ଭୁବନେଶ୍ଵର, ୧୫/୦୫ : ଜୀବିକା ଉଜାଡ଼ିବ ତେଲ ସଙ୍କଟ। ଟାଙ୍କିରେ ପେଟ୍ରୋଲ ୨୦୦, ଡିଜେଲ ୧୦୦୦ ଟଙ୍କାରୁ ଅଧିକ ମନା। ଟାଙ୍କିରେ ଲାଗିଛି ଲମ୍ଵା ଲାଇନ୍। ସନ୍ତୁଳି ହେଲେଣି ଲୋକେ। କାର୍ ଓ ଅଟୋ ଚାଳକଙ୍କ ମୁଣ୍ଡ ଗୋଲ୍‌। ତେଲ ନମିଳିଲେ ଗାଡି ଚାଲିବ କେମିତି? ଘର ଚଳିବ କେମିତି? ଗାଡି ରଖିବେ ନା ଚଲାଇବେ ତାକୁ ନେଇ ଏବେ ସମସ୍ତଙ୍କୁ ଘାରିଛି ଚିନ୍ତା। ଆବଶ୍ୟକତା ଅନୁସାରେ ପେଟ୍ରୋଲ ଡିଜେଲ ମିଳୁନି।

ରାଜଧାନୀରେ ପ୍ରାୟ ୮୦ରୁ ଅଧିକ ଟ୍ରାଭେଲ ଏଜେନ୍ସି ରହିଛି । ସେହିପରି ୧ହଜାରରୁ ଅଧିକ ଟ୍ୟାକ୍ସି ଭୁବନେଶ୍ୱର ଭିତରେ ଓ ବାହାରେ ଗଡ଼ୁଛି । ପେଟ୍ରୋଲ ନ’ମିଳିଲେ ଏସବୁ କାର୍‌ ବନ୍ଦ ହୋଇଯିବାର ଆଶଙ୍କା ଦେଖାଦେଲାଣି। ଘରୋଇ ଟ୍ରାଭେଲ ଏଜେନ୍ସି ସହ ଓଲା, ଉବେର ଓ ଯାତ୍ରୀ ଆପ୍‌ରେ ଚାଲୁଥିବା କାର ଚାଳକଙ୍କ ମଧ୍ୟରେ ଭାଳେଣି ପଡ଼ିଲାଣି । ସେପଟେ ଭୁବନେଶ୍ୱରରେ ୩୦ହଜାର ସାଧାରଣ ଅଟୋ ଓ ୨୦ହଜାର ଅନଲାଇନ୍‌ ଅଟୋର ବି ଅବସ୍ଥା ସମାନ। ଭୁବନେଶ୍ୱରରେ ରହୁଥିବା ଟ୍ୟାକ୍ସି ଡ୍ରାଇଭର ପ୍ରକାଶ ମନ୍ତ୍ରୀଙ୍କ କହିବା କଥା ଦିନକୁ ଦୁଇରୁ ତିନି ଥର ଆମେ ଭୁବନେଶ୍ୱରରୁ ପ୍ୟାସେଞ୍ଜର ନେଇ ବିଭିନ୍ନ ସ୍ଥାନକୁ ଯାଉଛୁ । ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼ ସହ ବେଳେବେଳେ ସମ୍ବଲପୁର, ଝାରସୁଗୁଡ଼ା ମଧ୍ୟ ଯାଉ । ତେଣୁ ଦୈନିକ ହାରାହାରି ୫୦୦ କିମି ପର୍ଯ୍ୟନ୍ତ ଗାଡି ଗଡ଼ୁଛି । ସେଥିପାଇଁ ୩ରୁ ୪ହଜାର ଟଙ୍କାର ପେଟ୍ରୋଲ ପକାଉ । ହେଲେ ଏବେ ତେଲ ମିଳୁନଥିବାରୁ ଭାରି ସମସ୍ୟା ଦେଖାଦେଇଛି । ଯଦି ତେଲ ନ’ମିଳେ ତେବେ ବାଧ୍ୟ ହୋଇ ଘରକୁ ଯିବା ଛଡ଼ା ଆଉ କୌଣସି ଚାରା ନାହିଁ । ପ୍ରକାଶଙ୍କ ଭଳି ଆହୁରି ଅନେକ ଅଟୋ ଓ ଟ୍ୟାକ୍ସି ଡ୍ରାଇଭରଙ୍କ ଯନ୍ତ୍ରଣା ସମାନ ।

କାନ୍ଦିଲେଣି ଡେଲିଭରି ସଂସ୍ଥା କର୍ମଚାରୀ 

କାନ୍ଦିଲେଣି ଅନଲାଇନ୍‌ ଡେଲିଭରି ସଂସ୍ଥା କର୍ମଚାରୀ । ପ୍ରଥମେ ଗ୍ୟାସ ସମସ୍ୟା ଆଉ ଏବେ ତେଲ ସଙ୍କଟ । ସତେ ଯେମିତି ଏମାନଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ଭଳି ହୋଇପଡ଼ିଛି । ଜଣେ ଦିନସାରା ସାମଗ୍ରୀ କି ଖାଦ୍ୟ ଡେଲିଭରି କରିବାକୁ ଗାଡିରେ ଗଲେ, ଯେତିକି ପେଟ୍ରୋଲ ଦରକାର, ସେତିକି ମିଳୁନି । ୧୦୦ଟଙ୍କା ତେଲରେ କେମିତି ବୁଲିବେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଭୁବନେଶ୍ୱରରେ ଏବେ ୩ହଜାର ଅନଲାଇନ୍‌ ଖାଦ୍ୟ ଡେଲିଭରି(ସ୍ୱିଗି, ଜମାଟୋ) ସଂସ୍ଥାର କର୍ମଚାରୀ କାମ କରୁଛନ୍ତି । ଏମାନଙ୍କ ସହ ୨ହଜାରରୁ ଅଧିକ ପୋଷାକ, ଘରକରଣା ସାମଗ୍ରୀ ତଥା ଔଷଧ ଯୋଗାଉଥିବା ଡେଲିଭରି ସଂସ୍ଥାର କର୍ମଚାରୀ ବି ରହିଛନ୍ତି । ଅନଲାଇନ୍‌ ସାମଗ୍ରୀ ଡେଲିଭରି ସଂସ୍ଥାର ଗୋଦାମ ନୂଆପଲ୍ଲୀ, ଖଣ୍ଡଗିରି, ପାହାଳ ଓ ପଟିଆରେ ରହିଛି । କିଛି ସଂସ୍ଥା ଏମିତି ଅଛନ୍ତି, ଯେଉଁମାନେ ତତ୍କାଳ ସାମଗ୍ରୀ ନେଇ ଗ୍ରାହକଙ୍କ ପାଖରେ ପହଞ୍ଚାଇଥାଆନ୍ତି । ହେଲେ ୧୦୦ ଟଙ୍କାରେ ତେଲ ପକାଇ କେତେ ବୁଲିବେ ଆଉ ଟାଙ୍କିରେ ଘଣ୍ଟାଘଣ୍ଟା ଅପେକ୍ଷା କଲେ ବେପାର କେମିତି କରିବେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ତେବେ ଅନଲାଇନ ଖାଦ୍ୟ ଡେଲିଭରି କରୁଥିବା ଯୁବକଙ୍କ ମଧ୍ୟରୁ ୪୦୦ଜଣ ଭଡ଼ାରେ ଇଭି ବାଇକ୍‌ ଆଣି ଚଲାଉଛନ୍ତି । ସେମାନଙ୍କ ପାଇଁ ତେଲ ସଙ୍କଟ କିଛି ଜଣାପଡ଼ିବନି । 

ରୋଗୀ ନେବାକୁ ଆମ୍ବୁଲାନ୍ସ ନାରାଜ 

ତେଲ ସଙ୍କଟ ଆମ୍ବୁଲାନ୍ସ ଉପରେ ବି ପଡ଼ିଛି । ତେଲ ମିଳୁନଥିବାରୁ ଘରୋଇ ଆମ୍ବୁଲାନ୍ସ ଏବେ ରୋଗୀ ନେବାକୁ ମଙ୍ଗୁ ନାହାନ୍ତି । ତେଲ ଟାଙ୍କିରେ ମାତ୍ର ହଜାରେ ଟଙ୍କାରେ ତେଲ ଦେଉଥିବାରୁ ରୋଗୀଙ୍କୁ ଦୂର ସ୍ଥାନକୁ ନେବାକୁ ଘରୋଇ ଆମ୍ବୁଲାନ୍ସ ରାଜି ହେଉନାହାନ୍ତି । ରାଜ୍ୟ ଘରୋଇ ଆମ୍ବୁଲାନ୍ସ ସଂଘ ଉପ ସଭାପତି ସାଲୁ ବରୁଆ କହିଛନ୍ତି, ରାଜ୍ୟରେ ସରକାରୀ ଆମ୍ବୁଲାନ୍ସ ପାଇଁ ତେଲ ସଙ୍କଟ ନଥିଲାବେଳେ ଘରୋଇ ଆମ୍ବୁଲାନ୍ସ ପାଇଁ ସମସ୍ୟା ଆରମ୍ଭ ହୋଇଛି । ବର୍ତ୍ତମାନ ରାଜ୍ୟରେ ପାଖାପାଖି ୬ହଜାର ଆମ୍ବୁଲାନ୍ସ ଗଡ଼ୁଛି । ହେଲେ ଘରୋଇ ଆମ୍ବୁଲାନ୍ସ ପାଇଁ ତେଲ ମିଳୁନଥିବାରୁ ରୋଗୀଙ୍କୁ ନେଇ ହେଉନି ।

ପ୍ରଭାବିତ ହେବ ପର୍ଯ୍ୟଟନ କ୍ଷେତ୍ର 

ତେଲ ସଙ୍କଟର ପ୍ରଭାବ ଏବେ ପର୍ଯ୍ୟଟନ ବିଭାଗ ଉପରେ ପଡ଼ିଛି । ରାଜ୍ୟ ମୁହାଁ ପର୍ଯ୍ୟଟକମାନେ ଗନ୍ତବ୍ୟସ୍ଥଳକୁ ଯିବାକୁ ଗାଡି ପାଉନାହାନ୍ତି । ସୂଚନା ଥାଉକି, ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ସହ ୯୮ଟି ଟ୍ରାଭେଲ ଏଜେନ୍ସି ଅନୁବନ୍ଧିତ ହୋଇଛନ୍ତି । କଟକ, ଭୁବନେଶ୍ୱର, ସମ୍ବଲପୁର, ଅନୁଗୁଳ, ବାଲେଶ୍ୱର, ପୁରୀ, ସୁନ୍ଦରଗଡ଼, ଢେଙ୍କାନାଳ, ଯାଜପୁର, କୋରାପୁଟ, ବାରିପଦା, ଜୟପୁର, ବ୍ରହ୍ମପୁର, ବରଗଡ଼, ଭଦ୍ରକରେ ଏହି ଏଜେନ୍ସି ରହିଛି । ଯେଉଁମାନେ ପ୍ରତିଦିନ ପର୍ଯ୍ୟଟକମାନଙ୍କୁ ସାରା ଓଡ଼ିଶା ବୁଲାନ୍ତି । ହେଲେ ତେଲ ସଙ୍କଟ ବେଳେ ଏବେ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ପ୍ରଭାବ ପଡ଼ିବ । 

ଏହି ଖବରଟିକୁ ପଢନ୍ତୁତେଲ ସଙ୍କଟ ଭିତରେ ସରକାରୀ ବାବୁଙ୍କ ମଉଜ : ସକାଳୁ ପିଲା ଯାଉଛନ୍ତି ସ୍କୁଲ, ୪ଟା ବାଜିଲେ ସପିଙ୍ଗ୍‌ ମଲ୍‌ ଆଗରେ ଠିଆ ହେଉଛି ଗାଡ଼ି