ନୂଆଦିଲ୍ଲୀ,୨୩/୦୫; ମଡେଲ ତଥା ଅଭିନେତ୍ରୀ ଟ୍ୱିଶା ଶର୍ମାଙ୍କ ରହସ୍ୟଜନକ ମୃତ୍ୟୁ ମାମଲାର ଯାଞ୍ଚ ସିବିଆଇ କରିବ । ଏଥିପାଇଁ ମଧ୍ୟପ୍ରଦେଶ ସରକାର ସୁପାରିସ କରିଛନ୍ତି । ଗତ ୨୦ ତାରିଖରେ ଟ୍ୱିଶାଙ୍କ ପିତା ନବନିଧି ଶର୍ମା ଅବସରପ୍ରାପ୍ତ ସୈନ୍ୟଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ଭେଟିବାକୁ ଯାଇଥିବାବେଳେ ମୁଖ୍ୟମନ୍ତ୍ରୀ ତାଙ୍କୁ ଏ ନେଇ ଆଶ୍ୱାସନା ଦେଇଥିଲେ । ଅନ୍ୟପକ୍ଷରେ ଟ୍ୱିଶାଙ୍କ ମୃତଦେହର ପୁଣି ବ୍ୟବଚ୍ଛେଦ କରାଯିବ । ମଧ୍ୟପ୍ରଦେଶ ହାଇକୋର୍ଟ ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ବାର୍ କାଉନ୍‌ସିଲ ଟ୍ୱିଶାଙ୍କ ସ୍ୱାମୀ ସମର୍ଥ ସିଂହଙ୍କ ଓକିଲାତିରୁ ନିଲମ୍ବନ କରିଛି ।

ହାଇକୋର୍ଟ କହିଛନ୍ତି, ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ ଟିମ୍ ଭୋପାଳ ଏମ୍ସରେ ପୋଷ୍ଟମର୍ଟମ କରିବେ । ଦିଲ୍ଲୀ ଏମ୍ସ ଡାକ୍ତରଙ୍କୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୋପାଳ ଅଣାଯିବ । ପୂରା ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ । ସେ ପର୍ଯ୍ୟନ୍ତ ମୃତଦେହକୁ ସୁରକ୍ଷିତ ରଖିବାକୁ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି । ନିମ୍ନ ଅଦାଲତ ଦ୍ୱିତୀୟ ଥର ଶବ ବ୍ୟବଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେବାକୁ ମନା କରିବା ପରେ ଟ୍ୱିଶାଙ୍କ ପରିବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେପଟେ ଆଗୁଆ ଜାମିନ ପାଇଁ ଟ୍ୱିଶାଙ୍କ ସ୍ୱାମୀ ସମର୍ଥ ସିଂ ହାଇକୋର୍ଟରେ କରିଥିବା ପିଟିସନ ପ୍ରତ୍ୟାହାର କରି ନେଇଛନ୍ତି ।

​​​​​​​

ସମର୍ଥ ଶୁକ୍ରବାର ଜବଲପୁର ଜିଲ୍ଲା କୋର୍ଟରେ ଆତ୍ମସମର୍ପଣ କରିବାକୁ ଆସିଥିବା ବେଳେ ତାଙ୍କୁ ଭୋପାଳ ପୁଲିସ ଗିରଫ କରିଛି । କୋର୍ଟ ପରିସରରେ ଘଣ୍ଟାଏ ଧରି ହାଇଡ୍ରାମା ଦେଖିବାକୁ ମିଳିଥିଲା । ସୋମବାର ହାଇକୋର୍ଟ ମାମଲାର ଶୁଣାଣି କରିବେ । ଇତିମଧ୍ୟରେ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ (ବିସିଆଇ) ସମର୍ଥଙ୍କ ଲାଇସେନ୍ସ ରଦ୍ଦ କରିଦେଇଛି । ଅପରପକ୍ଷେ ଟ୍ୱିଶାଙ୍କ ଶାଶୁ ତଥା ଅବସରପ୍ରାପ୍ତ ଜଜ୍ ଗିରିବାଳା ସିଂଙ୍କୁ ମିଳିଥିବା ଜାମିନ ରଦ୍ଦ କରାଯିବାକୁ ରାଜ୍ୟ ସରକାର ହାଇକୋର୍ଟରେ ଅପିଲ କରିଛନ୍ତି ।

ଶୁକ୍ରବାର ଏହି ମାମଲାର ଶୁଣାଣି ହେବାର ଥିଲା । କିନ୍ତୁ ହାଇକୋର୍ଟ ଏହି ମାମଲାକୁ ଡିଭିଜନ ବେଞ୍ଚକୁ ରେଫର କରିଛନ୍ତି । ପ୍ରକାଶଥାଉ କି, ବିବାହର ମାତ୍ର ୫ ମାସ ପରେ ଗତ ୧୨ ତାରିଖରେ ଟ୍ୱିଶାଙ୍କ ରହସ୍ୟଜନକ ଭାବେ ମୃତ୍ୟୁ ଘଟିଥିଲା । ସେ ଓକିଲ ସମର୍ଥ ସିଂଙ୍କୁ ବିବାହ କରିଥିଲେ । ଶାଶୁଘର ଲୋକେ ଅଧିକ ଯୌତୁକ ଦାବି କରିବା ସହ ଟ୍ୱିଶାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି ।