ନୂଆଦିଲ୍ଲୀ, ୧୫/୦୧ : ହାତ ମିଳେଇଲେ ତୁର୍କୀ, ସାଉଦି, ପାକିସ୍ତାନ। ଇସ୍ଲାମିକ ନାଟୋ ଗଢ଼ିବାକୁ ମସୁଧା ଚଳାଇଛନ୍ତି ଇସ୍ଲାମିକ୍ ଦେଶ। ୟୁରୋପୀୟ ଦେଶଗୁଡ଼ିକର ‘ନାଟୋ’ ଅନୁରୂପ ଏକ ସାମରିକ ମେଣ୍ଟ ଗଢ଼ିବା ପାଇଁ ଚଳାଇଛନ୍ତି ପ୍ରସ୍ତୁତି। ପରମାଣୁ ଶକ୍ତି ସମ୍ପନ୍ନ ଦେଶ ପାକିସ୍ତାନ ଏବଂ ତୈଳ ଭର୍ତ୍ତି ସାଉଦି ଆରବ ସହ ହାତ ମିଳାଇ ତୁର୍କୀ ଏହି ସାମରିକ ମେଣ୍ଟ ଗଢ଼ିବା ପାଇଁ ଆଲୋଚନା ଆରମ୍ଭ କରିଦେଇଛି । ମଧ୍ୟପ୍ରାଚ୍ୟ ଓ ଦକ୍ଷିଣ ଏସିଆରେ ନିଜକୁ ସଶକ୍ତ କରିବା ସେମାନଙ୍କର ପ୍ରାଥମିକ ଲକ୍ଷ୍ୟ ରହିବ । ପରବର୍ତ୍ତୀ ସମୟରେ ଏହା କାୟା ବିସ୍ତାର କରିବ ।
ଜଣଙ୍କ ଉପରେ ଆକ୍ରମଣ ହେଲେ ଜବାବ ଦେବେ ସମସ୍ତେ
ରିପୋର୍ଟ ଅନୁସାରେ, ଏହି ସମ୍ଭାବ୍ୟ ସାମରିକ ମେଣ୍ଟ ପାଇଁ ତୁର୍କୀ ବିପୁଳ ଅସ୍ତ୍ରଶସ୍ତ୍ର ଯୋଗାଇଦେବ । ଅଶୋଧିତ ତୈଳ ଭଣ୍ଡାର ଥିବା ସାଉଦି ଆରବ ପାଣ୍ଠି ପ୍ରଦାନ କରିବ । ପାକିସ୍ତାନ ପରମାଣୁ ଅସ୍ତ୍ର ଯୋଗାଇବ । ଏ ନେଇ ଗତବର୍ଷ ସେପ୍ଟେମ୍ବରରେ ତିନି ଦେଶ ସହମତ ହୋଇଥିଲେ । ନାଟୋ ଭଳି ସେମାନେ ସମାନ ନିୟମ ଲାଗୁ କରିବେ । ଅର୍ଥାତ୍ କୌଣସି ଗୋଟିଏ ସଦସ୍ୟ ଦେଶ ଉପରେ ହମ୍ଲା ହେଲେ ଏହା ସମସ୍ତଙ୍କ ଉପରେ ଆକ୍ରମଣ ହୋଇଥିବା ବିବେଚନା କରାଯିବ । ସେହି ଅନୁସାରେ ମିଳିତ ଜବାବ ଦିଆଯିବ । ନାଟୋର ୫ ଅନୁଚ୍ଛେଦରେ ଏହା ରହିଛି ।
ପାକ୍ର ପରମାଣୁ, ତୁର୍କୀର ଅସ୍ତ୍ରଶସ୍ତ୍ର
ତୁର୍କୀ ବର୍ତ୍ତମାନ ନାଟୋ (ନର୍ଥ ଆଟଲାଣ୍ଟିକ ଟ୍ରିଟି ଅର୍ଗାନାଇଜେସନ) ର ଏକ ସଦସ୍ୟ । ନାଟୋକୁ ଅସ୍ତ୍ରଶସ୍ତ୍ର ଯୋଗାଣରେ ଏହା ଆମେରିକା ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି । ଏବେ ଏହା ସାଉଦି ଓ ପାକିସ୍ତାନ ସହ ସାମିଲ ହୋଇ ଆଉ ଏକ ମେଣ୍ଟ ଗଢ଼ିବାକୁ ଚାହୁଁଛି । ଏହି ସମ୍ଭାବ୍ୟ ମେଣ୍ଟରେ ତୁର୍କୀର ପ୍ରବେଶ ନେଇ ଆଲୋଚନା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସମ୍ପୃକ୍ତ ତିନି ଦେଶର ସମ୍ଭାବ୍ୟ ସାମରିକ ମେଣ୍ଟ ହେଲେ ଏହା ବିଶେଷକରି ଦକ୍ଷିଣ ଏସିଆ, ମଧ୍ୟପ୍ରାଚ୍ୟ ଏବଂ ଆଫ୍ରିକାର କିଛି ଅଞ୍ଚଳ ଉପରେ ଫୋକସ କରିବ । ମେଣ୍ଟକୁ ପାକିସ୍ତାନ ବାଲିଷ୍ଟିକ ମିସାଇଲ, ପରମାଣୁ ଅସ୍ତ୍ର ଏବଂ ସୈନ୍ୟ ବଳ ପ୍ରଦାନ କରିବ । ତୁର୍କୀ ଏହାର ସଶକ୍ତ ସାମରିକ ଅଭିଜ୍ଞତା ଏବଂ ଆଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇବ । ଆମେରିକା କେବଳ ସ୍ୱାର୍ଥ ପାଇଁ ନାଟୋରେ ଜଡ଼ିତ ରହିଛି । ତେଣୁ ଆମେରିକା ଉପରେ ନିର୍ଭରଶୀଳ ନ ହୋଇ ତୁର୍କୀ ନିଜକୁ ଶକ୍ତିଶାଳୀ କରିବାକୁ ଚାହୁଁଛି । ଏହି ରିପୋର୍ଟ ସଂକ୍ରାନ୍ତରେ କୌଣସି ମତାମତ ଦେବାକୁ ତୁର୍କୀର ପ୍ରତିରକ୍ଷା ମନ୍ତ୍ରଣାଳୟ ମନା କରିଦେଇଛି । ପାକିସ୍ତାନର ସୂଚନା ମନ୍ତ୍ରଣାଳୟ ବି କିଛି କହିନାହିଁ ।
ସାଉଦି ଯୋଗାଇଦେବ ବିପୁଳ ପାଣ୍ଠି
ସାଉଦି ଆରବ ମଧ୍ୟ ଅଦ୍ୟାବଧି ମତାମତ ଦେଇନାହିଁ । ଯଦି ତୁର୍କୀ ଏହି ରାଜିନାମାରେ ସାମିଲ ହୁଏ, ତେବେ ସାଉଦି ସହିତ ଏହାର ଏକ ନୂଆ ପର୍ଯ୍ୟାୟର ସମ୍ପର୍କ ଆରମ୍ଭ ହେବ । ତୁର୍କୀ ଓ ପାକିସ୍ତାନ ମଧ୍ୟରେ ଘନିଷ୍ଠ ପ୍ରତିରକ୍ଷା ସମ୍ପର୍କ ପୂର୍ବରୁ ରହିଛି । ଭାରତର ଅପରେସନ ସିନ୍ଦୂର ବେଳେ ପାକ୍କୁ ତୁର୍କୀ ଅସ୍ତ୍ରଶସ୍ତ୍ର ଯୋଗାଇଥିଲା । ଏହାଛଡ଼ା ପାକିସ୍ତାନୀ ନୌସେନା ପାଇଁ ତୁର୍କୀ ଜାହାଜ ନିର୍ମାଣ କରୁଛି । ଏହାର ଏଫ୍-୧୬ ଯୁଦ୍ଧ ବିମାନକୁ ଶକ୍ତିଶାଳୀ କରାଇବାରେ ସହଯୋଗ କରୁଛି । ଡ୍ରୋନ୍ ଟେକ୍ନୋଲୋଜି ବି ଯୋଗାଇ ଦେଉଛି । ସୂଚନା ଥାଉ କି ଗତବର୍ଷ ମେ ମାସରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ହେବା ପରେ ତୁର୍କୀ, ସାଉଦି ଓ ପାକିସ୍ତାନ ଆଲୋଚନା ଆରମ୍ଭ କରିଦେଇଥିଲେ । ଯଦି ଏହି ତିନି ଦେଶ ପ୍ରସ୍ତାବିତ ସାମରିକ ମେଣ୍ଟ ଗଠନରେ ସଫଳ ହୁଅନ୍ତି, ତେବେ ଏହା ଭାରତ ପାଇଁ ସମସ୍ୟା ବଢ଼ାଇପାରେ ।
ଏହି ଖବରଟିକୁ ପଢନ୍ତୁ- ମଧ୍ୟପ୍ରାଚ୍ୟରେ ବଡ଼ ହଲଚଲ୍... ବଢିଲା ଯୁଦ୍ଧ ଆଶଙ୍କା, ଇରାନ ମୁହାଁ ଆମେରିକାର ବଡ଼ ଯୁଦ୍ଧ ଜାହାଜ, ମିଡ୍ ଇଷ୍ଟରେ ହାଇ ଆଲର୍ଟ