ନୂଆ ଟାରିଫ ଲେଟର ଅନୁସାରେ, ଅଗଷ୍ଟରେ କାନାଡାର କିଛି ଜିନିଷ ଉପରେ ୩୫% ହାଇ ଟାରିଫ୍ ଲଗାଇବାର ଘୋଷଣା କରିଥିଲେ। ପୂର୍ବରୁ ଜାପାନ-ଦକ୍ଷିଣ କୋରିଆ ସହ ମୋଟ ୧୪ଟି ଦେଶକୁ ମଧ୍ୟ ଟାରିଫ୍ ଲେଟର ପଠାଇ ସାରିଛନ୍ତି। ଜାପାନ ଉପରେ ୨୫% ଟାରିଫ୍ ଲଗାଯିବା ନେଇ ଘୋଷଣା କରୀଥିଲେ। ଟ୍ରମ୍ପଙ୍କ ନୂତନ ଶୁଳ୍କ ଘୋଷଣା ପଛରେ ଥିବା ରଣନୀତିକୁ ଯଦି ଦେଖିବା, ତେବେ ଏହାର ଲକ୍ଷ୍ୟ ହେଉଛି ବାଣିଜ୍ୟିକ ଅଂଶୀଦାରମାନଙ୍କୁ ଆମେରିକା ସହିତ ଅଧିକ ଅନୁକୂଳ ସର୍ତ୍ତାବଳୀ ସହ ଆଲୋଚନା କରିବାକୁ ବାଧ୍ୟ କରିବା। ଅଗଷ୍ଟ ୧ ତାରିଖ ଶୁଳ୍କ କାର୍ଯ୍ୟକାରୀ କରିବାର ଶେଷ ତାରିଖ ପାଖେଇ ଆସୁଥିବାରୁ, ଅନେକ ଦେଶ ଟ୍ରମ୍ପଙ୍କ ଦ୍ୱାରା ଏହି ନୂତନ ଶୁଳ୍କର ପ୍ରଭାବକୁ ହ୍ରାସ କରୁଥିବା ସର୍ତ୍ତାବଳୀ ନେଇ ଆଲୋଚନାରେ କରିପାରନ୍ତି।