ସାରଜା,୦୭/୧୨: ଭାରତୀୟ ଯୁବ କ୍ରିକେଟ୍‌ ଦଳ ନବମ ଥର ୧୯ ବର୍ଷରୁ କମ୍‌  ଏସିଆ କପ୍‌ କ୍ରିକେଟ୍‌ (ଦିନିକିଆ) ଫାଇନାଲ୍‌ରେ  ପ୍ରବେଶ କରିଛି । ଶୁକ୍ରବାର ଅନୁଷ୍ଠିତ ଦ୍ୱିତୀୟ ସେମି  ଫାଇନାଲ୍‌ରେ ଭାରତ ୭ ୱିକେଟ୍‌ରେ ଶ୍ରୀଲଙ୍କାକୁ  ପରାସ୍ତ କରିଥିଲା । ଏହି ମ୍ୟାଚ୍‌ରେ ୧୩ ବର୍ଷୀୟ  ବ୍ୟାଟିଂ ବିସ୍ମୟ ବୈଭବ ସୂର୍ଯ୍ୟବଂଶୀ ଧୂଆଁଧାର  ଅର୍ଦ୍ଧଶତକୀୟ ଇନିଂସ୍‌ ଖେଳି ଦଳକୁ ବିଜୟୀ  କରାଇଥିଲେ । ଆସନ୍ତା ୮ ତାରିଖରେ ୮ ଥର  ଚାମ୍ପିଅନ୍‌ ଭାରତ ଫାଇନାଲ୍‌ ମୁକାବିଲାରେ ବାଂଲାଦେଶକୁ ଭେଟିବ । ଅନ୍ୟ ସେମିରେ ଡିଫେଣ୍ଡିଂ ଚାମ୍ପିଅନ୍‌ ବାଂଲାଦେଶ ୭ ୱିକେଟ୍‌ରେ  ପାକିସ୍ତାନକୁ ପରାଜିତ କରିଥିଲା । 

ସାରଜା କ୍ରିକେଟ୍‌ ଷ୍ଟାଡିୟମରେ  ଖେଳାଯାଇଥିବା ମ୍ୟାଚ୍‌ରେ ଟସ୍‌ ଜିତି ଶ୍ରୀଲଙ୍କା  ବ୍ୟାଟିଂ କରି ୪୬.୨ ଓଭରରେ ସମସ୍ତ ୱିକେଟ୍‌  ହରାଇ ୧୭୩ ରନ୍‌ ସଂଗ୍ରହ କରିଥିଲା । ଦଳ  ପକ୍ଷରୁ ଏସ୍‌. ଶନମୁଗନାଥନ ୪୨, ଲକ୍‌ଭିନ  ଆବେସିଂହେ ୬୯ (୩ଚୌକା, ୨ଛକା) ରନ୍‌ କରିଥିଲେ । ଭାରତ ପକ୍ଷରୁ ଚେତନ ଶର୍ମା ୩ଟି,  କିରଣ ଚୋରମଲେ ଓ ଆୟୂଷ ମାହତ୍ରେ ପ୍ରତ୍ୟେକ  ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ । 

୧୭୪ ରନ୍‌ ଟାର୍ଗେଟର ପିଛା କରି ଭାରତ  ୨୧.୪ ଓଭର ମଧ୍ୟରେ ୩ ୱିକେଟ୍‌ ବିନିମୟରେ  ବିଜୟ ହାସଲ କରିଥିଲା । ଓପନିଂ ଯୋଡ଼ି ମାହତ୍ରେ  ଓ ସୂର୍ଯ୍ୟବଂଶୀ ୫୧ଟି ବଲ୍‌ରୁ ୯୧ରନ୍‌ ସଂଗ୍ରହ  କରିଥିଲେ । ମାହତ୍ରେ ୩୪ (୭ଚୌକା) ରନ୍‌  କରି ଆଉଟ୍‌ ହୋଇଥିଲେ । ଏହାପରେ ସି ଆନ୍ଦ୍ରେ  ସିଦ୍ଧାର୍ଥ ଅପରାଜିତ ସୂର୍ଯ୍ୟବଂଶୀଙ୍କ ସହ ମିଶି  ସ୍କୋରକୁ ୧୩୨ରେ ପହଞ୍ଚାଇଥିଲେ । ସୂର୍ଯ୍ୟବଂଶୀ  ୩୬ବଲ୍‌ରୁ ୬୭ (୬ଚୌକା, ୫ଛକା) ରନ୍‌ କରି  ପାଭିଲିୟନ ଫେରିଥିଲେ । ପରେ ପରେ ସିଦ୍ଧାର୍ଥ  (୨୨)ଙ୍କ ୱିକେଟ୍‌ର ପତନ ଘଟିଥିଲା । ମାତ୍ର  ମହମ୍ମଦ ଅମନ (୨୫) ଓ କେପି କାର୍ତ୍ତିକେୟ  (୧୧) ଅପରାଜିତ ରହି ଦଳକୁ ଫାଇନାଲ୍‌ରେ  ପହଞ୍ଚାଇଥିଲେ । 

ପାକିସ୍ତାନକୁ ହରାଇଲା ବାଂଲାଦେଶ: ପ୍ରଥମ ସେମିରେ ବାଂଲାଦେଶ ୭ ୱିକେଟ୍‌ରେ  ପାକିସ୍ତାନକୁ ପରାଜିତ କରିଥିଲା । ପାକିସ୍ତାନର ୧୧୬ରନ୍‌ ଜବାବରେ ବାଂଲାଦେଶ ୨୨.୧  ଓଭରରେ ୩ ୱିକେଟ୍‌ ହରାଇ ଆବଶ୍ୟକ  ରନ୍‌ ସଂଗ୍ରହ କରି ନେଇଥିଲା । ବିଜୟୀ ଦଳ  ପକ୍ଷରୁ ଆଜିଜୁଲ ହାକିମ୍‌ ଅପରାଜିତ ୬୧ରନ୍‌  କରିଥିବାବେଳେ ଇକ୍‌ବାଲ ହୋସେନ ଇମୋନ  ୪ ୱିକେଟ୍‌ ହାସଲ କରିଥିଲେ ।