• ନୂଆ ବର୍ଷ ପୂର୍ବରୁ ୟୁକ୍ରେନର ବଡ଼ ଅପଡେଟ୍‌

  • ଜେଲେନସ୍କି କହିଲେ ଯୁଦ୍ଧ ରୋକିବାକୁ ନୂଆ ନିଷ୍ପତ୍ତି ହୋଇପାରେ 

  • କିଭ୍‌-ୱାଶିଂଟନ ମଧ୍ୟରେ କଥାବାର୍ତ୍ତା ଜାରି ରହିଛି

କିଭ୍ : ଗତ ଚାରି ବର୍ଷରୁ ଜାରି ରୁଷ୍-ୟୁକ୍ରେନ ଯୁଦ୍ଧ ଥମିବା ନେଇ ପୁଣି ଥରେ ଆଶା ସଞ୍ଚାର ହୋଇଛି। ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଯୁଦ୍ଧ ବନ୍ଦ କରିବାକୁ ନେଇ ଚାଲି ଥିବା ଆଲୋଚନା ମଧ୍ୟରେ ଶୁକ୍ରବାର ବଡ଼ ଅପଡେଟ୍ ଦେଇଛନ୍ତି। ସେ କହିଛନ୍ତି ଯେ, ନୂଆ ବର୍ଷ ପୂର୍ବରୁ ଏହା ଉପରେ ପ୍ରମୁଖ ନିଷ୍ପତ୍ତି ନିଆଯାଇ ପାରେ। ଏହାସହ ସେ କହିଛନ୍ତି ଯେ, ସେ ନୂଆ ବର୍ଷ ଆରମ୍ଭ ହେବା ପୂର୍ବରୁ ହିଁ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବାକୁ ଯାଉଛନ୍ତି, ଯାହାକି ଯୁଦ୍ଧ ବନ୍ଦ କରିବା ଦିଗରେ ପ୍ରମୁଖ ଓ ନିର୍ଣ୍ଣାୟକ ପଦକ୍ଷେପ ନିଆଯାଇ ପାରିବ। ସେ କହିଛନ୍ତି ଯେ, ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ନିକଟ ଭବିଷ୍ୟତରରେ ସାକ୍ଷାତ୍ ଉପରେ ସହମତି ପ୍ରକାଶ କରିଛନ୍ତି। ସେ ସଙ୍କେତ ଦେଇଛନ୍ତି ଯେ, ନୂଆ ବର୍ଷ ପୂର୍ବରୁ ଅନେକ ପ୍ରମୁଖ ନିଷ୍ପତ୍ତି ନିଆଯାଇ ପାରେ , କାରଣ ରୁଷ-ୟୁକ୍ରେନ୍ ଯୁଦ୍ଧକୁ ବନ୍ଦ କରିବା ପାଇଁ କୂଟନୀତିକ ପ୍ରୟାସ ଦ୍ରୁତତର ହୋଇଛି।

ଜେଲେନସ୍କି ସୋସିଆଲ ମିଡ଼ିଆରେ ଲେଖିଛନ୍ତି ,ନୂଆ ବର୍ଷ ପୂର୍ବରୁ ବହୁତ କିଛି ସ୍ଥିର ହୋଇ ପାରେ। ଆମେ ଗୋଟିଏ ବି ଦିନ ନଷ୍ଟ କରୁ ନାହୁଁ। ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଉଚ୍ଚ ସ୍ତରୀୟ ବୈଠକରେ ସହମତି ପ୍ରକାଶ କରାଯାଇଛି। ୟୁକ୍ରେନୀ ରାଷ୍ଟ୍ରପତିଙ୍କ ପକ୍ଷରୁ ଏହି ଘୋଷଣା କିଭ୍ ଓ ୱାଶିଂଟନ ମଧ୍ୟରେ ସପ୍ତାହ ଧରି ଚାଲୁଥିବା କଥାବାର୍ତ୍ତା ପରେ ହୋଇଛି,ଯେଉଁଥିରେ ସଦ୍ୟ ଆଲୋଚନା ମଧ୍ୟ ସାମିଲ ଅଛି, ଯାହାର ଫଳସ୍ୱରୂପ ୨୦-ସୂତ୍ରୀୟ ଶାନ୍ତି ପ୍ରସ୍ତାବର ଡ୍ରାଫ୍ ପ୍ରସ୍ତୁତ କରାଯାଇଛି। ଏହି ଡ୍ରାଫ ମସ୍କୋ ସହ ମଧ୍ୟ ସେୟାର କରାଯାଇଛି।

କହି ରଖୁଛୁ ଯେ, ଗତ କିଛି ସପ୍ତାହରୁ କିଭ୍ ଓ ୱାଂଶିଟନ ମଧ୍ୟରେ ଲଗାତାର କଥାବାର୍ତ୍ତା ଜାରି ରହିଛି। ଏହି ସବୁ ବୈଠକ ପରେ ଏକ ୨୦ ସୂତ୍ରୀୟ ଶାନ୍ତି ପ୍ରସ୍ତାବ ପ୍ରସ୍ତୁତ କରାଯାଇଛି, ଯାହାକୁ ରୁଷ୍‌କୁ ମଧ୍ୟ ପଠାଯାଇଛି। ଜେଲେନସ୍କି ଆମେରିକୀୟ ଦୂତ ଷ୍ଟିଭ୍ ୱିଟକଫ୍ ଓ ଜାର୍ଡ କୁଶନରଙ୍କ ସହ ହୋଇଥିବା ଆଲୋଚନାକୁ ସକାରାତ୍ମକ କହିଛନ୍ତି। ସେ କହିଛନ୍ତି ଯେ, ପ୍ରସ୍ତାବ ସହ ଜଡ଼ିତ ଅନେକ କାଗଜପତ୍ର ପାଖାପାଖି ପ୍ରସ୍ତୁତ , ହେଲେ କିଛି ସମ୍ୱେଦନଶୀଳ ପ୍ରସଙ୍ଗରେ ଏବେ କାମ ବାକି ଅଛି। ଏମିତି ସ୍ଥିତିରେ ଜେଲେନସ୍କିଙ୍କ ଟିପ୍ପଣୀ ଗ୍ରାଉଣ୍ଡରେ ଜାରି ଲଢେଇକୁ ଗତିଶୀଳ କରିବାରେ ୟୁକ୍ରେନର ପ୍ରୟାସକୁ ରେଖାଙ୍କିତ କରିଥାଏ।

 

ନୂଆ ଶାନ୍ତି ପ୍ରସ୍ତାବ ପୂର୍ବର ପ୍ରସ୍ତାବ ଠାରୁ ଅଲଗା। ଏଥିରେ ୟୁକ୍ରେନକୁ ନିଜର କ୍ଷେତ୍ର ଛାଡିବାକୁ କୁହାଯାଇନି କି ତାକୁ ନାଟୋରେ ସାମିଲରେ ହେବାର ଇଚ୍ଛାକୁ ଛାଡ଼ିବାକୁ ସର୍ତ୍ତ ରଖାଯାଇଛି। ହେଲେ , ପ୍ରସ୍ତାବରେ ଭବିଷ୍ୟତରେ ରୁଷ୍‌ର ହମଲାକୁ ରୋକିବା ପାଇଁ ସୁରକ୍ଷା ଗ୍ୟାରେଣ୍ଟି , ଯୁକ୍ରେନର ପୁନର୍ନିର୍ମାଣରେ ସାହାଯ୍ୟ ଓ ବର୍ତ୍ତମାନର ପ୍ରସଙ୍ଗରେ ଯୁଦ୍ଧ ରୋକିବା ଭଳି ପଏଣ୍ଟ ସାମିଲ ଅଛି। ଏହି ଯୋଜନା ଅନୁସାରେ ରୁଷ୍କୁ ଖାରକିଭ୍ ଓ ମାୟକୋଲାଇଭ୍ ଭଳି ଅଞ୍ଚଳରୁ ପଛକୁ ହଟିବାକୁ ହେବ। ଏହା ବଦଳରେ ୟୁକ୍ରେନ ଡୋନେଟସ୍କର କିଛି ଭାଗରେ ଏକ ଅଣ ସାମାରିକ କ୍ଷେତ୍ର (ଡିମିଲିଟ୍ରାଇଜଡ୍ ଜୋନ୍) ଗଠନ କରିବା ଉପରେ ସହମତି ହୋଇପାରେ, ଯଦି ରୁଷ୍ ସମାନ ପଦକ୍ଷେପ ନିଏ।

 

ହେଲେ ରୁଷ୍ ଏବେ ସୁଦ୍ଧା ନରମ ସଙ୍କେତ ଦେଇ ନାହିଁ। କ୍ରେମଲିନ୍ କହିଛି ଯେ, ସେ ପ୍ରସ୍ତାବ ଗୁଡ଼ିର ବିଶ୍ଳେଷଣ କରୁଛି , କିନ୍ତୁ ଏହାର ବିଷୟବସ୍ତୁ ଉପରେ ଟିପ୍ପଣୀ ଦେବାକୁ ମନା କରିଦେଇଛି। ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୋହରାଇ ସାରିଛନ୍ତି ଯେ, ୟୁକ୍ରେନକୁ ଡୋନେଟସ୍କ ଓ ଲୁହାଂସ୍କରୁ ହଟାଇବାକୁ ହେବ ଏବଂ ନାଟୋରେ ସାମିଲ ହେବାର ଯୋଜନା ଛାଡ଼ିବାକୁ ହେବ।