ଭୁବନେଶ୍ୱର, ୧୧/୧:   ମେଟାହ୍ୟୁରିଷ୍ଟିକ୍‌ ଆଲଗୋରିଥିମର ବ୍ୟବହାର କରି ଗବେଷଣା କ୍ଷେତ୍ରରେ କମ୍‌ ସମୟ ମଧ୍ୟରେ ସଠିକ୍‌ ଫଳାଫଳ ପାଇବା ସମ୍ଭବ ବୋଲି ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆୟୋଜିତ ଏକ ଦୁଇ ଦିନିଆ ଆନ୍ତର୍ଜାତିକ ସମ୍ମିଳନୀରେ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। 

ସୋଆ ଦ୍ୱାରା ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନିକାଲ୍‌ ଏଜୁକେସନ୍‌ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ଠାରେ ଆୟୋଜିତ ‘ଦ୍ୱିତୀୟ ଇନ୍‌ଟରନ୍ୟାସ୍‌ନାଲ୍‌ କନ୍‌ଫରେନ୍ସ ଅନ୍‌ ମେଟାହ୍ୟୁରିଷ୍ଟିକ୍ସ ଇନ୍‌ ଇଞ୍ଜିନିୟରିଂ ଆଣ୍ଡ ଇଟ୍‌ସ ଆପ୍ଲିକେସନ୍ସ’ (ମେଟାସଫ୍ଟ – ୨୦୨୪) ଶନିବାର ଶେଷ ହୋଇଛି। ଆଇଟିଇଆର୍‌ର ଡିପାର୍ଟମେଂଟ ଅଫ୍‌ କମ୍ପ୍ୟୁଟର ଆପ୍ଲିକେସନ୍‌ ପକ୍ଷରୁ ହାଇବ୍ରିଡ ମୋଡରେ ଏହାର ଆୟୋଜନ କରାଯାଇଥିଲା। 

ଏଥିରେ ବିଭିନ୍ନ ଦେଶରୁ ଅନେକ ଅଧ୍ୟାପକ, ଗବେଷକ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଆଇଆଇଟି ଗୌହାଟିର ପ୍ରଫେସର ଆର୍ଯ୍ୟବର୍ତ୍ତ ସାହୁ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆଇଆଇଟି ଭୁବନେଶ୍ୱରର ପ୍ରଫେସର ଚନ୍ଦ୍ରଶେଖର ପେରୁମାଲା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି ସଭାର ସଭାପତିତ୍ୱ କରିଥିଲେ। 

ପ୍ରଫେସର ନନ୍ଦ ‘ସୋଆ ବିଶ୍ୱ ବିଦ୍ୟାଳୟରେ ଗବେଷଣାକୁ ପ୍ରାଧାନ୍ୟତା ଦିଆଯିବା ସହ ଏଠାରେ ଅନେକ ସଂଖ୍ୟାରେ ଆନ୍ତର୍ଜାତିକ ସମ୍ମିଳନୀ ଆୟୋଜନ କରାଯାଉଛି’ ବୋଲି କହିଥିଲେ। 

ଏହି ଅବସରରେ ଆଇଟିଇଆର୍‌ର ଡିନ୍‌ ପ୍ରଫେସର ପ୍ରଦୀପ କୁମାର ସାହୁ, କମ୍ପ୍ୟୁଟର ଆପ୍ଲିକେସନ୍‌ ବିଭାଗର ମୁଖ୍ୟ ପ୍ରଫେସର କାବେରି ଦାସ, ପ୍ରୋଗ୍ରାମ ଚେୟାର ପ୍ରଫେସର ବିଚିତ୍ରାନନ୍ଦ ପାତ୍ର ଓ ସମ୍ମିଳନୀର ଆବାହକ ପ୍ରଫେସର ଦେବବ୍ରତ ସିଂହ ନିଜ ନିଜର ବକ୍ତବ୍ୟ ରଖିଥିଲେ। 

ଦ୍ୱିତୀୟ ଦିନ ସମ୍ମିଳନୀରେ ଏନ୍‌ଆଇଟି ରାଉରକେଲାର ପ୍ରଫେସର ବିଭୁଦତ୍ତ ସାହୁ, ନାଗାଲାଣ୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ସୁଜାତା ଦାଶ ଓ କୋସୋଭୋ ସ୍ଥିତ ରୋଚେଷ୍ଟର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲଜିର ପ୍ରଫେସର ଦେବବ୍ରତ ସାମନ୍ତ ପ୍ରଭୃତି ନିଜର ବକ୍ତୃତା ଦେଇଥିଲେ। ଏଥିରେ ସୋଆ ଏସ୍‌ଆରଆଇସି ଡିନ୍‌ ପ୍ରଫେସର ପି.କେ. ପାତ୍ର ଅଧ୍ୟକ୍ଷତା କରିଥିଲେ।