ଭୁବନେଶ୍ୱର,୧୯/୦୪: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ  (ୟୁଜିସି) ନେଟ୍‌ ଜୁନ୍‌ ୨୦୨୫ ପାଇଁ ଅନ୍‌ଲାଇନ୍‌ ଆବେଦନ ଆରମ୍ଭ  ହୋଇଛି । ଆସନ୍ତା ମେ ୭ ତାରିଖ ଯାଏ ଆବେଦନ  ପ୍ରକ୍ରିୟା ଚାଲିବ । ୮ ତାରିଖ ସୁଦ୍ଧା ଆବେଦନ ଫି  ଦାଖଲ କରିବାକୁ କୁହାଯାଇଛି । ମେ ୯ରୁ ୧୦ ତାରିଖ  ମଧ୍ୟରେ ଫର୍ମ ସଂଶୋଧନର ସୁଯୋଗ ମିଳିବ । ଆସନ୍ତା ଜୁନ୍‌ ୨୧ରୁ  ଜୁନ୍‌ ୩୦ ମଧ୍ୟରେ ପରୀକ୍ଷା କରିବାକୁ ଲକ୍ଷ୍ୟ ରଖାଯାଇଛି । ଏନେଇ  ଜାତୀୟ ପରୀକ୍ଷା ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ସୂଚନା ଦିଆଯାଇଛି । 

କଲେଜ ଓ ବିଶ୍ୱବିଦ୍ୟାଳୟରେ ଜୁନିଅର ରିସର୍ଚ୍ଚ ଫେଲୋସିପ୍‌,  ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ଓ ପିଏଚ୍‌ଡି ନାମଲେଖା ପାଇଁ ୟୁଜିସି  ନେଟ୍‌ ପରୀକ୍ଷା ଆବଶ୍ୟକ । ସାଧାରଣ ବର୍ଗର ପ୍ରାର୍ଥୀଙ୍କ  ପାଇଁ ୧୧୫୦ ଟଙ୍କା, ସାଧାରଣ ବର୍ଗ (ଆର୍ଥିକ ଅନଗ୍ରସର  ଶ୍ରେଣୀ)/ଓବିସି/ ଏନ୍‌ସିଏଲ୍‌ ପ୍ରାର୍ଥୀଙ୍କ ପାଇଁ ୬୦୦  ଟଙ୍କା, ଏସ୍‌ସି, ଏସ୍‌ଟି, ତୃତୀୟ ଲିଙ୍ଗି ବର୍ଗ ପ୍ରାର୍ଥୀଙ୍କ ପାଇଁ ୩୨୫  ଟଙ୍କା ଆବେଦନ ଫି ରହିଛି । ପ୍ରାର୍ଥୀମାନେ ମୋବାଇଲ୍‌ ନମ୍ବର,  ଇ-ମେଲ୍‌ ଆଇଡିକୁ ଠିକ୍‌ ଭାବେ ପ୍ରଦାନ କରିବାକୁ କୁହାଯାଇଛି ।