ତେଲକୋଇ,୧୫/୦୫:  ବାହାଘର ପରେ ଅନେକ ଘର ଜ୍ୱାଇଁ ହୋଇ ରହିବା ନୂଆ ନୁହେଁ । କିନ୍ତୁ ବାହାଘର ପରେ ବର ସଜ ସାମଗ୍ରୀ ବା ଭାର ନେଇ କନ୍ୟା ଘରକୁ ଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ ଛାମୁଣ୍ଡା ଗ୍ରାମରେ ହୋଇଛି ଏହି ନିଆରା ବାହାଘର ।

ସୂଚନାଯୋଗ୍ୟ, ବାଂଶପାଳ ବ୍ଲକ୍ ରୟା ଦେହୁରୀଙ୍କ କନ୍ୟା ଲକ୍ଷ୍ମୀଙ୍କ ବାହାଘର ତେଲକୋଇ ବ୍ଲକ ଛାମୁଣ୍ଡା ଗ୍ରାମର ପଞ୍ଚୁ ପଧାନଙ୍କ ପୁଅ ବସନ୍ତଙ୍କ ସହିତ ସ୍ଥିର ହୋଇଥିଲା । ରୟା ଦେହୁରୀଙ୍କ ପୁଅ ନଥିବାରୁ ବାହାଘର ପରେ ବସନ୍ତ ଘର ଜ୍ୱାଇଁ ଭାବେ ରହିବାକୁ ଦୁଇ ପରିବାର ମଧ୍ୟରେ ସ୍ଥିର ହୋଇଥିଲା । ସୁରୁଖୁରୁରେ ନିର୍ବନ୍ଧ ମଧ୍ୟ ସରିଥିଲା । କିନ୍ତୁ ପୁଅକୁ ବାହାଘର କରିବା ପରେ କନ୍ୟା ଘରେ ଛାଡି ଆସିବାକୁ ବର ପିତା ରାଜି ହୋଇନଥିଲେ । ତେଣୁ ଉଭୟ ପକ୍ଷଙ୍କ ସହମତିରେ କନ୍ୟା ବର ଘରକୁ ଆସି ବାହାଘର ହେବ । ଏହା ପରେ ଦମ୍ପତି କନ୍ୟା ଘରକୁ ଯିବେ ବୋଲି ସ୍ଥିର ହୋଇଥିଲା ।

ଅଧିକ ପଢ଼ନ୍ତୁ :- Oil Crisis : ଜୀବିକା ଉଜାଡ଼ିବ ତେଲ ସଙ୍କଟ, କାନ୍ଦିଲେଣି ଡେଲିଭରି ସଂସ୍ଥା କର୍ମଚାରୀ, ରୋଗୀ ନେବାକୁ ଆମ୍ବୁଲାନ୍ସ ନାରାଜ

ବାହାଘର ଦିନ କନ୍ୟା ବାଜା ବଜାଇ ରୋଶଣିରେ ଆସିଥିଲା ବର ଘରକୁ ବାହାଘର ହେବା ପାଇଁ । ଏ ନିଆରା ବାହାଘରରେ ସବୁଠାରୁ ରୋଚକ କଥା ଥିଲା କନ୍ୟାକୁ ଯୌତୁକ ଦେବା । ବର ବସନ୍ତଙ୍କ ଭାଉଜଙ୍କ କହିବା ଅନୁଯାୟୀ, ଯେମିତି କନ୍ୟାକୁ ବିଦା କରାଯାଏ ଆମେ ବରକୁ ସେମିତି ବିଦା କରୁଛୁ । ପଲଙ୍କ, ରୋଷେଇ ସାମଗ୍ରୀ ଯାହା ଯାହା କନ୍ୟାକୁ ଦିଆଯାଏ ଆମେ ସେମିତି ଜିନିଷ ଦେଇ ପୁଅକୁ ବିଦା କରୁଛୁ । ବାହାଘର କରୁଥିବା ବ୍ରାହ୍ମଣ କୁହନ୍ତି, ଜୀବନରେ ପ୍ରଥମ ଥର ଏପରି ବାହାଘର ସେ କରିଛନ୍ତି । ବୈଦିକ ରୀତିନୀତିରେ ବାହାଘର ହୋଇଛି ।