ନୟାଗଡ,୨୯।୮ : ମହିଳାଙ୍କ ଠାରୁ ଭ୍ୟାନିଟି  ଛଡାଇ ପଳାଉଥିବା ସମୟରେ ଦୁର୍ଘଟଣାର ଶିକାର  ହେଲେ ଦୁଇ ଲୁଟେରା । ଜଣେ ଗୁରୁତର ହୋଇ  ନୟାଗଡ ମେଡିକାଲରେ ଭର୍ତ୍ତି  ହୋଇଥିବା ବେଳେ  ଅନ୍ୟ ଜଣେ ଥାନାରେ ଅଟକ ରହିଛି । ଦୁଇ ଲୁଟେରା ହେଲେ ଲାଠିପଡା ଗାଁର ଧିର ନାୟକ ଏବଂ ଭୁତଡିହି ଗାଁର ଅକୃର ନାୟକ । ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ଇଟାମାଟି ଥାନା ପଣ୍ଡୁସର ନିକଟରେ ହୋଇଛି ଘଟଣା । 

ଓଡଗାଁ ଅଞ୍ଚଳର ଲକ୍ଷ୍ମଣ ସାହୁ ଏବଂ ତାଙ୍କ ସ୍ତ୍ରୀ ଗୀତାଞଳୀ ସାହୁ ବାଇକରେ ଭୁବନେଶ୍ବରରୁ ନିଜ ଗାଁକୁ  ଆସୁଥିଲେ। ଏହି ସମୟରେ ପଣ୍ଡୁସର ଟିକଟରେ ଦୁଇ ଲୁଟେରା ବାଇକରେ ଆସି ଗିତାଞଳୀ ଧରିଥିବା ଭ୍ୟାନିଟି ଛଡାଇ ନେଇଥିଲେ । ଫଳରେ ଭାରସାମ୍ୟ ହରାଇ ଉଭୟ ସ୍ବାମୀସ୍ତ୍ରୀ ବାଇକରୁ ପଡି ଆହତ ହୋଇଛନ୍ତି । ସେପଟେ ଲୁଟେରାମାନେ ଭ୍ୟାନିଟି ନେଇ ପଳାଉଥିବା ସମୟରେ ବାଇକରୁ ପଡି ଯାଇଥିଲେ। ଏହି ସମୟରେ ସ୍ଥାନୀୟଲୋକମାନେ ଦୁଇ ଲୁଟେରାଙ୍କୁ କାବୁ କରିଥିଲେ। ସ୍ଥାନୀୟଲୋକମାନେ ଲୁଟେରାଙ୍କୁ ନିର୍ଧୂମ ମାଡ ମାରିଥିଲେ।  ସେମାନଙ୍କ ଠାରୁ ଭ୍ୟାନିଟିକୁ  ଜବତ କରି ଇଟାମାଟି ଥାନାକୁ ଖବର ଦେଇଥିଲେ । ଲୁଟେରା ଧିର ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବାବେଳେ ଅନ୍ୟ ଜଣେ ଥାନାରେ ଅଟକ ଅଛି । ଉଭୟ ଲୁଟେରାଙ୍କ ନାମରେ ପୂର୍ବରୁ ବହୁ ମାମଲା ରହିଥିବା ଜଣାପଡିଛି ।