ନୂଆଦିଲ୍ଲୀ,୨୫।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଉଦ୍ଧବ ଠାକରେଙ୍କୁ ଜଣେ ହାରି ଯାଇଥିବା ବ୍ୟକ୍ତି ଭାବରେ ଦେଖାଯାଉଛି। ୨୦୧୯ ବିଧାନସଭା ନିର୍ବାଚନରେ ୫୬ ବିଧାୟକଙ୍କୁ ଜିତାଇଥିବା ଉଦ୍ଧବଙ୍କ ଖାତାରେ ଏଥର ୨୦ଟି ଆସନ ଆସିଛି। ସେଭଳି ସିନ୍ଦେ ଗୋଷ୍ଠୀ ଶିବସେନାର ୫୭ ବିଧାୟକ ଜିତିଛନ୍ତି। ଏଭଳି ସ୍ଥିତିରେ ଦଳର ସିମ୍ବଲ ପୂର୍ବରୁ ହରାଇ ସାରିଥିବା ଉଦ୍ଧଙ୍କୁ ସିନ୍ଦେ ଗୋଷ୍ଠୀ ନୂଆ ଟେନସନ୍ ଦେଇଛି। ସିନ୍ଦେ ଗୋଷ୍ଠୀ ବିଧାୟକ ଭରତ ଗୋଗାଓ୍ବାଲେ କହିଛନ୍ତି, ଉଦ୍ଧବ ଠାକରେଙ୍କ ବହୁ ବିଧାୟକ ଆମ ଯୋଗାଯୋଗରେ ଅଛନ୍ତି। କୁହାଯାଉଛି ଯେ, ସିନ୍ଦେ ଗୋଷ୍ଠୀର ଏହି ଦାବି ପରେ ଉଦ୍ଧବ ସେନା ସତର୍କ ହୋଇଯାଇଛି।
ସିନ୍ଦେ ଗୋଷ୍ଠୀର ଏହି ଦାବି ପରେ ଉଦ୍ଧବ ଠାକରେ ନିଜ ବାସଭବନ ‘ମାତୋଶ୍ରୀ’ରେ ସୋମବାର ୨୦ ବିଧାୟକଙ୍କ ବୈଠକ ଡକାଇଥିଲେ। ଏହି ମିଟିଂରେ ବିଧାୟକଙ୍କୁ କୁହାଯାଇଛି ସେମାନେ ଲେଖିକି ଦିଅନ୍ତୁ ଦଳ ବଦଳାଇବେ ନାହିଁ। ଏହି ସବୁ ବିଧାୟକଙ୍କଠାରୁ ଆଫିଡେଭିଟ୍ ମଧ୍ୟ ନିଆଯାଇଛି। ଯେଉଁଥିରେ ଲେଖାଯାଇଛି ପାର୍ଟି ପ୍ରତି ସବୁବେଳେ ବିଶ୍ବସ୍ଥ ରହିବେ। ଯେଉଁ ନେତାଙ୍କୁ ମୁଖିଆ ଚୟନ କରାଯିବ ସେମାନେ ଏହାକୁ ସ୍ବୀକାର କରିବେ। ଏଥିପାଇଁ ଉଦ୍ଧବଙ୍କୁ ଅଧିକାର ଦିଆଯାଇଛି।
ବୈଠକରେ ଏହି ନିଷ୍ପତ୍ତି ମଧ୍ୟ ନିଆଯାଇଛି ଯେ, ଭାସ୍କର ଯାଦବଙ୍କୁ ବିଧାୟକ ଦଳର ନେତା ଭାବରେ ଚୟନ କରାଯାଇଛି। ଅର୍ଥାତ ଯାଦବ ବିଧାନସଭା ପାର୍ଟିର ଲିଡରସିପ୍ କରିବେ। ଏହାଛଡା ଆଦିତ୍ୟ ଠାକରେଙ୍କୁ ମଧ୍ୟ ବଡ ଦାୟିତ୍ବ ଦେଇ ତାଙ୍କୁ ବିଧାନସଭା ଓ ବିଧାନ ପରିଷଦ ଦୁଇଟିର ନେତା ଚୟନ କରାଯାଇଛି। ସେଭଳି ସିନ୍ଦେ ଗୋଷ୍ଠୀର କହିବା ଅନୁସାରେ, ଉଦ୍ଧବ ଭୟରେ ଏହି ବୈଠକ ଡକାଇଥିଲେ। ଏହା ଏଥିପାଇ ଯେ, ତାଙ୍କର ବହୁ ବିଧାୟକ ଆମ ସମ୍ପର୍କରେ ଅଛନ୍ତି। ଏହି କାରଣରୁ ସେହି ବିଧାୟକଙ୍କ ଆଫିଡେଭିଟ୍ ନିଆଯାଇଛି, ଯେପରି ମେସାନେ ଛାଡିକି ନଯାଇ ପାରନ୍ତି।