ଭୁବନେଶ୍ୱର,୨୪/୧୦: ୟୁନିଟ୍‌-୧ ହାଟରେ ନିଆଁ ଲାଗିବା  ପରେ ବିଏମ୍‌ସି ବୁଦ୍ଧି ପଶିଛି । ରାଜଧାନୀରେ ଥିବା ୨୦ ବଡ଼ ହାଟ  ପାଇଁ ଏସ୍‌ଓପି ଆଣିବ ବିଏମ୍‌ସି ।  ଏନେଇ  ମେୟର ସୁଲୋଚନା  ଦାସ ସୂଚନା ଦେଇଛନ୍ତି । ଭୁବନେଶ୍ୱର  ୟୁନିଟ୍‌-୧, ୨, ୪ ଭଳି ୨୦ରୁ ଅଧିକ  ବଡ଼ ହାଟ ରହିଛି । ଏସବୁ ମଧ୍ୟରେ ସହିଦ ନଗର, ଶିରିପୁର, ଭିଏସ୍‌ଏସ୍‌ ନଗର, ରସୁଲଗଡ କୋଚିଲେଇ ହାଟ,  ନାଗେଶ୍ୱର ଟାଙ୍ଗୀ, ଡମଣା ଭଳି ବଡ଼  ମାର୍କେଟ ରହିଛି । ହେଲେ ହାଟଗୁଡ଼ିକ  ଅଣସଂଗଠିତ ହୋଇ ରହିଛି ।

କେତେବେଳେ ହାଟ ନିର୍ବାଚନକୁ ନେଇ ବିବାଦ ତ ପୁଣି ହାଟରେ ବେଆଇନ୍‌  ଜବରଖଲକୁ ନେଇ କେଁ ପଶୁଛି ।  ଏହାକୁ ସଂଗଠିତ କରିବାକୁ ଅଣ୍ଟା ଭିଡ଼ିଛି  ବିଏମ୍‌ସି । ଏଣିକି ହାଟ ନିର୍ବାଚନ ସମୟରେ ବିଏମ୍‌ସିର ଜଣେ ଅଧିକାରୀ ନୋଡାଲ  ଅଫିସର ଭାବେ ରହିବେ । ହାଟରେ ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ ବିଏମ୍‌ସି  ପକ୍ଷରୁ ପ୍ରୟାସ କରାଯିବ । ଜବରଦଖଲ  ଯୋଗୁ ହାଟକୁ ଜରୁରି ସମୟରେ ଗାଡ଼ି  ପଶିପାରୁନି । ତେଣୁ ଜବରଦଖଲ  ଉଚ୍ଛେଦକୁ ଜୋରଦାର କରିବା ବିଏମ୍‌ସି  ଏନ୍‌ଫୋର୍ସମେଣ୍ଟ ଟିମ । ହାଟ ଭିତରେ ଜରିପାଲ ପକାଇ ବିକ୍ରିବଟା ଉପରେ ମଧ୍ୟ  କଟକଣା ଲଗାଇବ ବିଏମସି । ଏନେଇ  ତଦାରଖ କରିବାକୁ ସବୁ ଜୋନାଲ  କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ୱର ହାଟ ସମେତ ବଡ଼ ବଡ଼  ମାର୍କେଟ କମ୍ପେ୍ଲକ୍ସ ବିଏମ୍‌ସି ଅଧୀନରେ  ରହିଛି । ସେଥିମଧ୍ୟରେ ଭାବନୀ ମଲ,  ପଞ୍ଚଦୀପ ମାର୍କେଟ, ୟୁନିଟ୍‌-୧ ଅଛି ।  ଏହା ସହ ବିଡିଏ ଅଧୀନରେ ସିଆର୍‌ପି  ଛକସ୍ଥିତ ପ୍ରିୟଦର୍ଶିନୀ ମାର୍କେଟ, ଇନ୍ଦ୍ରଧନୁ, ସୁନ୍ଦରପଦା ହାଟ, ପଟିଆ ଭଳି ବଡ଼ ହାଟ  ରହିଛି । ଏହି ସବୁ ହାଟରୁ କୋଟି କୋଟି  ଟଙ୍କାର ରାଜସ୍ୱ ଆଦାୟ କରାଯାଉଛି।  ହେଲେ ଏହାର ବିକାଶ କରାଯାଉନି ।  ୟୁନିଟ୍‌-୧ ହାଟ ଅଘଟଣ ପରେ ବିଏମ୍‌ସି  ଚେତିଛି । ୩ ଜୋନ୍‌ରେ କେତେ ସରକାରୀ  ଏବଂ ବେସକାରୀ ହାଟ ରହିଛି ତାହାର  ତଥ୍ୟ ମାଗିଛି ବିଏମ୍‌ସି ।