ଭୁବନେଶ୍ୱର ୧୧/୧୧: ଦ୍ୱୈତନଗରୀରେ ଆତ୍ମହତ୍ୟା ହାର ବଢ଼ିଚାଲିଛି । ଗତ ଅକ୍ଟୋବରରେ ମୋଟ ୯୪ଜଣ ବିଷ ପିଇ ମରିଛନ୍ତି । ସେଥିରୁ ୩୨ଜଣ ରାଜଧାନୀର । ବାକି ୬୨ଜଣ କଟକରେ ବିଷ ପିଇ ଜୀବନ ହାରିଛନ୍ତି । ଅର୍ଥାତ, ରାଜଧାନୀ ଅପେକ୍ଷା କଟକରେ ୨ ଗୁଣା ବିଷ ପିଇଛନ୍ତି । କମିଶନରେଟ ପୁଲିସର ଅପମୃତ୍ୟୁ ଜନିତ ମାମଲାର ତଥ୍ୟରୁ ଏହା ଜଣାପଡିଛି ।
ତଥ୍ୟ ଅନୁସାରେ, ଗତମାସରେ ମୋଟ ୪୬୮ଟି ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା । ଯେଉଁଥିରୁ ୯୪ଜଣ ବିଷ ପିଇ ଜୀବନ ହାରିଥିଲେ। ମୋଟ ୨୬ଜଣ ବେକରେ ରଶି, ଗାମୁଛା, ଲୁଗା ଓ ଚୁନରି ଗୁଡ଼ାଇ ଆତ୍ମହତ୍ୟା କରିଥିଲେ । ଭୁବନେଶ୍ୱରରୁ ୧୫ଜଣ, କଟକରୁ ୧୧ଜଣ ଜୀବନ ହାରିବା ପାଇଁ ଏଭଳି ପନ୍ଥା ଆପଣାଇଥିଲେ । ସେହିପରି ନିଆଁରେ ପୋଡି ହୋଇ ୨୨ଜଣଙ୍କ ଜୀବନ ଯାଇଛି । ସେଥିରୁ ଭୁବନେଶ୍ୱରରୁ ୧୦ଜଣ ଓ କଟକରୁ ୧୨ଜଣ ଅଛନ୍ତି । ପାଣିରେ ବୁଡି ୧୨ଜଣ ମରିଛନ୍ତି । ସାପ କାମୁଡିବା ଯୋଗୁଁ ୩୧ଜଣଙ୍କ ପ୍ରାଣ ଯାଇଛି । ଛାତ କିମ୍ବା ପାହାଡ଼ରୁ ଡେଇଁ ୧୫ଜଣଙ୍କ ଜୀବନ ଯାଇଛି ।
ଦ୍ୱୈତନଗରୀରେ ଅପମୃତ୍ୟୁ ମାମଲାରେ ସର୍ବାଧିକ ୩୪୪ ଜଣ ପୁରୁଷ ଅଛନ୍ତି । ଭୁବନେଶ୍ୱରରେ ୧୫୮ଜଣ ପୁରୁଷଙ୍କ ମୃତ୍ୟୁ ଘଟିଥିବା ବେଳେ କଟକରେ ୧୮୭ ଜଣଙ୍କ ମୃତ୍ୟୁ ଘଟିଛି । ୧୨୪ ଜଣ ମୃତକ (ମହିଳା)ଙ୍କର ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ଭୁବନେଶ୍ୱରରୁ ୫୪ ଓ କଟକରୁ ୭୦ଜଣ ମହିଳା ମରିଛନ୍ତି ।
ବଡ଼ କଥା ହେଲା, ୩୧ରୁ ୪୦ ବର୍ଷ ବୟସ ଭିତରେ ସର୍ବାଧିକ ୭୦ଜଣ ପୁରୁଷ ଜୀବନ ହାରିଛନ୍ତି । ସେହିପରି ୪୧ରୁ ୫୦ ବର୍ଷ ବୟସ ଭିତରେ ୬୪ଜଣଙ୍କ ପ୍ରାଣ ଯାଇଛି । ଅଘଟଣ ଯୋଗୁ ୧୦ରୁ କମ୍ ବୟସ୍କ ୫ଜଣ ଶିଶୁପୁତ୍ରଙ୍କର ମୃତ୍ୟୁ ଘଟିଛି । କିନ୍ତୁ ମହିଳାଙ୍କ କ୍ଷେତ୍ରରେ ସାମାନ୍ୟ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଗତ ମାସରେ ୫୧ରୁ ୬୦ ବୟସ୍କ ମୋଟ ୨୯ଜଣ ମହିଳାଙ୍କ ମୃତ୍ୟୁ ଘଟିଛି।