କୁଚିଙ୍ଗ୍‌, ୨୧/୦୧:  ମାଲେସିଆରେ ଚାଲିଥିବା ୧୯ବର୍ଷରୁ  କମ୍‌ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ  ଆଜି ନାଇଜେରିଆ ବଡ଼ ବିପର୍ଯ୍ୟୟ ଘଟାଇଛି । ଗ୍ରୁପ୍‌-ସି’ର ଏକ ମ୍ୟାଚ୍‌ରେ  ଦଳ ୨ରନ୍‌ରେ ଆଇସିସିର ପୂର୍ଣ୍ଣ ସଦସ୍ୟ  ଦେଶ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା ।  

ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍‌ ୧୩ ଓଭର  ବିଶିଷ୍ଟ ଖେଳାଯାଇଥିଲା । ବ୍ୟାଟିଂ ଆମନ୍ତ୍ରଣ  ପାଇ ନାଇଜେରିଆ ୬ ୱିକେଟ୍‌ ହରାଇ  ୬୫ରନ୍‌ କରିଥିଲା । ଲିଲିଆନ ଉଡେହ ୧୮, ଲକି ପିଟି ୧୯ରନ୍‌ କରିଥିଲେ । ଜବାବରେ ନ୍ୟୁଜିଲାଣ୍ଡ ୬ ୱିକେଟ୍‌  ବିନିମୟରେ ୬୩ ରନ୍‌ କରିବାକୁ ସକ୍ଷମ  ହୋଇଥିଲା । ୧୨ ଓଭର ଶେଷ ସୁଦ୍ଧା  ନ୍ୟୁଜିଲାଣ୍ଡ ୫/୫୭ରନ୍‌ ସଂଗ୍ରହ କରି  ସାରିଥିଲା । ଅନ୍ତିମ ଓଭରରେ ବିଜୟ  ପାଇଁ ୯ରନ୍‌ ଆବଶ୍ୟକ କରୁଥିଲା ।  ନାଇଜେରିଆ ପକ୍ଷରୁ ଉଡେହ ଏହି ଓଭର  ବୋଲିଂ କରିଥିଲେ ଏବଂ ୬ରନ୍‌ ଦେଇ  ଗୋଟିଏ ୱିକେଟ୍‌ ନେବା ସହ ଦଳକୁ  ଐତିହାସିକ ବିଜୟ ଭେଟି ଦେଇଥିଲେ ।  ସେ ୩ଓଭରରେ ମାତ୍ର ୮ରନ୍‌ ବ୍ୟୟ  କରି ଗୋଟିଏ ୱିକେଟ୍‌ ନେଇଥିଲେ । 

ଅନ୍ୟ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ  ଅଷ୍ଟ୍ରେଲିଆ ୨ ୱିକେଟ୍‌ରେ ବାଂଲାଦେଶକୁ,  ସ୍କଟଲାଣ୍ଡ ୧ ୱିକେଟ୍‌ରେ ନେପାଳକୁ ହରାଇ  ଥିବାବେଳେ ଗ୍ରୁପ୍‌-ବି’ରେ ୟୁଏସ୍‌ଏ ୯  ୱିକେଟ୍‌ରେ ଆୟର୍ଲାଣ୍ଡକୁ, ଇଂଲଣ୍ଡ ୬  ୱିକେଟ୍‌ରେ ପାକିସ୍ତାନକୁ ଏବଂ ଗ୍ରୁପ୍‌-ସି’ରେ ଦକ୍ଷିଣ ଆଫ୍ରିକା ୧୦ ୱିକେଟ୍‌ରେ ସାମୁଆକୁ ପରାଜିତ କରିଥିଲା ।