ଗୁଣପୁର,୨୩/୧୧: ରାୟଗଡ଼ା ଜିଲ୍ଲା ଗୁଣପୁର ଏଡିଜେ କୋର୍ଟ ମାଓ  ନେତା ସବ୍ୟସାଚୀ ପଣ୍ଡାଙ୍କୁ ୨ଟି ମାମଲାରେ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ସାକ୍ଷ୍ୟ ପ୍ରମାଣ ଅଭାବରୁ କୋର୍ଟ ଉକ୍ତ ରାୟ ଶୁଣାଇଥିବା ସବ୍ୟସାଚୀଙ୍କ ଓକିଲ  ବ୍ରହ୍ମାନନ୍ଦ ପଟ୍ଟନାୟକ ସୂଚନା ଦେଇଛନ୍ତି । କଡ଼ା ସୁରକ୍ଷା ମଧ୍ୟରେ ସବ୍ୟସାଚୀଙ୍କୁ  ଶୁକ୍ରବାର ଗୁଣପୁର ଏଡିଜେ କୋର୍ଟରେ ହାଜର କରାଯାଇଥିଲା । 

୨୦୦୪  ଅଗଷ୍ଟ ୧୩ରେ ଘଟିଥିବା ଚନ୍ଦ୍ରପୁର ବ୍ଲକ୍‌ ଅଧ୍ୟକ୍ଷ ଡାକୁ ମାଝୀ ହତ୍ୟାକାଣ୍ଡ ଏବଂ  ୨୦୦୩ରେ ଏହି ବ୍ଲକ୍‌ର ମରିଚଗୁଡ଼ାରେ ଏକ ଘରେ ବୋମା ବିସ୍ଫୋରଣ କରିବା  ମାମଲାର ଆଜି ଶୁଣାଣି ହୋଇଥିଲା । ପୂର୍ବରୁ ଡାକୁ ମାଝୀ ହତ୍ୟା ମାମଲାର  ବିଚାରଣ ହୋଇଥିଲା । ଏହି ସମୟରେ ୧୮ ଜଣଙ୍କ ସାକ୍ଷ୍ୟ ପ୍ରମାଣ କୋର୍ଟ ଗ୍ରହଣ  କରିଥିଲେ । ପ୍ରମାଣ ଅଭାବରୁ ଏହି ମାମଲାରେ ସବ୍ୟସାଚୀଙ୍କୁ କୋର୍ଟ ନିର୍ଦ୍ଦୋଷରେ  ଖଲାସ କରିଛନ୍ତି । ସେହିଭଳି ପୁଲିସ୍‌ ଇନ୍‌ଫର୍ମର ସନ୍ଦେହରେ ମାଓବାଦୀମାନେ  ମରିଚଗୁଡ଼ାର ପ୍ରାସ୍କା ସିମନ ମଝୀଙ୍କ ଘରେ ବିସ୍ଫୋରଣ କରିଥିଲେ । ମାମଲାର ଶୁଣାଣି ସମୟରେ ୧୫ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । ପ୍ରମାଣ ଅଭବାରୁ ଶ୍ରୀ ପଣ୍ଡାଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । 

ପ୍ରକାଶଥାଉ କି, ଡାକୁ ବ୍ଲକ୍‌ରୁ କାମ ସାରି ବାଇକ୍‌ରେ ଘରକୁ ଫେରୁଥିଲେ ।  ଏହି ସମୟରେ ମୁଖ୍ୟରାସ୍ତାରେ ମୁଖା ପିନ୍ଧା ନକ୍ସଲ ତାଙ୍କୁ ଗୁଳି କରିଥିଲେ ।  ପରେ ନକ୍ସଲମାନେ ତାଙ୍କ ବେକକୁ କାଟି ଦେଇଥିଲେ । ଫଳରେ ତାଙ୍କ ମୃତ୍ୟୁ  ହୋଇଥିଲା । ଡାକୁଙ୍କ ବାଇକ୍‌ରେ ବସିଥିବା ଅନ୍ୟ ଦୁଇଜଣଙ୍କୁ ମଧ୍ୟ ଗୁଳି  ବାଜିଥିଲା । ଗୁରୁତର ଅବସ୍ଥାରେ ସେମାନଙ୍କୁ ଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି  କରାଯାଇଥିଲା । ଏହି ଘଟଣାରେ ଚନ୍ଦ୍ରପୁର ଥାନାରେ ମାମଲାର ରୁଜୁ ହୋଇଥିଲା ।