ନୂଆଦିଲ୍ଲୀ : ୟୁକ୍ରେନ ଏହାର ନୂତନ ଦୂରଗାମୀ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ ଦ୍ବାରା ରୁଷର ତୈଳ ଭିତ୍ତିଭୂମି ଗୁଡ଼ିକୁ ଟାର୍ଗେଟ କରୁଛି, ଯାହା ଫଳରେ ରୁଷରେ ଗ୍ୟାସର ଗମ୍ଭୀର ଅଭାବ ଦେଖାଦେଇଛି। ଏହି ସମୟରେ ୟୁକ୍ରେନ ଡୋନେଟସ୍କ ଅଞ୍ଚଳର ପୂର୍ବ ଅଂଶ ଦଖଲ କରିବା ପାଇଁ ରୁଷର ପ୍ରତିଆକ୍ରମଣ ଯୋଜନାକୁ ପଣ୍ଡ କରିଦେଇଛି। ୟୁକ୍ରେନ ରାଷ୍ଟ୍ରପତି ଭେଲୋଡିମିର ଜେଲେନସ୍କି ଏ ନେଇ ସୂଚନା ଦେଇଛନ୍ତି ।

ଜେଲେନସ୍କି କହିଛନ୍ତି ଯେ, ୟୁକ୍ରେନର ନୂତନ ପଲିଆନିତ୍ସ୍ୟା କ୍ଷେପଣାସ୍ତ୍ର ରୁଷର ଡଜନ ଡଜନ ସାମରିକ ଡିପୋକୁ ଟାର୍ଗେଟ କରିଛି। ଏହା ବ୍ୟତୀତ, "ରୁଟା" ଡ୍ରୋନ ସମ୍ପ୍ରତି ୨୫୦ କିଲୋମିଟରରୁ ଅଧିକ ଦୂରରେ ଅବସ୍ଥିତ ରୁଷର ଏକ ଅଫଶୋର ତୈଳ ଭିତ୍ତିଭୂମିକୁ ଟାର୍ଗେଟ କରି ଧ୍ବଂସ କରିଛି । ଜେଲେନସ୍କି ଏହି ନୂତନ ଅସ୍ତ୍ରକୁ ତାଙ୍କର ଏକ ପ୍ରମୁଖ ସଫଳତା ବୋଲି ବର୍ଣ୍ଣନା କରିଛନ୍ତି।

ସେ କହିଛନ୍ତି ଯେ "ଲ୍ୟୁଟି" ଏବଂ "ଫାୟାର ପଏଣ୍ଟ" ଭଳି ଦୂରଗାମୀ ଡ୍ରୋନ ରୁଷର ଶକ୍ତି ପ୍ରତିଷ୍ଠାନ ଗୁଡ଼ିକୁ ଟାର୍ଗେଟ କରିଛି। ଏହି ଅଭିଯାନରେ ଏକକାଳୀନ ୩ ଶହ ଡ୍ରୋନ ଛଡାଯାଇଥିଲା । ଏହା ସହିତ, ୟୁକ୍ରେନ ସେନା ସମ୍ପ୍ରତି ରୁଷ ବିରୁଦ୍ଧରେ ନେପଚ୍ୟୁନ୍ ଏବଂ ଫ୍ଲେମିଙ୍ଗୋ କ୍ଷେପଣାସ୍ତ୍ର ବ୍ୟବହାର କରିଥିଲା । ୟୁକ୍ରେନୀୟ ନେତା ଆହୁରି କହିଛନ୍ତି ଯେ ଗ୍ୟାସ୍ ଅଭାବ ଏବଂ ରୁଷରୁ ବର୍ଦ୍ଧିତ ଆମଦାନୀ ସୂଚାଇ ଦେଉଛି ଯେ ୟୁକ୍ରେନର ଆକ୍ରମଣ ପ୍ରଭାବଶାଳୀ ପ୍ରମାଣିତ ହେଉଛି।

ସେ ଆହୁରି କହିଛନ୍ତି,"ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ରୁଷ ଏବେ ଗ୍ୟାସ୍ ଆମଦାନୀ କରୁଛି। ଏହା ଏକ ସଙ୍କେତ। ୟୁକ୍ରେନୀୟ ଗୁଇନ୍ଦା ରିପୋର୍ଟ ସୂଚିତ କରୁଛି ଯେ ରୁଷ ବେଲାରୁଷରୁ ଆମଦାନୀ ଛଅ ଗୁଣ ବୃଦ୍ଧି କରିଛି ଏବଂ ଆମଦାନୀ ଶୁଳ୍କ ହଟାଇ ଦେଇଛି। ଏହା ବ୍ୟତୀତ, ଏହା ଏବେ ଚୀନ୍ ଠାରୁ ଗ୍ୟାସ୍ ଖୋଜୁଛି।" ଜେଲେନ୍ସକି କହିଛନ୍ତି, "ଆମର ତଥ୍ୟ ଅନୁସାରେ,ଆମ ଆକ୍ରମଣ ପରେ ସେମାନେ (ରୁଷ) ସେମାନଙ୍କର ଗ୍ୟାସ୍ ଯୋଗାଣର ପ୍ରାୟ ୨୦ ପ୍ରତିଶତ ହରାଇଛନ୍ତି।