ନୂଆଦିଲ୍ଲୀ, ୧୫।୭: ମୋବାଇଲ୍‌ ନିଶା ଛଡ଼ାଇବେ ସରକାର । ସ୍ମାର୍ଟଫୋନରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିନା କାରଣରେ ରିଲ୍ସ ଏବଂ ଭିଡିଓ ସ୍କ୍ରୋଲ୍ କରିବା ବା 'ଡୁମ୍‌ସ୍କ୍ରୋଲିଂ' ଅଭ୍ୟାସରୁ ପିଲାମାନଙ୍କୁ ରକ୍ଷା କରିବା ପାଇଁ ବ୍ରିଟେନ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । ୧୬ ଏବଂ ୧୭ ବର୍ଷର କିଶୋର-କିଶୋରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ସ ଉପରେ ରାତିରେ ଏକ ଡିଫଲ୍ଟ କର୍ଫ୍ୟୁ ଲଗାଇବାକୁ ବ୍ରିଟେନ ସରକାର ଯୋଜନା କରିଛନ୍ତି । ରିପୋର୍ଟ ଅନୁଯାୟୀ, ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କିଶୋରମାନଙ୍କ ଶୋଇବା ସମୟକୁ ଠିକ୍ କରିବା, ସ୍କୁଲ-କଲେଜରେ ସେମାନଙ୍କର ଏକାଗ୍ରତା ବଢ଼ାଇବା ଏବଂ ସେମାନଙ୍କୁ ରାତିସାରା ସ୍କ୍ରିନ୍‌ଠାରୁ ଦୂରେଇ ରଖିବା ।

ଏହା ବି ପଢ଼ନ୍ତୁ... US Russia Sanctions Bill: ରୁଷ ତେଲ ଉପରୁ ପ୍ରତିବନ୍ଧକ କୋହଳ କଲା ଆମେରିକା ! ୫୦୦% ବଦଳରେ ଏବେ ଲାଗିବ ୧୦୦% ଶୁଳ୍କ

ରାତି ୧୨ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ରହିବ ବନ୍ଦ: 

ବ୍ରିଟେନର ନୂଆ ନିୟମ ଅନୁଯାୟୀ, ୧୬ ଏବଂ ୧୭ ବର୍ଷର ଉପଭୋକ୍ତାମାନଙ୍କ ପାଇଁ ରାତି ୧୨ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ସୋସିଆଲ ମିଡିଆ ଆପ୍ସର ଆକ୍ସେସ୍ ଆପେ ଆପେ ବ୍ଲକ୍ ହୋଇଯିବ । ତେବେ ଉପଭୋକ୍ତାମାନଙ୍କ ପାଖରେ ଏହି ଡିଫଲ୍ଟ ସେଟିଂକୁ ବଦଳାଇବାର ବିକଳ୍ପ ରହିବ । ଏହା ସହିତ, ସୋସିଆଲ ମିଡିଆ କମ୍ପାନୀଗୁଡ଼ିକୁ 'ଅଟୋପ୍ଲେ ଭିଡିଓ' ଭଳି ଫିଚର୍ସକୁ ମଧ୍ୟ ଡିଫଲ୍ଟ ରୂପେ ବନ୍ଦ କରିବାକୁ ହେବ, ଯାହା ଯୁବପିଢ଼ିଙ୍କୁ କ୍ରମାଗତ ଭାବରେ ଭିଡିଓ ଦେଖିବା ପାଇଁ ବାଧ୍ୟ କରିଥାଏ । ବ୍ରିଟେନର ଟେକ୍ନୋଲୋଜି ମିନିଷ୍ଟର ଲିଜ୍ କେଣ୍ଡଲଙ୍କ କହିବାନୁସାରେ, ଏହି ପଦକ୍ଷେପ ଯୁବପିଢ଼ିଙ୍କୁ ପର୍ଯ୍ୟାପ୍ତ ନିଦ୍ରା ନେବାରେ, ପାଠପଢ଼ାରେ ମନୋନିବେଶ କରିବାରେ ଏବଂ ପରିବାର ଓ ସାଙ୍ଗସାଥୀଙ୍କ ସହ କ୍ୱାଲିଟି ଟାଇମ୍ ବିତାଇବାରେ ବେଶ୍ ସହାୟକ ହେବ ।

୨୦୨୭ରୁ ଲାଗୁ ହୋଇପାରେ ନିୟମ: 

ସରକାରଙ୍କ ବିଶ୍ୱାସ ଯେ, ଏହି ପଦକ୍ଷେପ ଦ୍ୱାରା ୧୬ ବର୍ଷ ହେବା ମାତ୍ରେ ହଠାତ୍ ମିଳୁଥିବା ଅନଲାଇନ୍ ସ୍ୱାଧୀନତାର କୁପ୍ରଭାବରୁ ପିଲାମାନଙ୍କୁ ରକ୍ଷା କରାଯାଇପାରିବ । ଚଳିତ ବର୍ଷ ଶେଷ ସୁଦ୍ଧା ଏହି ନିୟମକୁ ସଂସଦରେ ଉପସ୍ଥାପନ କରାଯିବ ଏବଂ ମଞ୍ଜୁରୀ ମିଳିବା ପରେ ଏହାକୁ ୨୦୨୭ରୁ ଲାଗୁ କରାଯାଇପାରେ । ଏହା ପୂର୍ବରୁ ବ୍ରିଟେନରେ କିଶୋରମାନଙ୍କ ଉପରେ ଏକ ଟ୍ରାଏଲ୍ କରାଯାଇଥିଲା, ଯେଉଁଥିରେ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇବା ପରେ ସେମାନଙ୍କର ଫୋକସ୍, ନିଦ ଏବଂ ମାନସିକ ସ୍ୱାସ୍ଥ୍ୟରେ ଅନେକ ସୁଧାର ଦେଖିବାକୁ ମିଳିଥିଲା ।

ପିଲାମାନଙ୍କୁ ସୋସିଆଲ ମିଡିଆର ଏହି ବିପଜ୍ଜନକ ନିଶାରୁ ରକ୍ଷା କରିବା ପାଇଁ ବିଶ୍ୱର ଅନେକ ଦେଶ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଅଷ୍ଟ୍ରେଲିଆ ୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡିଆକୁ ସମ୍ପୂର୍ଣ୍ଣ ବ୍ୟାନ୍ କରିଛି। ଇଣ୍ଡୋନେସିଆ ଓ ମାଲେସିଆ ନାବାଳକମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ଲକ୍ କରିବାକୁ ଚଳିତ ବର୍ଷ କଡ଼ା ଆଇନ ଆଣିଛନ୍ତି । ୟୁରୋପୀୟ ୟୁନିଅନ ୧୩ରୁ ୧୫ ବର୍ଷର ପିଲାଙ୍କ ପାଇଁ କିଛି ସ୍ୱତନ୍ତ୍ର କଟକଣା ଲଗାଇବାକୁ ପ୍ରସ୍ତୁତି ଚଳାଇଛି । ଆମେରିକା ଯୁବପିଢ଼ିଙ୍କ ମାନସିକ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଉଥିବା ଅଭିଯୋଗରେ ଗୁଗଲ୍ ଏବଂ ଟିକଟକ୍ ଭଳି ବଡ଼ କମ୍ପାନୀଗୁଡ଼ିକ ବିରୋଧରେ ଆଇନଗତ ମାମଲା ଚାଲିଛି । ତେବେ ଅଷ୍ଟ୍ରେଲିଆ ଭଳି ଦେଶର ଉଦାହରଣରୁ ଜଣାପଡ଼ିଛି ଯେ, ଏଭଳି ପ୍ରତିବନ୍ଧକ ଲାଗୁ କରିବା ଏକ ବଡ଼ ଚ୍ୟାଲେଞ୍ଜ, କାରଣ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକ ଉପଭୋକ୍ତାମାନଙ୍କର ପ୍ରକୃତ ବୟସ ଚିହ୍ନଟ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।