ପୂର୍ବ କାଳରେ ପିଲାମାନେ ରାଗୁଥିଲେ ବା ଜିଦି କରୁଥିଲେ କିନ୍ତୁ କିଛି ସମୟ ପରେ ସବୁ କିଛି ଠିକ୍ ଠାକ୍ ହୋଇଯାଉଥିଲା। କିନ୍ତୁ ଏବେକାର ୬/୮ ବର୍ଷ ପିଲାର ଜିଦି ଓ ଅବୁଝାପଣ ଦୁଇପାଦ ଆଗରେ । ପିଲାମାନେ ବୟସ ପୂର୍ବରୁ ବଡ଼ ହୋଇପଡୁଛନ୍ତି । ତେଣୁ ତାଙ୍କୁ ବୁଝିବାକୁ ହେଲେ ବାପାମା’ଙ୍କୁ ଭିନ୍ନ ଏକ ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ପଡୁଛି । ଏବେକାର ନୂଆ ପିଢିକୁ ବୁଝିବା ଆଦୌ ସହଜ ହେଉନି । ଯଦିଓ ସେମାନଙ୍କ ବୟସ କମ୍ କିନ୍ତୁ ବ୍ୟବହାର,କଥାବାର୍ତ୍ତା ଓ ପ୍ରତିକ୍ରିୟା କିଶୋରବସ୍ଥାରେ ପହଞ୍ଚିଯାଉଛି । ସେମାନଙ୍କ ବୁଝିବା ଶକ୍ତି ଦେଖିଲେ ଜଣାପଡୁନାହିଁ ଯେ ସେମାନେ ପିଲା ନା କିଶୋର? ଏହି ସ୍ଥିତି ବାପାମା’ଙ୍କ ପାଇଁ ଚ୍ୟାଲେଞ୍ଜଠାରୁ କମ୍ ନୁହେଁ ।

ଦୌଡୁଥିବା ଦୁନିଆର ସାଥୀ

ପିଲାଙ୍କର ଏପରି ସ୍ଥିତି ପାଇଁ ତୀବ୍ର ବେଗରେ ଦୌଡୁଥିବା ଦୁନିଆ ମଧ୍ୟ ଅନେକ ମାତ୍ରାରେ ଦାୟୀ । ପିଲାଙ୍କ ଦୁନିଆ ମଧ୍ୟ ସେହି ବେଗରେ ଦୌଡିବାରେ ଲାଗିଛି । ପୂର୍ବ ପିଢିଙ୍କୁ ଯେଉଁ ଟେକ୍ନୋଲୋଜି ୧୫/୧୬ ବର୍ଷରେ ମିଳିଥିଲା, ଏବେ ତାହା ପିଲାଙ୍କୁ ୯/୧୦ ବର୍ଷରେ ମିଳିଯାଉଛି । ଫଳରେ ମସ୍ତିଷ୍କ ତୀବ୍ର ବେଗରେ ବିକଶିତ ହେବାରେ ଲାଗିଛି । ସୋସିଆଲ ଏକ୍ସପୋଜର୍ ବଦଳିଚାଲିଛି । ପରିବେଶ ତୀବ୍ର ବେଗରେ ବଦଳୁଥିବା ବେଳେ ସାମାଜିକ ସଚେତନତା ମଧ୍ୟ ବଢିଚାଲିଛି । ଫଳରେ ପିଲାମାନେ ଖୁବ୍ କମ୍ ବୟସରୁ ଆତ୍ମନିର୍ଭରଶୀଳ ହୋଇପଡୁଛନ୍ତି । ବାହାର ଦୁନିଆ ସହ ସାମଞ୍ଜସ୍ୟ ରଖିବା ପାଇଁ ସେମାନଙ୍କୁ କମ୍ ବୟସରୁ ହିଁ ଭିନ୍ନ ଭିନ୍ନ ଅନୁଭବ ମିଳିଯାଉଛି । ଫଳରେ ସେମାନେ ସେହି ହିସାବରେ ପ୍ରତିକ୍ରିୟା ଦେବାକୁ ବାଧ୍ୟ ହେଉଛନ୍ତି । କେବଳ ସେତିକି ନୁହେଁ ସେହିପରି କମ୍ ବୟସରେ ମଧ୍ୟ ଶାରୀରିକ ପରିବର୍ତ୍ତନ ଦେଖିବାକୁ ମିଳୁଛି, ଯାହା ସେମାନଙ୍କ ଭାବନାତ୍ମକ ପ୍ରତିକ୍ରିୟାକୁ ଅନେକ ମାତ୍ରାରେ ପ୍ରଭାବିତ କରିଦେଉଛି ।

ବ୍ୟବହାର ଅପେକ୍ଷା ଭାବନାକୁ ଅଧିକ ଗୁରୁତ୍ୱ

ଅଭିଭାବକ ସବୁବେଳେ ଏକଥା ମନେ ରଖିବା ଉଚିତ୍ ଯେ ସେମାନେ କୌଣସି ବୟସ୍କ ଲୋକ ନୁହନ୍ତି ପିଲା ସହ କଥା ହେଉଛନ୍ତି । ତେଣୁ ପିଲାର ପ୍ରତିକ୍ରିୟାକୁ ଧୈର୍ଯ୍ୟର ସହ ଶୁଣନ୍ତୁ । ତଥାପି ନିଜ ଭାବନା ଉପରେ କାବୁ ରଖନ୍ତୁ । ଏହି ସ୍ଥିତିରେ ପିଲାର ବ୍ୟବହାର ପରିବର୍ତ୍ତେ ଭାବନାକୁ ସ୍ୱୀକାର କରିବାକୁ ପ୍ରୟାସ କରନ୍ତୁ । ପିଲା ଉପରେ ରାଗ ଆସିଲେ ଗାଳି ଦେବା ପରିବର୍ତ୍ତେ ଓଲଟା ଗଣିବା ଆରମ୍ଭ କରିଦିଅନ୍ତୁ । ମନ ଶାନ୍ତ ହୋଇଯିବ । ପରେ ପୁଣି କଥା ହୁଅନ୍ତୁ ।

ବିଶ୍ୱାସ ଦିଅନ୍ତୁ

ବାପାମା’ ପିଲାର ସେହି ଆଭରଣ, ଯେଉଁଠାରେ ପିଲା ନିଜକୁ ସୁରକ୍ଷିତ ଅନୁଭବ କରିଥାଏ । ତେଣୁ ପିଲା ସହ ଖେଳାବୁଲା କରିବା ଓ ତାଙ୍କୁ ଛୋଟ ଛୋଟ ନିର୍ଣ୍ଣୟ ନେବାରେ ସହଯୋଗ କରନ୍ତୁ । ଯଦି ତା’ର କୌଣସି ଭୁଲ୍ ହୁଏ, ତେବେ ତାକୁ ପୁର୍ନବାର କରିବାକୁ ସୁଯୋଗ ଦିଅନ୍ତୁ । ଏପରି କରିବା ଦ୍ୱାରା କାମରେ ଆସୁଥିବା ବାଧା ପିଲାକୁ ସଫଳ କରିବା ସହ ଧୈର୍ଯ୍ୟ ଶିଖାଇଥାଏ । ପିଲାକୁ କିଛି ସମୟ ପାଇଁ ତା’ ଦୁନିଆରେ ରହିବାର ସୁଯୋଗ ଦିଅନ୍ତୁ । କିନ୍ତୁ ସୀମା ସ୍ଥିର କରିବା ଜରୁରି ।

ଏମିତି ଆରମ୍ଭ କରନ୍ତୁ

ପିଲାକୁ ସମସ୍ୟା ସମାଧାନ କରିବାର ଶୈଳୀ ବତାନ୍ତୁ । ତାଙ୍କ ସମସ୍ୟା ସହ ଲଢିବାକୁ କୁହନ୍ତୁ, ନଚେତ୍ ଉଚିତ୍ ଶୈଳୀ ଶିଖାନ୍ତୁ । ପିଲାଙ୍କ ଭାବନାକୁ ନକାରାତ୍ମକ କହିବା ପରିବର୍ତ୍ତେ ସ୍ୱୀକାର କରନ୍ତୁ । ସବୁବେଳେ ପିଲା ସହ ରୁହନ୍ତୁ, କିନ୍ତୁ ସେ କିପରି ସମସ୍ତ ବିପରୀତ ପରିସ୍ଥିତି ସହ ଲଢିପାରିବ ସେଥିପାଇଁ ପ୍ରସ୍ତୁତ କରନ୍ତୁ ।