ଭୁବନେଶ୍ୱର,୧୫/୧୦: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ  (ୟୁଜିସି)କୁ ଏବେ ନିଶାମୁକ୍ତ କ୍ୟାମ୍ପସ  ଚିନ୍ତା ଘାରିଛି । ନିୟମିତ ବ୍ୟବଧାନରେ  ଶିକ୍ଷାନୁଷ୍ଠାନ କ୍ୟାମ୍ପସକୁ ନିଶାମୁକ୍ତ  କରିବା ପାଇଁ ଚିଠି କରାଯାଇଛି । ବିଶେଷ  କରି ଗ୍ଲୋବାଲ ୟୁଥ୍‌ ଟବାକୋ ସର୍ଭେ  (ଜିୱାଇଟିଏସ୍‌) ୨୦୧୯ ରିପୋର୍ଟ  ୟୁଜିସିର ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।  ଦେଶରେ ପ୍ରତିବର୍ଷ ସାଢ଼େ ୫ ହଜାର  ନୂଆ ପିଲା ନିଶା ସେବନ ଆରମ୍ଭ କରୁଛନ୍ତି । ଏପରିକି ୫୫ ପ୍ରତିଶତ ୨୦  ବର୍ଷରୁ କମ୍‌ ବର୍ଗର ପିଲାମାନେ ନିଶା  ସହ ଅଭ୍ୟସ୍ତ ଅଛନ୍ତି । କେବଳ ଏତିକି  ନୁହେଁ ୮.୫ ପ୍ରତିଶତ ସ୍କୁଲ ପିଲା  ନିୟମିତ ଭାବେ ନିଶା ସେବନ କରୁଛନ୍ତି ।  ଯାହାକୁ ନେଇ ଏବେ ଚିନ୍ତାରେ ୟୁଜିସି ।  କିଭଳି ଭାବେ ସମସ୍ତ ଶିକ୍ଷାନୁଷ୍ଠାନକୁ  ନିଶା ମୁକ୍ତ କରାଯିବ ସେନେଇ ଅଭିଯାନ  ଆରମ୍ଭ କରିବାକୁ କୁହାଯାଇଛି । ଏନେଇ  ସ୍ୱତନ୍ତ୍ର ମାର୍ଗଦର୍ଶିକା ମଧ୍ୟ ଜାରି ହୋଇଛି।  ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତି ଏବଂ  କଲେଜ ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି । 

ୟୁଜିସି ପକ୍ଷରୁ ଜାରି ହୋଇଥିବା  ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି  ଯେ ଜିୱାଇଟିଏସ୍‌ ୨୦୧୯ ରିପୋର୍ଟରେ  ଦର୍ଶାଯାଇଛି ୧୩ରୁ ୧୫ ବର୍ଷ ବୟସର  ୮.୫ ପ୍ରତିଶତ ସ୍କୁଲ ପିଲା ନିଶା ସେବନ  କରୁଛନ୍ତି । ପ୍ରତିବର୍ଷ ସାଢ଼େ ୫ହଜାର  ପିଲା ନିଶା କବଳରେ ପଡ଼ୁଛନ୍ତି ।  କେବଳ ଏତିକି ନୁହେଁ, ଗ୍ଲୋବାଲ ଆଡଲ୍ଟ  ଟବାକୋ ସର୍ଭେ (ଜିଏଟିଏସ୍‌) ଦର୍ଶାଉଛି,  ୨୦ରୁ କମ୍‌ ବୟସ ବର୍ଗର ପିଲାମାନେ  ବହୁ ଦିନ ଧରି ନିଶାସେବନ କରୁଛନ୍ତି ।  

ଏପରିକି ଇଲେକ୍ଟ୍ରୋନିକ୍ସ ସିଗାରେଟ୍‌  ସହ ଜଡ଼ିତ ହେଉଛନ୍ତି । ଯାହା ସ୍ୱାସ୍ଥ୍ୟ  ପ୍ରତି ବିପଦ ସୃଷ୍ଟି କରୁଛି । ଡିଏନ୍‌ଏ  ନଷ୍ଟ କରୁଛି । କ୍ୟାନସର ସୃଷ୍ଟି କରୁଛି ।  ବିଭିନ୍ନ ଶ୍ୱାସ ରୋଗ, ହୃଦ୍‌ରୋଗ, ସ୍ନାୟୁ  ରୋଗ ଭଳି ବିଭିନ୍ନ ସାଂଘାତିକ ରୋଗରେ  ପଡ଼ୁଛନ୍ତି । ଏପରିକି ଭବିଷ୍ୟତରେ ପିଲା  ଜନ୍ମ କରିବାରେ ସମସ୍ୟା ଉପୁଜିବାର  ସମ୍ଭାବନା ମଧ୍ୟ ରହିଛି । ଏଭଳି ଭୟଙ୍କର  ସ୍ଥିତିକୁ ମୁକାବିଲା କରିବାକୁ ହେଲେ  ଏବେଠୁ ଶିକ୍ଷକ ଏବଂ ଅଭିଭାବକମାନେ  ସଚେତନ ହେବାକୁ ପଡ଼ିବ । ଯୁବପିଢ଼ିଙ୍କୁ  ଏଭଳି ଖରାପ ଅଭ୍ୟାସରୁ ନିବୃତ୍ତ ରଖିବା ପାଇଁ ସଚେତନ କରିବାକୁ ପଡ଼ିବ ।  ତେଣୁ ଏହି ପ୍ରକ୍ରିୟା ଶିକ୍ଷାନୁଷ୍ଠାନରେ  ଆରମ୍ଭ ହେବା ଆବଶ୍ୟକ ବୋଲି ୟୁଜିସି  କହିଛି । 

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ  ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା  ମାର୍ଗଦର୍ଶିକା ଅନୁଯାୟୀ, ନିଶାମୁକ୍ତ  ଶିକ୍ଷାନୁଷ୍ଠାନ କ୍ୟାମ୍ପସ ଗଠନରେ ସମସ୍ତଙ୍କ ସହଯୋଗ କାମନା କରିଛି ୟୁଜିସି ।  ପିଲାଙ୍କ ମଧ୍ୟରେ ସଚେତନା ସୃଷ୍ଟି କରିବା  ଲାଗି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ  କରିବାକୁ କୁହାଯାଇଛି ।  

ଶିକ୍ଷାନୁଷ୍ଠାନ ଆଖପାଖରେ ନିଶା  ଦ୍ରବ୍ୟ ବିକ୍ରୟ ନିଷେଧକୁ କଡ଼ାକଡ଼ି  କକରାଯିବ । ଆଇନଗତ କାର୍ଯ୍ୟାନୁଷ୍ଠାନ  ନେବାକୁ ମଧ୍ୟ କୁହାଯାଇଛି । କ୍ୟାମ୍ପସକୁ  ଯେପରି କୌଣସି ନିଶାଦ୍ରବ୍ୟ ପ୍ରବେଶ  ନକରେ ସେଥିଲାଗି ଧ୍ୟାନ ଦେବାକୁ  କୁହାଯାଇଛି । ଏହାକୁ ସୁନିଶ୍ଚିତ କରିବା  ଲାଗି ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ  ନିର୍ଦ୍ଦେଶ ଦିଆଯାଇଛି ।