ଇସଲାମାବାଦ୍‌: ପାକିସ୍ତାନର ଡେରା ଇସ୍ମାଇଲ ଖାନ ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ  । ପାକିସ୍ତାନ ସେନା ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିବା ଜଣାପଡ଼ିଛି । ଏହି ଆକ୍ରମଣରେ ୧୧ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୩ ସୈନିକ ଗୁରୁତର ହୋଇଛନ୍ତି । ତେବେ ଏହି ଆକ୍ରମଣ ପାଇଁ ତେହରିକ-ଏ ତାଲିବା ପାକିସ୍ତାନ (ଟିଟିପି) ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିଛି । 

 ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଆକ୍ରମଣ ଖବର ଶୁଣିବା ପରେ ପାକିସ୍ତାନ ସେନାର ଏକ ଦଳ ଘଟଣାସ୍ଥଳରେ ପହଞ୍ଚିଛି । ଆକ୍ରମଣକାରୀଙ୍କୁ ଧରିବା ଲାଗି ପାକ୍‌ ସେନା ଅପରେସନ ଜାରି ରଖିଛି । କିନ୍ତୁ ଏବେ ସୁଦ୍ଧା କୌଣସି ସୁଫଳ ମିଳିପାରି ନାହିଁ । ଏହି ଆକ୍ରମଣ ଲାଗି ଟିଟିପି ନିଜକୁ ଦାୟୀ କରିଛି । ଏହା ପୂର୍ବରୁ ଟିଟିପି ପାକିସ୍ତାନରେ ବହୁ ଆକ୍ରମଣ କରିଛି । ପାକିସ୍ତାନ ସରକାର ଟିଟିପିକୁ ସହଯୋଗ କରୁଥିବା ନେଇ ଆଫଗାନିସ୍ତାନକୁ ଦାୟୀ କରିଆସିଛନ୍ତି । 

 ଏହି ପ୍ରସଙ୍ଗରେ ଉଭୟ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଅନେକ ଥର ମୁହାଁମୁହିଁ ସ୍ଥିତି ଉପୁଜିଛି  । ତେହରିକ-ଏ-ତାଲିବାନ ପାକିସ୍ତାନ ବା ଟିଟିପି ଆଫଗାନିସ୍ତାନରେ ଶାସନ କରୁଥିବା ତାଲିବାନର ଏକ ଶାଖା ବୋଲି କୁହାଯାଉଛି । ଏହାକୁ ପାକିସ୍ତାନ ସେନା ବିରୋଧରେ ଲଢ଼େଇ କରିବା ଲାଗି ୨୦୦୭ରେ ପ୍ରତିଷ୍ଠା କରାଯାଇଥିଲା । ଏଥି‌ରେ ଅନେକ ଛୋଟ ବଡ଼ ଆତଙ୍କବାଦୀ ସଂଗଠନ ସାମିଲ ଅଛନ୍ତି । ପାକିସ୍ତାନ‌ରେ ସରିୟା ଆଇନ୍‌ ଲାଗୁ କରିବାକୁ ଚେଷ୍ଟା କରିଆସିଛି ଟିଟିପି ।