ଅନୁଗୁଳ/ଢେଙ୍କାନାଳ,୨୭/୦୮: ପବିତ୍ର ‘ଗଣେଶ ପୂଜା’ ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଅନୁଗୁଳ ଓ ଡେଙ୍କାନାଳରେ ଟାଟା ଷ୍ଟିଲ୍ ଫାଉଣ୍ଡେସନର ବିଭିନ୍ନ ସାମାଜିକ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବା ସହ ବୃକ୍ଷରୋପଣ ଅଭିଯାନର ଶୁଭାରମ୍ଭ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଅନୁଗୁଳ ବଅଁରପାଳ ଠାରେ ଟାଟା ଷ୍ଟିଲ୍ ଫାଉଣ୍ଡେସନର ସାମାଜିକ ଭିତ୍ତିଭୂମି ପ୍ରକଳ୍ପ ଗୁଡ଼ିକର ଉଦଘାଟନ କରିବା ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସନ୍ତ୍ରି ଛକରୁ ମହିଧର ଦେଇ ହାତୁରା ପର୍ଯ୍ୟନ୍ତ ୨୦ କିମି ବ୍ୟାପୀ ସୌରଶକ୍ତି ପରିଚାଳିତ ରାସ୍ତା ଆଲୋକୀକରଣ ଏବଂ ଏନଏଚ୍ -୫୫ର ଇଟାପଠାରୁ ନୂଆହତା ପର୍ଯ୍ୟନ୍ତ ୩ କିମି ବ୍ୟାପୀ ଆଲୋକୀକରଣ ବ୍ୟବସ୍ଥାର ଭୂମିପୂଜନ କରିଥିଲେ । କେନ୍ଦ୍ରମନ୍ତ୍ରୀଙ୍କ କରକମଳରେ ଅନୁଗୁଳ ବଅଁରପାଳ ବ୍ଲକ ନୂଆହତାରେ ସିମେଣ୍ଟ କଂକ୍ରିଟ ରାସ୍ତା ଓ ଡ୍ରେନ୍ ନିର୍ମାଣ, ଗୋଷ୍ଠୀ କେନ୍ଦ୍ର, ହାଇମାଷ୍ଟ ଓ ଷ୍ଟ୍ରିଟଲାଇଟର ବ୍ୟବସ୍ଥାର ଶୁଭାରମ୍ଭ ହୋଇଥିଲା । ସେହିପରି ଢେଙ୍କାନାଳର ହିନ୍ଦୋଳ ଏବଂ ଓଡ଼ାପଡ଼ା ବ୍ଲକରେ ସୂଚନା କେନ୍ଦ୍ର, ନରେନ୍ଦ୍ରପୁର ବିଦ୍ୟାଳୟ, ହାଇମାଷ୍ଟ ଏବଂ ଷ୍ଟ୍ରିଟ ଲାଇଟ୍ ସୁବିଧା ମଧ୍ୟ ଲୋକାର୍ପିତ ହୋଇଯାଇଛି । ଏହି ପଦକ୍ଷେପ ପାଇଁ କେନ୍ଦ୍ରମନ୍ତ୍ରୀ ଟାଟା ଷ୍ଟିଲ ଫାଉଣ୍ଡେସନକୁ ଶୁଭେଚ୍ଛା ଜଣାଇବା ସହ ଆଲୋକୀକରଣ ପ୍ରକଳ୍ପ ଦ୍ୱାରା ଲୋକମାନଙ୍କ ଯାତାୟତ ସହଜ ଓ ସୁରକ୍ଷିତ ହେବ ବୋଲି କହିଛନ୍ତି । ଏହାବ୍ୟତୀତ ଉଦଘାଟିତ ସାମାଜିକ ଭିତ୍ତିଭୂମି ପ୍ରକଳ୍ପ ଗୁଡ଼ିକ ଦ୍ୱାରା ସ୍ଥାନୀୟ ଅଞ୍ଚଳର ଲୋକମାନେ ବିଶେଷ ଉପକୃତ ହେବେ । ସେମାନଙ୍କ ଜୀବନଯାପନ ସୁଗମ ହେବ ।
ଏହି କାର୍ଯ୍ୟକ୍ରମ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଢେଙ୍କାନାଳ ଶିବପୁର ସ୍ଥିତ ଟାଟା ଷ୍ଟିଲ ମେରାମଣ୍ଡଳୀ ଜୈବବିବିଧତା ପାର୍କ ପରିସରରେ ‘ଏକ୍ ପେଡ୍ ମା’ କେ ନାମ୍ ୨.୦’ ଅଭିଯାନ ଅଧୀନରେ ବୃକ୍ଷରୋପଣ କରିଥିଲେ । ଶିଳ୍ପାଞ୍ଚଳ ଢେଙ୍କାନାଳରେ ପର୍ଯ୍ୟାବରଣକୁ ସୁରକ୍ଷିତ ରଖିବା ପାଇଁ ଜଙ୍ଗଲ ସୃଷ୍ଟି କରିବାର ଅଭିନବ ପ୍ରୟାସ କରିଥିବାରୁ ଟାଟା ଷ୍ଟିଲ ଫାଉଣ୍ଡେସନକୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାରେ ଆରମ୍ଭ ହୋଇଥିବା “ଏକ୍ ପେଡ୍ ମା’ କେ ନାମ୍” ଏକ ଭାବନାତ୍ମକ ବିଚାର । ବୃକ୍ଷରୋପଣ ମାଧ୍ୟମରେ ପରିବେଶ ସୁରକ୍ଷା କରିବା ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଗଛ ଲଗାଇବା ପାଇଁ ସଚେତନତା ସୃଷ୍ଟି କରିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ । ଗଛ ଲଗାଇବା ମାନେ ଗୋଟିଏ ଜୀବନ ତିଆରି କରିବା । ଆମେ ସମସ୍ତେ ଆମର ଘର ଠାରୁ ଆରମ୍ଭ କରି ସବୁଠି ଗଛ ଲଗାଇବା ଏବଂ ଏହି ବୃକ୍ଷରୋପଣ ଅଭିଯାନକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଛନ୍ତି ।