ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ଭାରତ ଆମେରିକୀୟ ଦ୍ରବ୍ୟ ଉପରେ ଶୁଳ୍କ ଶୂନ୍ୟକୁ ହ୍ରାସ କରିବାକୁ ପ୍ରସ୍ତାବ ଦେଇଛି, କିନ୍ତୁ “ଏବେ ବହୁ ବିଳମ୍ବ ହେଇଯାଇଛି”। ଏହି ମନ୍ତବ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ ସହ ତିଆନଜିନରେ ଅନୁଷ୍ଠିତ ସାଙ୍ଘାଇ ସହଯୋଗ ସଂଗଠନ (SCO) ସମ୍ମିଳନୀରେ ବୈଠକ ପରେ ସାମ୍ନାକୁ ଆସିଛି। ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ପୋଷ୍ଟ କରି ଭାରତ-ଆମେରିକା ବାଣିଜ୍ୟକୁ “ଏକପାଖୀୟ ବିପର୍ଯ୍ୟୟ” ବୋଲି ଅଭିହିତ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଭାରତର ଉଚ୍ଚ ଶୁଳ୍କ ହେତୁ ଆମେରିକୀୟ ବ୍ୟବସାୟୀମାନେ ଭାରତୀୟ ବଜାରରେ ପ୍ରବେଶ କରିପାରୁ ନାହାନ୍ତି, ଯାହା ଦୀର୍ଘ ଦଶନ୍ଧି ଧରି ଚାଲିଆସୁଛି।

ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି ଯେ, “ଭାରତ ତାଙ୍କର ଅଧିକାଂଶ ତୈଳ ଓ ସାମରିକ ସାମଗ୍ରୀ ରୁଷିଆରୁ କିଣୁଛି, ଆମେରିକାରୁ ନୁହେଁ। ସେମାନେ ଏବେ ଶୁଳ୍କ ଶୂନ୍ୟକୁ ହ୍ରାସ କରିବାକୁ ପ୍ରସ୍ତାବ ଦେଇଛନ୍ତି, କିନ୍ତୁ ଏଥିପାଇଁ ବହୁ ବିଳମ୍ବ ହେଇଗଲାଣି। ଏହା ବର୍ଷ ବର୍ଷ ପୂର୍ବେ ହେବା ଉଚିତ ଥିଲା।” ଏହି ଦାବି ନୂଆଦିଲ୍ଲୀ ଦ୍ୱାରା ପୂର୍ବରୁ ଖଣ୍ଡନ କରାଯାଇଥିବା ଅଭିଯୋଗକୁ ପୁନରାବୃତ୍ତି କରୁଛି।

ଏହି ମନ୍ତବ୍ୟ ଏମିତି ଏକ ସମୟରେ ଆସିଛି ଯେତେବେଳେ ଟ୍ରମ୍ପ ପ୍ରଶାସନ ଭାରତୀୟ ରପ୍ତାନୀ ଉପରେ ୫୦% ଶୁଳ୍କ ଲଗାଇଛି। ଯେଉଁଥିରେ ୨୫% ପାରସ୍ପରିକ ଶୁଳ୍କ ଏବଂ ଭାରତର ରୁଷ ତୈଳ କ୍ରୟ ପାଇଁ ଅତିରିକ୍ତ ୨୫% ଦଣ୍ଡ ଅନ୍ତର୍ଭୁକ୍ତ ରହିଛି। ଏହି ଶୁଳ୍କ ଟେକ୍ସଟାଇଲ, ରତ୍ନ ପଥର, ଚମଡା ଓ ଯନ୍ତ୍ରପାତି ଭଳି ଗୁରୁତ୍ୱପୂର୍ଣ୍ଣ ରପ୍ତାନୀ କ୍ଷେତ୍ରକୁ ଟାର୍ଗେଟ କରିଛି। ଯାହା ଭାରତୀୟ ଅର୍ଥନୀତିକୁ ୫୫-୬୦ ବିଲିୟନ ଡଲାରର କ୍ଷତି ପହଞ୍ଚାଇପାରେ ବୋଲି ଅନୁମାନ କରାଯାଉଛି। ନୂଆଦିଲ୍ଲୀ ଏହି ଶୁଳ୍କକୁ “ଅନ୍ୟାୟ ଓ ଅସଙ୍ଗତ” ବୋଲି ଅଭିହିତ କରି କହିଛି ଯେ ଭାରତ ନିଜର ଜାତୀୟ ସ୍ୱାର୍ଥ ଅନୁଯାୟୀ ବଜାର ଗତିଶୀଳତା ଆଧାରରେ ନିଷ୍ପତ୍ତି ନେବ।

ଟ୍ରମ୍ପଙ୍କ ଏହି ମନ୍ତବ୍ୟ SCO ସମ୍ମିଳନୀରେ ମୋଦୀ, ପୁଟିନ ଓ ସି ଜିନପିଙ୍ଗଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଓ ତ୍ରିପାକ୍ଷିକ ଆଲୋଚନା ପରେ ଆସିଛି। ଯେଉଁଠାରେ ଭାରତ-ରୁଷ-ଚୀନ ସମ୍ପର୍କକୁ ଆହୁରି ଗଭୀର କରିବା ପାଇଁ ପ୍ରତିଶ୍ରୁତି ଦିଆଯାଇଛି। ମୋଦୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ ଭାରତ ଓ ରୁଷିଆ “କଠିନ ସମୟରେ ମଧ୍ୟ କାନ୍ଧରେ କାନ୍ଧ ମିଶାଇ ଛିଡ଼ା ହୋଇଛନ୍ତି” ଏବଂ ଏହି ସମ୍ପର୍କ ବିଶ୍ୱ ଶାନ୍ତି ଓ ସ୍ଥିରତା ପାଇଁ ଗୁରୁତ୍ୱପୂର୍ଣ୍ଣ। ତିଆନଜିନ ଘୋଷଣାପତ୍ରରେ ଆତଙ୍କବାଦ ବିରୋଧରେ ଦ୍ୱୈତ ମାନଦଣ୍ଡକୁ ପ୍ରତ୍ୟାଖ୍ୟାନ କରାଯାଇଛି ଏବଂ ଆମେରିକାର ଏକପାଖୀୟ ଆର୍ଥିକ ପଦକ୍ଷେପକୁ ନିନ୍ଦା କରାଯାଇଛି।

ବିଶ୍ଳେଷକମାନେ ଚେତାବନୀ ଦେଇଛନ୍ତି ଯେ ଟ୍ରମ୍ପଙ୍କ ଆକ୍ରମଣାତ୍ମକ ବାଣିଜ୍ୟ ନୀତି ଭାରତ, ରୁଷିଆ ଓ ଚୀନକୁ ଆମେରିକା ବିରୁଦ୍ଧରେ ଏକତ୍ରିତ ହେବାକୁ ପ୍ରେରିତ କରିପାରେ, ଯାହା ଏକ ନୂଆ ବିଶ୍ୱ ଶୃଙ୍ଖଳାର ସଙ୍କେତ ଦେଉଛି। ଏହି ପରିପ୍ରେକ୍ଷୀରେ, ଭାରତୀୟ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି, “ଭାରତ କେବେ ନତମସ୍ତକ ହେବ ନାହିଁ କି ଦୁର୍ବଳ ହେବ ନାହିଁ।”