ରାଉରକେଲା,୨୩/୧୧: ଦୀର୍ଘ ୧୫ବର୍ଷ ପରେ ରାଉରକେଲା ସହରବାସୀ ଇନ୍ଦିରା ଗାନ୍ଧି (ଆଇଜି)  ପାର୍କରେ ବାଘ ଦେଖିବାର ସୁଯୋଗ ପାଇବେ । ମହାରାଷ୍ଟ୍ର ପୁନେସ୍ଥିତ ରାଜୀବ ଗାନ୍ଧି ବାୟୋଲୋଜିକାଲ ଚିଡ଼ିଆଖାନାରୁ ଏଠାକୁ ଅତିଥି ହୋଇ ଆସିଛନ୍ତି  ଦୁଇଟି କଲରାପତରିଆ। ତନ୍ମଧ୍ୟରୁ  ଗୋଟିଏ ମାଈ ଓ ଅନ୍ୟଟି ଅଣ୍ଡିରା ।  

ରାଉରକେଲା ଇସ୍ପାତ କାରଖାନା  (ଆର୍‌ଏସ୍‌ପି) ଉଦ୍ୟାନ ବିଭାଗ ଦ୍ୱାରା ପରିଚାଳିତ ହେଉଛି  ଆଇଜି ପାର୍କ । ଏହି ପାର୍କରେ ଥିବା ଚିଡ଼ିଆଖାନାରେ  ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ଭାଲୁ, କୁମ୍ଭୀର, ମାଙ୍କଡ଼,  ହରିଣ, ସମ୍ବର, ଅଜଗର, ନୀଳଗାଈ, ମୟୂର, ବିଭିନ୍ନ  ପ୍ରଜାତିର ଚଢ଼େଇ ଅଛନ୍ତି । ୨୦୦୧ରେ ଏଠାରେ ଏକ  ବାଘ ଥିଲା । ରୋଗରେ ପଡ଼ି ଏହାର ମୃତ୍ୟୁ ଘଟିଥିଲା ।  ସେହିଦିନଠାରୁ ବାଘ ଏନ୍‌କ୍ଲୋଜର ଖାଲି ଥିଲା । ବାଘ ଆଣିବା  ଲାଗି ଆଇଜି ପାର୍କ କର୍ତ୍ତୃପକ୍ଷ ଅନେକ ଦିନରୁ ଉଦ୍ୟମ  ଚଳାଇଥିଲେ । କିଛି ମାସ ତଳେ ଦୁଇଟି କଲରାପତରିଆ  ଆଣିବା ଲାଗି ପୁନେସ୍ଥିତ ରାଜୀବ  ଗାନ୍ଧି ବାୟୋଲୋଜିକାଲ ଚିଡ଼ିଆଖାନା  କର୍ତ୍ତୃପକ୍ଷଙ୍କ ସହ ଆର୍‌ଏସ୍‌ପି ଅଧିକାରୀ  ଆଲୋଚନା କରିଥିଲେ । ବନ ବିଭାଗର  ଅନୁମତି ମିଳିବା ପରେ ଆରଏସ୍‌ପି  ଉଦ୍ୟାନ ବିଭାଗର ଡିଜିଏମ୍‌ ଡା. ଅଭିଜିତ  ବିଶ୍ୱାସଙ୍କ ନେତୃତ୍ୱରେ ୪ଜଣିଆ ଟିମ୍‌  ଗତ ସପ୍ତାହରେ ପୁନେ ଯାଇଥିଲେ ।  ଆବଶ୍ୟକ ପ୍ରକ୍ରିୟା ପରେ ଦୁଇଟି  କଲରାପତରିଆ ଆଇଜି ପାର୍କକୁ ଆସିଛନ୍ତି । ଦୁଇଟି ସ୍ୱତନ୍ତ୍ର ଯନ୍ତାରେ ଗତ ଗୁରୁବାର ଭୋର୍‌  ୩ଟାରେ ବାଘ ଦୁଇଟି ଏଠାରେ ପହଞ୍ଚିଥିଲେ । ମାଈ  କଲରାପତରିଆର ଆନୁମାନିକ ବୟସ ୭ ବର୍ଷ ଏବଂ  ଅଣ୍ଡିରା କଲରାପତରିଆରଟି ୮ ବର୍ଷର ହେବ । ସେମାନଙ୍କୁ  ଆଇଜି ପାର୍କ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଛି ।  ଉଦ୍ୟାନ ବିଭାଗର ସ୍ୱତନ୍ତ୍ର ଟିମ୍‌ ସେମାନଙ୍କ ଉପରେ ନଜର  ରଖିଛନ୍ତି । ୨୧ ଦିନ କ୍ୱାରେଣ୍ଟାଇନ୍‌ରେ ରହିବା ପରେ ପ୍ରାୟ  ୨ ଏକର ପରିଧିରେ ନିର୍ମିତ ଏନ୍‌କ୍ଲୋଜରରେ ସେମାନଙ୍କୁ  ଛଡ଼ାଯିବ । ପରେ ଦର୍ଶକ ବାଘଙ୍କୁ ଦେଖିପାରିବେ ।