ରାଇଘର,୮/୧ : ରାଇଘର ଥାନା ଅଧୀନରେ ଥିବା ଭାରଣ୍ଡପାରା ନିକଟ ଭାରତ ମାଲା ରାସ୍ତାରେ ଟିପର ଦୁର୍ଘଟଣାରେ ଦୁଇ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଭାରତ ମାଲା କାମରେ ନିୟୋଜିତ ଥିବା ଟିପର ଗାଡି ଧକ୍କା ଦେଇଥିବା ସ୍ଥାନୀୟ ଲୋକେ କହୁଥିବାବେଳେ ଗାଡ଼ିଟି ଧକ୍କା ଦେଇ ଚାଲି ଯାଇଥିବାରୁ ତାହା ସ୍ପଷ୍ଟ ହୋଇପାରିନାହିଁ ।

ମୃତ ଦୁଇ ଜଣ ହେଲେ ଉଦୟପୁର ଡିଏନକେ ଗ୍ରାମର ବିଧାନ ରାୟ ଏବଂ ପରିତୋଷ ରାୟ ବୋଲି ଜଣାପଡିଛି । ଦୁହେଁ ଉମରକୋଟରୁ ବାଇକ ଯୋଗେ ନିଜ ଗ୍ରାମ ଉଦୟପୁର ଫେରୁଥିବାବେଳେ ପ୍ରାୟ ୮ଟାରୁ ସାଢେ ୮ଟା ମଧ୍ୟରେ ଏହି ଦୁର୍ଘଟଣା ହୋଇଥିଲା ପୁଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଥିବାବେଳେ ସ୍ଥାନୀୟ ଲୋକେ ଶବକୁ ଧରି ରାସ୍ତାରେ ଧାରଣା ଦେଇଥିବା ପୁଲିସ ପ୍ରକାଶ କରିଛି । ଲୋକଙ୍କ କହିବା କଥା ଗାଡ଼ି ମାଲିକ ଆସିବା ସହ କ୍ଷତିପୂରଣ ପରେ ଓହରିବେ ଧାରଣାରୁ । ପୁଲିସ ବର୍ତ୍ତମାନ ଗାଡିର ସନ୍ଧାନ ଜାରି ରଖିଥିବା ଜଣାପଡ଼ିଛି ।