ପ୍ରମୂଖ ଖବର
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

୧୦ ଛକା, ୫୨ ବଲ୍‌ରେ ଶତକ...୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ରଚିଲେ ଇତିହାସ, ବ୍ରିଟିଶ ବୋଲରଙ୍କୁ ଧୋଇଲେ

Published By : Ankita S | July 6, 2025 10:43 AM

ନୂଆଦିଲ୍ଲୀ,୦୬/୦୭: ଛୋଟା ପ୍ୟାକେଟ୍ ବଡ଼ା ଧମାକା । ବିଧ୍ୱଂସୀ ବୈଭବ ସୂର୍ଯ୍ୟବଂଶୀ । ଇତିହାସ ରଚିଛନ୍ତି ଷ୍ଟାର ଯୁବ ବ୍ୟାଟିଂ ବିସ୍ମୟ ବୈଭବ । ୧୯ ବର୍ଷରୁ କମ୍ ଦିନିକିଆରେ ଇଂଲଣ୍ଡ ବିପକ୍ଷରେ ବିସ୍ଫୋରକ ଶତକ ହାସଲ କରିଛନ୍ତି । ୧୦ ଛକା ସହିତ ୧୪୩ରନ୍‌ର ବିସ୍ଫୋରକ ଇନିଂସ୍‌ ଖେଳିଛନ୍ତି ।

ଭାରତର ଯୁବ ବ୍ୟାଟିଂ ବିସ୍ମୟ ବୈଭବ ସୂର୍ଯ୍ୟବଂଶୀ ଦୁର୍ଦ୍ଧର୍ଷ ବ୍ୟାଟିଂ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଅଣ୍ଡର-୧୯ରେ ଇଂଲଣ୍ଡ ଯୁବ ଦଳ ବିପକ୍ଷ ଚତୁର୍ଥ ଦିନିକିଆରେ ସେ ଦ୍ରୁତତମ ଶତକ ରେକର୍ଡ଼ ସ୍ଥାପନ କରିଛନ୍ତି । ସେ ୫୨ଟି ବଲ୍‌ରେ ଶତକ ଅର୍ଜନ କରିବା ସହ ପାକିସ୍ତାନର କମରାନ୍‌ ଘୁଲାମଙ୍କ ନାମରେ ଥିବା ରେକର୍ଡ଼ ଭଙ୍ଗ କରିଛନ୍ତି । ଘୁଲାମ ୨୦୧୩ରେ ଇଂଲଣ୍ଡ ବିପକ୍ଷ ଏକ ଯୁବ ଦିନିକିଆରେ ୫୩ଟି ବଲ୍‌ରେ ଶତକ ପୂରଣ କରିଥିଲେ । 

ୱର୍ସିଷ୍ଟର ସ୍ଥିତ କାଉଣ୍ଟି ଗ୍ରାଉଣ୍ଡରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ୧୪ବର୍ଷୀୟ ବୈଭବଙ୍କ ବ୍ୟାଟ୍‌ କେବଳ ଛକା ଓ ଚୌକାରେ କଥା କହିଥିଲା । ସେ ୭୮ଟି ବଲ୍‌ରେ ୧୪୩ରନ୍‌ର ବିସ୍ଫୋରକ ଇନିଂସ୍‌ ଖେଳିଥିଲେ । ଏଥିରେ ସେ ୧୩ଚୌକା ଓ ୧୦ଟି ଛକା ମାରିଥିଲେ । ଏହି ଇନିଂସ୍‌ ସହ ବୈଭବଙ୍କ ନାମରେ ଏକାଧିକ ରେକର୍ଡ଼ ଯୋଡ଼ି ହୋଇଛି । ସେ ସର୍ବକନିଷ୍ଠ ଭାରତୀୟ ବ୍ୟାଟର ଭାବେ ଯୁବ ଦିନିକିଆ ଶତକ ଅର୍ଜନ କରିଛନ୍ତି । ପୂର୍ବରୁ ଏହି ରେକର୍ଡ଼ ସର୍ଫରାଜ ଖାନ୍‌ଙ୍କ ନାମରେ ରହିଥିଲା । ୨୦୧୩ରେ ଦକ୍ଷିଣ ଆଫ୍ରିକା ଯୁବ ଦଳ ବିପକ୍ଷ ଏକ ମ୍ୟାଚ୍‌ରେ ସେ ୧୫ବର୍ଷ ୩୩୮ ଦିନରେ ଶତକ ଅର୍ଜନ କରିଥିଲେ । ସେହିପରି ଯୁବ ଦିନିକିଆରେ ମଧ୍ୟ ବୈଭବ ସର୍ବକନିଷ୍ଠ ବ୍ୟାଟର ଭାବେ ଶତକ ରେକର୍ଡ଼ ସ୍ଥାପନ କରିଛନ୍ତି । ପୂର୍ବରୁ ବାଂଲାଦେଶର ନଜମୁଲ ହୋସେନ ସାଣ୍ଟୋଙ୍କ (୧୪ବର୍ଷ, ୨୪୧ଦିନ) ନାମରେ ଏହି ରେକର୍ଡ଼ ରହିଥିଲା ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.