ନୂଆଦିଲ୍ଲୀ, ୧୫/୦୧ : ମଧ୍ୟପ୍ରାଚ୍ୟରେ ବଡ଼ ହଲଚଲ୍। ଇରାନକୁ ବାରମ୍ଵାର ଧମକ ପରେ ଏବେ ଟ୍ରମ୍ପଙ୍କ ବଡ଼ ପଦକ୍ଷେପ। ଇରାନ ଆଡ଼କୁ ବଢୁଛି ଆମେରିକାର ବଡ଼ ଯୁଦ୍ଧ ଜାହାଜ। ଆହୁରି ବିଗୁଡ଼ିଛି ସ୍ଥିତି। ଭୟଙ୍କର ଯୁଦ୍ଧମୁହାଁ ଆମେରିକା-ଇରାନ। ମିଡ୍ ଇଷ୍ଟରେ ହାଇ ଆଲର୍ଟ। ଏୟାରସ୍ପେସ୍ ବନ୍ଦ କଲା ଇରାନ।
ସୂଚନାନୁଯାୟୀ, ଆମେରିକାର ବଡ଼ ଯୁଦ୍ଧ ଜାହାଜ ଆବ୍ରାହମ୍ ଲିଙ୍କନ ଷ୍ଟ୍ରାଇକ୍ ଗ୍ରୁପ୍ ବେଡା ସାଉଥ୍ ଚାଇନା ସମୁଦ୍ରରେ ମଧ୍ୟପ୍ରାଚ୍ୟ ଆଡ଼କୁ ଧୀରେ ଧୀରେ ବଢୁଛି। ଏହାଦ୍ଵାରା ଆଞ୍ଚଳିକ ଏବଂ ବୈଶ୍ୱିକ ସୁରକ୍ଷା ପରିସ୍ଥିତି ଆହୁରି ଅଧିକ ସମ୍ବେଦନଶୀଳ ହୋଇଯାଇଛି। ଆମେରିକା ଖୁବଶୀଘ୍ର ଇରାନ ଉପରେ ବଡ଼ ଆକ୍ରମଣ କରିପାରେ ବୋଲି ଅନୁମାନ କରାଯାଉଛି। ସେପଟେ ଇରାନ ତାର ଏୟାରସ୍ପେସ୍ ବନ୍ଦ କରିଛି। ଏଥିରୁ ଏକ ବଡ଼ ଯୁଦ୍ଧର ଅୟମାରମ୍ଭ ହେଉଥିବା ଆଭାସ ହେଉଛି। ଏହି କ୍ୟାରିଅର ଷ୍ଟ୍ରାଇକ୍ ଗ୍ରୁପ୍ ଆମେରିକୀୟ ସେଣ୍ଟ୍ରାଲ୍ କମାଣ୍ଡର ଅପରେସନାଲ ଏରିଆ ଆଡ଼କୁ ବଢୁଛି। ଯାହାକି ମଧ୍ୟପ୍ରାଚ୍ୟରେ ସୈନ୍ୟ ଅଭିଯାନ ଉପରେ ନଜର ରଖିବ। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ଆମେରିକା ତାର ସାମରିକ ଉପସ୍ଥିତିକୁ ମଜବୁତ କରିବାକୁ ଚାହୁଁଛି। ଯାହା ଦ୍ଵାରା ଯେକୌଣସି ଯୁଦ୍ଧର ମୁକାବିଲା କରାଯାଇପାରିବ।
ବାୟୁସୀମା ବନ୍ଦ କଲା ଇରାନ
ଅପର ପକ୍ଷରେ ଇରାନ ବାୟୁସୀମା ବନ୍ଦ କରିବା ଯୋଗୁଁ ସାମରିକ ଏବଂ ଅନ୍ତରାଷ୍ଟ୍ରୀୟ ନାଗରିକ ଉଡାଣ ଉପରେ ଗମ୍ଭୀର ପ୍ରଭାବ ପଡ଼ିଛି। ବହୁ ଅନ୍ତରାଷ୍ଟ୍ରୀୟ ଏୟାରଲାଇନ୍ ତାଙ୍କର ରୁଟ୍ ପରିବର୍ତ୍ତନ କରିଛନ୍ତି। ଏହାଦ୍ଵାରା ଆଞ୍ଚଳିକ ଅସ୍ଥିରତା ବଢିଛି। ପ୍ରତିରକ୍ଷା ବିଶେଷଜ୍ଞମାନେ ଏହି ହଲଚଲ୍ କୁ ଏକ ବଡ଼ ଯୁଦ୍ଧର ଆଭାସ ବୋଲି ମନେ କରୁଛନ୍ତି। ବର୍ତ୍ତମାନ ସ୍ଥିତିରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ଇରାନର ଆକାଶପଥ ବନ୍ଦ କରିବା ଏକ ଗମ୍ଭୀର ଚିନ୍ତାର ବିଷୟ ପାଲଟିଛି।
'ତୁରନ୍ତ ଇରାନ ଛାଡ଼'
ଇରାନର ସ୍ଥିତି ଦେଖି ଇଟାଲି ତାର ନାଗରିକମାନଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଛି। ଇଟାଲୀୟ ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ବର୍ତ୍ତମାନ ପ୍ରାୟ ୬୦୦ ଇଟାଲି ନାଗରିକ ଇରାନରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ତେହେରାନରେ ରୁହନ୍ତି।
ଏହି ଖବରଟିକୁ ପଢନ୍ତୁ-ଟ୍ରମ୍ପଙ୍କ ଧମକ ପରେ ବି’ ମୁଣ୍ଡ ନୁଆଁଇବାକୁ ନାରାଜ ଖାମେନି, ଯେକୌଣସି ମୁହୂର୍ତ୍ତରେ ଇରାନ ଉପରେ ଆକ୍ରମଣ କରିପାରେ ଆମେରିକା…