ନୂଆଦିଲ୍ଲୀ,୧୯।୪: ପଞ୍ଜାବ ପୋଲିସ ଦୁଇ ଆତଙ୍କୀ ମଡ୍ୟୁଲର କରିଛି ପର୍ଦାଫାଶ। ଏହା ସହ ୧୩ ଆତଙ୍କବାଦୀଙ୍କୁ ମଧ୍ୟ ଗିରଫ କରିଛି। ସେମାନଙ୍କ ଭିତରେ ଜଣେ ନାବାଳକ ରହିଛି। ଗୁଇନ୍ଦା ଇନପୁଟ୍ ଆଧାରରେ ଏହି ଅପରେସନ୍ ବେଳେ ପ୍ରଚୁର ମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଗିରଫ ଆତଙ୍କବାଦୀ ବହୁ ଥାନା ଓ ଲୋକଙ୍କୁ ଟାର୍ଗେଟ କରିବାର ଯୋଜନାରେ ଥିଲେ। ଏହି ଆତଙ୍କୀ ବବର ଖାଲସା ଇଣ୍ଟରନାସନାଲ ଦ୍ବାରା ବିଦେଶରୁ ପରିଚାଳିତ ହେଉଥିଲେ। ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସଆଇ ଏହି ଦୁଇ ଆତଙ୍କୀ ମଡ୍ୟୁଲକୁ ମଧ୍ୟ ସମର୍ଥନ ଦେଉଥିଲା। ଏହାକୁ ପର୍ଦାଫାଶ କରି ପଞ୍ଜାବ ପୋଲିସ ହାସଲ କରିଛି ବଡ଼ ସଫଳତା। ପଞ୍ଜାବ ପୋଲିସ ଡିଜିପି ଗୌରବ ଯାଦବ ଏହି ସୂଚନା ଦେଇଛନ୍ତି।
ଗିରଫ ଆତଙ୍କବାଦୀଙ୍କଠାରୁ ପୋଲିସ ଆରପିଜି(ଏକ ଲଞ୍ଚର ସହିତ), ୨.୫ କିଲୋଗ୍ରାମର ଦୁଇଟି ଆଇଇଡି, ଡିଟୋନେଟର ସହ ୨ଟି ହାତଗୁଳି, ରିମୋଟ କନଟ୍ରୋଲ ସହ ୨ କିଲୋଗ୍ରାମ୍ ଆରଡିଏକ୍ସ, ୫ ପିସ୍ତଲ, ୬ ମାଗାଜିନ୍, ୪୪ ଟି ଅଫୁଟା ଗୁଳି, ଗୋଟିଏ ଓ୍ବେୟାରଲେସ୍ ସେଟ୍ ଓ ୩ ଟି ଗାଡି ଜବତ କରିଛି।

ଡିଜିପି ଗୌରବ ଯାଦବ କହିଛନ୍ତି, ବବର ଖାଲସା ଇଣ୍ଟରନାସନାଲର ଆତଙ୍କବାଦୀ ସତନାମ ସିଂହ ଓରଫ୍ ସତ୍ତା ନୌଶେରା ଫ୍ରାନ୍ସରେ ବସି ଦେଶରେ ନିଜ ଗୋଷ୍ଠୀ ଜରିଆରେ ଆତଙ୍କୀ ଗତିବିଧିରେ ସମ୍ପୃକ୍ତ ଥିଲା। ସେ ଚାରୋଟି ଗୋଷ୍ଠୀ ଜତିନ୍ଦର ଓରଫ୍ ହନି, ଜଗଜିତ ଓରଫ ଜଗା କପୁରଥଲା, ହରପ୍ରୀତ ଓ ଜଗରୁପ ହୋଶିୟାରପୁରକୁ ଗିରଫ କରାଯାଇଛି।
ଦ୍ବିତୀୟ ମଡ୍ୟୁଲ ଗ୍ରୀସ୍ ଓ ପାକିସ୍ତାନ ସହ ଜଡିତ। ଏହି ମଡ୍ୟୁଲକୁ ଗ୍ରୀସ୍ ଓ ପାକିସ୍ତାନର ଆତଙ୍କୀ ଚଳାଉଛନ୍ତି। ଗ୍ରୀସ୍ରେ ଲୁଚିଥିବା ଜସବିନ୍ଦର ଓରଫ୍ ମନ୍ନୁ ଅଗଭାନ ପାକ୍ ଆଧାରିତ ହରବିନ୍ଦର ରିନ୍ଦା ସହ ଜଡିତ। ଏହି ମଡ୍ୟୁଲ ୯ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ତାଙ୍କ ଭିତରେ ଜଣେ ନାବାଳକ ମଧ୍ୟ ରହିଛି। ଗିରଫ ଆତଙ୍କବାଦୀଙ୍କ ଟାର୍ଗେଟରେ ପଞ୍ଜାବ ପୋଲିସ ଷ୍ଟେସନ୍ ଓ ପ୍ରମୁଖ ଲୋକ ଥିଲେ।