ମାଲକାନଗିରି /ଏମଭି ୭୯, ୧୫/୧୧ : ପ୍ରେମିକାର ଜନ୍ମଦିନରେ ଆଇଫୋନ ଉପହାର ଦେବା ପାଇଁ ଦୁଇ ଯୁବକ ଟଙ୍କା ଯୋଗାଡ଼ କରି ନ ପାରି ଗଞ୍ଜେଇ ଚୋରାଚାଲାଣ କରି ଟଙ୍କା ମିଳିଲେ ପ୍ରେମିକାକୁ ଆଇଫୋନ କିଣି ଉପହାର ଦେବାକୁ ନିଷ୍ପତ୍ତି ନେଇଥିଲେ । ସେହି ଦୁଇ ଯୁବକଙ୍କୁ ଗଞ୍ଜେଇ ଚାଲାଣବେଳେ ଦେଢ ଲକ୍ଷ ଟଙ୍କାର ଗଞ୍ଜେଇ ଓ ସ୍କୁଟିକୁ ଜବତ କରି ଏମଭି ୭୯ ଥାନା ପୁଲିସ ଦୁଇ ପ୍ରେମୀ ଯୁବକଙ୍କୁ ଗିରଫ କରିଛି । ଗିରଫ ଯୁବକ ଦୁଇ ଜଣ ହେଲେ ସୀମାନ୍ତ ତେଲଙ୍ଗନା ରାଜ୍ୟ ରାମଚନ୍ଦ୍ରପୁର ଥାନା ଅଞ୍ଚଳର ଟି. ନିତିନ କୁମାର(୨୨) ଓ ତାର ବନ୍ଧୁ ଖମାମ ଥାନା ଅଞ୍ଚଳର ବି. ୟୁବ ଚରଣ ଆଦିତ୍ୟ (୧୮)।

ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ଏମଭି ୭୯ଥାନା ପୁଲିସ କାଲିମେଳା ମୋଟୁ ୩୨୬ନମ୍ବର ଜାତୀୟ ରାଜପଥ ଲାଛିପେଟା ଛକରେ ପାଟ୍ରୋଲିଂ ସମୟରେ ଏକ ସନ୍ଦେହଜନକ ଅବସ୍ଥାରେ ଆକ୍ଟିଭା ସ୍କୁଟି ଦୃତଗତିରେ ଆସୁଥିବା ସମୟରେ ତାକୁ ଅଟକାଇ ଚେକିଂ କରିଥିଲେ। ସ୍କୁଟିରେ ଏକ ଅଖାବସ୍ତାରେ ଗଞ୍ଜେଇ ଥିବା ଦେଖି ସ୍କୁଟି ଓ ଗଞ୍ଜେଇକୁ ଜବତ କରିବା ସହିତ ଦୁଇ ଜଣ ଯୁବକଙ୍କୁ ଗିରଫ କରି ଥାନାକୁ ନେଇଥିଲେ। ମାଜିଷ୍ଟ୍ରେଟ ଭାବେ ମୋଟୁ ଅତିରିକ୍ତ ତହସିଲଦାର ନାରାୟଣ ନାୟକଙ୍କ ସମ୍ମୁଖରେ ଜବତ ଗଞ୍ଜେଇ ଗୁଡିକୁ ଓଜନ କରାଯାଇଥିଲା । ମୋଟ ୨୨କେଜି ୧୦୦ ଗ୍ରାମ ଗଞ୍ଜେଇ ମିଳିଥିଲା। ଯାହାର ମୂଲ୍ୟ ବାହାର ରାଜ୍ୟରେ ପ୍ରାୟ ୧ ଲକ୍ଷ ୫୦ହଜାର ଟଙ୍କା ହେବ ବୋଲି ପୁଲିସ କହିଛି। ସେମାନେ ଗଞ୍ଜେଇକୁ ଅନ୍ୟ ରାଜ୍ୟକୁ ନେଇ ଉଚ୍ଚ ମୂଲ୍ୟରେ ବିକି ଟଙ୍କା ଯୋଗାଡ଼ କରିବା ଚେଷ୍ଟା କରୁଥିବା ତଥ୍ୟ ମିଳିଛି।

ବେରୋଜଗାରିଆ ଦୁଇ ଯୁବକ ଗାର୍ଲଫ୍ରେଣ୍ଡଙ୍କୁ ଜନ୍ମଦିନରେ ଆଇଫୋନ ଗିଫ୍ଟ ଦେବା ପାଇଁ ଟଙ୍କା ଯୋଗାଡ଼ କରିବା ନିମନ୍ତେ ଏକ ନମ୍ବରବିହୀନ ସ୍କୁଟିରେ ତେଲଙ୍ଗନାରୁ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳକୁ ଯାଇ ସେଠାରୁ ଗଞ୍ଜେଇ କ୍ରୟ କରି ତେଲଙ୍ଗାନା ରାଜ୍ୟକୁ ଚାଲାଣ କରୁଥିବାବେଳେ ସେମାନଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଦୁଇ ଯୁବକ ଟି.ନିତିନ କୁମାର ଓ ବ. ୟୁବା ଚରଣ ଆଦିତ୍ୟଙ୍କୁ ଆଜି କୋର୍ଟଚାଲାଣ କରାଯାଇଥିବା ଏମି.ଭି-୭୯ ଥାନା ଥାନା ଅଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡି ସୂଚନା ଦେଇଛନ୍ତି l