ମାଲକାନଗିରି, ୧୯/୧୦ : ଚାଷ ଜମି ଜବରଦଖଲ ଉଛେଦ ଓ ନ୍ୟାୟ ପାଇବା ନିମନ୍ତେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦୁଇ ପରିବାର । ନ୍ୟାୟ ନ ମିଳିଲେ ଇଚ୍ଛା ମୃତ୍ୟୁ କରିବା ପାଇଁ ପ୍ରଶାସନ ନିକଟରେ ଆବେଦନ କରିବେ ବୋଲି ଏହି ଦୁଇ ପରିବାର ସୂଚନା ଦେଇଛନ୍ତି । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକସ୍ଥ କୁଡୁମୁଳୁଗୁମା ଗ୍ରାମର ସ୍ୱର୍ଗତ ଭୀମସେନ କାମିଡ଼ିଙ୍କ ପୁଅ ସଦନ ଓ ନିଲାନାଙ୍କ ପୁଅ ମଧୁସୂଦନଙ୍କ ନିଜ ପୈତୃକ ସମ୍ପତ୍ତି ଜମି ପଟା ଥିବା ୩ ଏକର ଚାଷ ଜମିରେ ସୁନାର ଫସଲ ଫଳୁଥିଲା । ଏହି ଦୁଇ ପରିବାର ଧାନ, ମାଣ୍ଡିଆ, ପନି ପରିବା ଚାଷ କରି ଖୁସିରେ ଚଳୁଥିଲେ । ଏମାନଙ୍କ ବାପ ଓ ମା’ଙ୍କ ମୃତ୍ୟୁ ପରେ ସେହି ଗ୍ରାମର ଶ୍ୟାମ ମାଣ୍ଡି  ଓ ମୁନି ଖିଲ ନାମକ ଦୁଇ ଜଣ ବ୍ୟକ୍ତି ଭାଗ ଚାଷ କରିବୁ କହି କୌଶଳ କ୍ରମେ ଜମିକୁ ଜବରଦଖଲ କରିନେଲେ । ଦୀର୍ଘ ବର୍ଷ ଧରି ଚାଷ କରି ଆସୁଥିଲେ ମଧ୍ୟ ଭାଗ ଚାଷର ଫସଲ ଦେଲେ ନାହିଁ। 

ତୁମ ବାପା ଆମକୁ ଜମି ଦେଇଛନ୍ତି ଆମେ ଚାଷ କରିବୁ କହି ଓଲଟି ଏହି ଦୁଇ ପରିବାରଙ୍କୁ ମାରପିଟ କରି ଧମକାଇ ଚାଲିଲେ। ଏ ସମ୍ପର୍କରେ ଏହି ଦୁଇ ପରିବାର ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ତହସିଲଦାର, ଓରକେଲ ଥାନାରେ ଅଭିଯୋଗ କଲେ ହେଲେ କିଛି ସୁଫଳ ମିଳିଲା ନାହିଁ । ଦୀର୍ଘ ୧୫ବର୍ଷରୁ ଊର୍ଦ୍ଧ୍ବ ଏହି ଦୁଇ ପରିବାର ନ୍ୟାୟ ପାଇଁ ପ୍ରଶାସନର ଦ୍ୱାରସ୍ଥ ହେଉଛନ୍ତି । ହେଲେ ଖାଲି ପ୍ରତିଶ୍ରୁତି ମିଳୁଛି ନିଶ୍ଚିତ ଭାବେ ନ୍ୟାୟ ମିଳିବ ।  ତା’ପରେ ଅଧିକାରୀ ବଦଳି ହୋଇ ପଳାଉଛନ୍ତି । ସେ ଫାଇଲ ଅଫିସରେ ହଜିଯାଉଛି । ପୁଣି ନୂଆ ଅଧିକାରୀଙ୍କ ନିକଟରେ ଏହି ଦୁଇ ପରିବାର ଅଭିଯୋଗ କରୁଛନ୍ତି । ପ୍ରତିଶ୍ରୁତି ମିଳୁଛି ବୁଝିବା ହେଲେ କିଛି ସୁଫଳ ମିଳୁନାହିଁ । ଏହି ଦୁଇ ପରିବାର ଗତ ୭ତାରିଖ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଅଭିଯୋଗପତ୍ର ଦେଇଥିଲେ । ପୁଣି ଗତ ୧୪ ତାରିଖ ଖଇରପୁଟ ବ୍ଲକରେ ହୋଇଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଦରଖାସ୍ତ କରିଥିଲେ ।

ଜିଲ୍ଲାପାଳ ଏହାର ତଦନ୍ତ କରି ତୁରନ୍ତ କାର୍ଯାନୁଷ୍ଠାନ ନେବା ପାଇଁ କୁଡୁମୁଳୁଗୁମ୍ମା ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଯାଉଛି ସେ ତହସିଲଦାରଙ୍କ ଅନ୍ୟତ୍ର ବଦଳି ହୋଇଛି । ଅଧିକାରୀ ବଦଳି ପରେ ବଦଳି ହେଉଛନ୍ତି କିନ୍ତୁ ଖାଲି ସାନ୍ତ୍ୱନା ମିଳୁଛି ନ୍ୟାୟ ମିଳୁ ନାହିଁ । ଆଗାମୀ ଦିନରେ ନ୍ୟାୟ ନ ମିଳିଲେ ଇଚ୍ଛା ମୃତ୍ୟୁ ଲାଗି ଆବେଦନ କରିବୁ ବୋଲି ସଦନ ଓ ମଧୁସୂଦନ କହିଛନ୍ତି। ନିଜର ପୈତୃକ ସମ୍ପତିକୁ ଅନ୍ୟ ଲୋକ ଜବରଦଖଲ କରି ଚାଷ କରୁଥିବାରୁ ଏହି ଦୁଇ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ କୋର୍ଟ କଚେରୀକୁ ଯାଇ ପାରୁନାହାନ୍ତି ।  ପର ଘରେ କୁଲି ମଜୁରୀ ଲାଗବା ସହିତ ବାହାର ରାଜ୍ୟରେ ଦାଦନ ଖଟି ନିଜର ପରିବାର ପ୍ରତିପୋଷଣ କରୁଥିବା କହିଛନ୍ତି । ଜିଲ୍ଲା ପ୍ରଶାସନ ଏହାର ବିଚାର କରି ଦୁଇ ପରିବାରଙ୍କୁ ଉପଯୁକ୍ତ ନ୍ୟାୟ ଦେବା ସହିତ ଜମି ଜବରଦଖଲ ଉଛେଦ କରି ତାଙ୍କ ଜମି ସେମାନଙ୍କୁ ଫେରାଇ ଦେଲେ ଏହି ଦୁଇ ପରିବାରଙ୍କ ପେଟକୁ ଦାନା ଯୋଗାଡ଼ ହୋଇପାରିବ।