ନୂଆଦିଲ୍ଲୀ,୦୬/୧୨: ଭାରତ ୧୯ ବର୍ଷରୁ କମ୍‌ ଏସିଆ କପ୍‌ ୨୦୨୪ର ଫଇନାଲ୍‌ରେ ପ୍ରବେଶ କରିଛି। ତେବେ ଫାଇନାଲରେ ବାଂଲାଦେଶ ବିପକ୍ଷରେ ଭାରତର ମୁକାବିଲା ହେବ। ତେବେ ୧୯ ବର୍ଷରୁ କମ୍‌ ଭାରତ ଓ ବାଂଲାଦେଶ ମଧ୍ୟରେ ଏହି ମ୍ୟାଚ୍‌ ରବିବାର ଦୁବାଇରେ ଖେଳାଯିବ। ତେବେ ଟିମ୍‌ ଇଣ୍ଡିଆ ସେମିଫାଇନାଲରେ ଶ୍ରୀଲଙ୍କାକୁ ୭ ଓ୍ବିକେଟରେ ପରାସ୍ତ କରିଛି। ଏହି ଦର୍ଶନୀୟ ମୁକାବିଲାରେ ବୈଭବ ସୂର୍ଯ୍ୟବଂଶୀ ଏକ ଦମଦାର ପ୍ରଦର୍ଶନ କରିଥିଲେ। ତାଙ୍କୁ ପ୍ଳେୟର ଅଫ୍‌ ଦ ମ୍ୟାଚ୍‌ ଚୟନ କରାଯାଇଛି। ସେପଟେ ବଂଲାଦେଶ ପାକିସ୍ତାନକୁ ହରାଇ ଫାଇନାଲରେ ନିଜ ଜାଗା ନିଶ୍ଚିତ କରିଛି।

ଶ୍ରୀଲଙ୍କା ୧୯ ବର୍ଷରୁ କମ୍‌ ଏସିଆ କପ୍ ୨୦୨୪ ର ଦ୍ୱିତୀୟ ସେମିଫାଇନାଲରେ ପ୍ରଥମେ ବ୍ୟାଟିଂ କରି ୧୭୩ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତ ମାତ୍ର ୨୧.୪ ଓଭରରେ ଏହି ମ୍ୟାଚ ଜିତିଥିଲା। ଏହି ମୁକାବିଲାରେ ବୈଭବ ୬ ବଲ୍‌ରେ ୬୭ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ସେ ୬ ଟି ଚୌକା ଓ ୫ଟି ଛକା ମାରିଥିଲେ। ବୈଭବଙ୍କ ସହ ଆୟୁଷ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ। ସେ ୩୪ ରନ୍ କରିଥିଲେ। ବର୍ତ୍ତମାନ ଟିମ୍ ଇଣ୍ଡିଆ ଫାଇନାଲରେ ପ୍ରବେଶ କରିଛି।

ଫାଇନାଲରେ ବାଂଲାଦେଶ ସହିତ ମୁହାଁମୁହିଁ:

ଟିମ୍ ଇଣ୍ଡିଆ ରବିବାର ବାଂଲାଦେଶ ବିପକ୍ଷ ଫାଇନାଲ ମ୍ୟାଚ୍ ଖେଳିବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲରେ ବାଂଲାଦେଶ ଚମତ୍କାର ପ୍ରଦର୍ଶନ କରିଥିଲା। ଦୁବାଇରେ ଖେଳାଯାଇଥିବା ମ୍ୟାଚରେ ବାଂଲାଦଳ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଦଳ ୧୧୬ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ବାଂଲାଦେଶ ୨୨.୧ ଓଭରରେ ଲକ୍ଷ୍ୟ ହାସଲ କରିଛି। ଏବେ ଦଳ ଟିମ୍ ଇଣ୍ଡିଆ ବିପକ୍ଷରେ ମଇଦାନକୁ ଓହ୍ଲାଇବ।

ବୈଭବଙ୍କ ଦମ୍‌ଦାର ପ୍ରଦର୍ଶନ:

ବୈଭବ ଭାରତ ପାଇଁ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ୧୯ ବର୍ଷରୁ କମ୍ ଏସିଆ କପ୍ ୨୦୨୪ ର ୪ ଟି ମ୍ୟାଚ୍‌ରେ ୧୬୭ ରନ୍ ସଂଗ୍ରହ କରିଛନ୍ତି। ଏହାରି ଭିତରେ ସେ ୧୨ଟି ଚୌକା ଓ ୧୨ଟି ଛକା ମାରିଥିଲେ। ବୈଭବ ମଧ୍ୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ବୈଭବ ପୂର୍ବରୁ ୟୁଏଇ ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ଅପରାଜିତ ୭୬ ରନ ସ୍କୋର କରିଥିଲେ।