ପ୍ରିୟଙ୍କା ଗାନ୍ଧିଙ୍କୁ ନେଇ କେନ୍ଦ୍ର ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ, କହିଲେ ପପୁର…

ନୂଆଦିଲ୍ଲୀ, ୧୮।୩: ନିର୍ବାଚନୀ ପରିବେଶ ମଧ୍ୟରେ ଏବେ ନେତାଙ୍କର ବୟାନବାଜି ଜାରି ରହିଛି। ଏପରିକି ବିଭିନ୍ନ ଦଳର ନେତାମାନେ ପରସ୍ପର ଉପରକୁ କାଦୁଅ ଫିଙ୍ଗିବାକୁ ମଧ୍ୟ ପଛାଉ ନାହାଁନ୍ତି। ଏହା ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ମହେଶ ଶର୍ମାଙ୍କ ବିବାଦୀୟ ବୟାନକୁ ନେଇ ଖୁବ୍ ଚର୍ଚ୍ଚା ଜାରି ରହିଛି। ମହେଶ ଶର୍ମା ଏଭଳି ବୟାନ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କୁ ନେଇ ଦେଇଛନ୍ତି। ସେ କହିଛନ୍ତି ’ପପୁ କହୁଛି ସେ ପ୍ରଧାନମନ୍ତ୍ରୀ ହେବ, ,ଏବେ ତ ପପୁର ପପି ମଧ୍ୟ ଆସିଗଲାଣି।’ ଗତ ଦୁଇଦିନ ତଳେ ଉତ୍ତରପ୍ରଦେଶର ସିକନ୍ଦରାବାଦରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏହା କହିଥିଲେ।
Union Min Mahesh Sharma in Sikandrabad- “Agar Mamata Banerjee yahan aa karke Kathak kare aur K’taka CM geet gaye toh kaun sun raha hai? Pappu kehta hai ki PM banunga,ab toh Pappu ki Pappi (Priyanka Gandhi)bhi aa gayi.Inse upar uth kar dekhna hai toh aaj humara sher Modi hai(16/3) pic.twitter.com/AQW6tCtRzZ
— ANI UP (@ANINewsUP) March 18, 2019
ବିରୋଧୀ ଦଳକୁ ନେଇ ମହେଶ କଟାକ୍ଷ କରିଥିଲେ। ସେ କହିଥିଲେ ସେମାନେ କହୁଛନ୍ତି ’ପପୁ ପ୍ରଧାନମନ୍ତ୍ରୀ ହେବ। ପପୁ ବିଚାରା ପପୁ ହିଁ ରହିଗଲା। ସେ ଦିନ ମୁଁ ବି ସଂସଦରେ ଥିଲି, ମୋଦିଜୀ ସାମ୍ନାରେ ବସିଥିଲେ ଓ ମୁଁ ପଛ ଲାଇନରେ ବସିଥିଲି। କ’ଣ ଆଖି ମାରିଲେ, ମୁଁ ମଧ୍ୟ ପଛରେ ବସିକି ତାଙ୍କ ଆଖିମରାର ଦିଓ୍ବାନା ପାଲଟିଗଲି। ଏବେ ପପୁ କହୁଛି ମୁଁ ପ୍ରଧାନମନ୍ତ୍ରୀ ହେବି, ମାୟାବତୀ, ଅଖିଳେଶ, ପପୁ ଓ ଏବେ ପପୁର ପପି ମଧ୍ୟ ଆସିଯାଇଛି। କ’ଣ ସେ ପୂର୍ବରୁ ଦେଶର ଝିଅ ନଥିଲେ? କ’ଣ ସେ କଂଗ୍ରେସର ଝିଅ ନଥିଲେ? ଏହି ସୋନିଆ ପରିବାରର ଝିଅ ନଥିଲେ କ’ଣ? ଏବେ କ’ଣ ନାହାନ୍ତି କି? ଆଗକୁ କ’ଣ ରହିବେନି କି? କ’ଣ ନୂଆ ନେଇକି ଆସିବେ? ପ୍ରଥମେ ନେହରୁ, ପରେ ରାଜୀବ ଗାନ୍ଧି, ସଞ୍ଜୟ ଗାନ୍ଧି, ରାହୁଲ ଗାନ୍ଧି… ଆଉ ଏବେ ପ୍ରିୟଙ୍କା ଗାନ୍ଧି ଆସୁଛନ୍ତି। ଆପଣମାନେ କ’ଣ ଦେଶ ଉପରେ ଦୟା କରିଛନ୍ତି? ଯଦି ଏମାନଙ୍କ ଠାରୁ ଉଠିକି କିଛି ଦେଖିବାର ଅଛି ତେବେ ଆମର ବାଘକୁ ଦେଖ, ସେ ହେଲେ ନରେନ୍ଦ୍ର ମୋଦି।
ଏଠାରେ ଉଲ୍ଳେଖନୀୟ ଯେ ପଶ୍ଚିମ ଉତ୍ତର ପ୍ରଦେଶର ଗୌତମବୁଦ୍ଧ ନଗର ଲୋକସଭା ଆସନ(ନୋଏଡା)ରୁ ସାଂସଦ ଥିବା ମହେଶ ଶର୍ମା ମଧ୍ୟ ଏହା ପୂର୍ବରୁ ବହୁବାର ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିସାରିଛନ୍ତି। ଏହି ଭାଷଣରେ ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କ ବ୍ୟତୀତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଏଚଡି କୁମାର ସ୍ବାମୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯଦି ମମତା ବାନାର୍ଜୀ ଏଠାକୁ ଆସିକି କଥକ କରନ୍ତି କିମ୍ବା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଗୀତ ଗାଆନ୍ତି ତେବେ କିଏ ଶୁଣିବ ?