ନୂଆଦିଲ୍ଲୀ ୧୮/୦୫: ସେ ଦିନ ଆଉ ବେଶି ଦୂର ନୁହେଁ, ଯେଉଁଠି କାରଖାନାରେ ମଣିଷଠୁ ଅଧିକ ମାନବ ରୋବୋଙ୍କୁ କାମ କରୁଥିବା ଦେଖିବାକୁ ମିଳିବ । ନିକଟରେ ବ୍ରିଟେନର ରୋବୋଟିକ୍ସ କମ୍ପାନି ହ୍ୟୁମାନଏଡ୍ ଜର୍ମାନ ଅଟୋମୋଟିଭ ସପ୍ଲାୟର ଶେଫଲର୍ ସହ ଏକ ବଡ଼ ଚୁକ୍ତି କରିଛି । ଏହା ଅନୁସାରେ, ବିଶ୍ୱରେ ଥିବା ନିର୍ମାଣ କାରଖାନାଗୁଡ଼ିକରେ ଚକଯୁକ୍ତ ହଜାର ହଜାର ମାନବ ରୋବୋଙ୍କୁ କାମରେ ନିଯୁକ୍ତ କରାଯିବ । ସର୍ବପ୍ରଥମେ ଚଳିତ ବର୍ଷ ଶେଷ ବେଳକୁ ଜର୍ମାନୀରେ ଶେଫଲର୍‌ର ଦୁଇଟି ସ୍ଥାନରେ ଏହି ରୋବୋ କାମ ଆରମ୍ଭ କରିବେ ।

ଏହିଭଳି ଭାବେ ୨୦୨୭ ସୁଦ୍ଧା ଭିନ୍ନ ଭିନ୍ନ ସ୍ଥାନରେ ଚକଯୁକ୍ତ ମାନବ ରୋବୋକୁ କାମ ଦିଆଯିବ । ଚୁକ୍ତିର ଉଦ୍ଦେଶ୍ୟ ୨୦୩୨ ସୁଦ୍ଧା କାରଖାନାରେ ହଜାର ହଜାର ଚକଯୁକ୍ତ ରୋବୋ ମୁତୟନ କରିବା । ଶେଫଲର୍‌ର ହର୍ଜୋଗେନୌରାଚ କାରଖାନାରେ ଏହି ମାନବ ରୋବୋ ଉତ୍ପାଦନ ସମୟରେ ବାକ୍ସ ଉଠାଇବା-ରଖିବା କାମ କରିବେ । ଅନ୍ୟପକ୍ଷେ, ବ୍ୟାପକ ସ୍ତରରେ ଔଦ୍ୟୋଗିକ ଉପଯୋଗ ନିମନ୍ତେ ପୂର୍ଣ୍ଣ ଯାଞ୍ଚକୁ ସୁନିଶ୍ଚିତ କରିବା ପାଇଁ ଶ୍ୱେନଫର୍ଟରେ ଏହି ସିଷ୍ଟମ୍‌ର ପରୀକ୍ଷଣ ହେବ । ସୂଚନାଯୋଗ୍ୟ, ଗତ ଫେବ୍ରୁଆରୀରେ ହ୍ୟୁମାନଏଡ୍ ୧୯ ମିନିଟ୍‌ର ଏକ ଡକ୍ୟୁମେଣ୍ଟାରୀ ଜାରି କରିଥିଲା । କମ୍ପାନି କେତେ ଦ୍ରୁତ ବେଗରେ ମାନବ ରୋବୋ ନିର୍ମାଣ କରୁଛି, ଏଥିରେ ତାହା ଦେଖାଇଥିଲା ।

ହ୍ୟୁମାନଏଡ୍ ଓ ଶେଫଲର୍ ମଧ୍ୟରେ ହୋଇଥିବା ଚୁକ୍ତିରେ ଗୋଟିଏ ପରେ ଗୋଟିଏ ସୋପାନରେ ମାନବ ରୋବୋଙ୍କୁ କାମରେ ଲଗାଯିବା ସମ୍ପର୍କରେ ଆଲୋଚନା ହୋଇଛି । ଶ୍ୱେନଫର୍ଟରେ କାମ ଆରମ୍ଭରୁ ୩ ମାସର ପରୀକ୍ଷଣ ହେବ । ପୂର୍ଣ୍ଣ ସ୍ଥିରତା ଓ କ୍ଷମତା ସହିତ ରୋବୋ କିଭଳି କାର୍ଯ୍ୟ କରିବେ, ସେଥିପାଇଁ ପରବର୍ତ୍ତୀ ୩ ମାସ ଧରି ତା’ର ଯାଞ୍ଚ ହେବ । ରୋବୋ-ଆଜ୍-ଏ-ସର୍ଭିସ ମଡେଲ ରୂପେ ଏହି ଚୁକ୍ତି ହୋଇଛି । ଏଥିରେ ରୋବୋର ଯୋଗାଣ, ଫ୍ଲିଟ୍ ମ୍ୟାନେଜ୍‌ମେଣ୍ଟ କନେକ୍ଟିଭିଟି, ରକ୍ଷଣାବେକ୍ଷଣ, ସଫ୍ଟୱେର ଅପ୍‌ଡେଟ, ୨୪ ଘଣ୍ଟା ପ୍ରଯୁକ୍ତି ସହାୟତା ଏବଂ ନିରନ୍ତର ପରିଚାଳନାଗତ ପ୍ରବନ୍ଧନର ଦାୟିତ୍ୱ ହ୍ୟୁମାନଏଡ୍‌ର ହେବ ।

ଆହୁରି ପଢ଼ନ୍ତୁ...Terrorist Mission: ଲସ୍କର ଆତଙ୍କୀର ବଦଳିଲା ମିଶନ: ଆକ୍ରମଣ ପାଇଁ ଆସିଥିଲା, କାଶ୍ମୀରରେ କେଶ ପ୍ରତିରୋପଣ କଲା