“Stop Raping Us”: କାନ୍ସ ରେଡ୍ କାର୍ପେଟ୍ରେ ଉଲ୍ଲଗ୍ନ ହୋଇ ପ୍ରତିବାଦ କଲେ ୟୁକ୍ରେନ୍ ମହିଳା

ନୂଆଦିଲ୍ଲୀ ୨୧/୦୫: ଆଜିକାଲି କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ଉପରେ ସମସ୍ତ ଦେଶର ଆଖି ରହିଛି। କିନ୍ତୁ ମଝିରେ ଏପରି କିଛି ଘଟିଛି, ଯାହା ଦେଖି ଲୋକଙ୍କ ଲୋମ ଟାଙ୍କୁରି ଉଠିଛି। ବଲିଉଡ୍ ଏବଂ ହଲିଉଡର ଅନେକ ସେଲିବ୍ରିଟି ରେଡ୍ କାର୍ପେଟରେ ନିଜର ଗ୍ଲାମର ପ୍ରଦର୍ଶନ କରୁଥିଲେ। ଏହି ସମୟରେ ସେହି ଭିଡ ଭିତରେ ଥିବା ଜଣେ ୟୁକ୍ରେନ୍ ମହିଳା ତାଙ୍କ ଶରୀରକୁ ୟୁକ୍ରେନ୍ ପତାକା ରଙ୍ଗରେ ରଙ୍ଗିନ୍ କରି ‘ଷ୍ଟପ୍ ରେପିଂ ଅସ୍’ ନାରା ଲଗାଇଥିବା ଦେଖାଯାଇଛି। ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଲକ୍ଷ ଲକ୍ଷ ମହିଳାଙ୍କୁ ଦୁଷ୍କର୍ମ କରାଯାଉଥିବା ଏହି ମହିଳା ଅଭିଯୋଗ କରିଛନ୍ତି।
ଟପଲେସ୍ ହୋଇଥିବା ଏହି ମହିଳା ଦୁନିଆ ଆଗରେ ନିଜର ଯନ୍ତ୍ରଣା ପ୍ରକାଶ କରିଛନ୍ତି । ମହିଳା ଜଣଙ୍କ ରେଡ୍ କାର୍ପେଟରେ ସ୍ଲୋଗାନ ଦେଇ ଷ୍ଟପ୍ ରେପିଂ ଅସ୍ କହିବା ଆରମ୍ଭ କରିଥିଲେ, ସେହିସମୟରେ ସେଠାରେ ଠିଆ ହୋଇଥିବା ସୁରକ୍ଷାକର୍ମୀମାନେ ଉକ୍ତ ମହିଳାଙ୍କୁ ଆଚ୍ଛାଦନ କରି ସେଠାରୁ ନେଇ ଯାଇଥିଲେ। ଫଟୋଗ୍ରାଫରମାନେ ଏହି ଦୃଶ୍ୟକୁ କ୍ୟାମେରାରେ କଏଦ କରିଥିଲେ । ଏହି ମହିଳାଙ୍କ ପିଠିରେ ସ୍କାମ ଭଳି ଶବ୍ଦ ମଧ୍ୟ ଲେଖାଯାଇଥିଲା।
ଏହି ଘଟଣା ସହ ଜଡିତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫେବୃଆରୀ ୨୪ରୁ ଆରମ୍ଭ ହୋଇଥିବା ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ, କାନ୍ସର ରେଡ୍ କାର୍ପେଟରେ ପହଞ୍ଚିଛି। ଅନେକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି, ଏହି ଯୁଦ୍ଧରେ ଋଷର ସୈନିକମାନେ ୟୁକ୍ରେନ୍ ମହିଳାଙ୍କୁ ଦୁଷ୍କର୍ମ କରୁଛନ୍ତି। ସାମ୍ନାକୁ ଆସିଥିବା ରିପୋର୍ଟକୁ ବର୍ଣ୍ଣନା କରି ୟୁକ୍ରେନର ରାଷ୍ଟ୍ରପତି କହିଛନ୍ତି, ଜାରି ଅନୁସନ୍ଧାନ ଅନୁଯାୟୀ ମହିଳାମାନଙ୍କ ସହ ଦୁଷ୍କର୍ମର ଅନେକ ମାମଲା ସାମ୍ନାକୁ ଆସିଛି।