ଆମେରିକା,୧୫/୦୧: ଆଇସିସି ୧୯ ବର୍ଷରୁ କମ୍ ବିଶ୍ବକପ୍ର ପ୍ରଥମ ମ୍ୟାଚ୍ ଆମେରିକାର କୁଇନ୍ସ ସ୍ପୋର୍ଟସ୍ କ୍ଳବ ଷ୍ଟାଡିୟମରେ ଖେଳାଯାଇଛି। ପ୍ରଥମ ମ୍ୟାଚ୍ରେ ମୁହାଁମୁହିଁ ହୋଇଥିଲେ ଭାରତ ଓ ଆମେରିକା। ତେବେ ପ୍ରଥମ ମ୍ୟାଚରେ ବାଧକ ସାଜିଛି ବର୍ଷା। ବର୍ଷା ଯୋଗୁ ମ୍ୟାଚ୍ ବନ୍ଦ ରହିଛି। ପ୍ରଥମ ଇନିଂସରେ ଆମେରିକା ଦଳ ମାତ୍ର ୧୦୭ ରନ୍ର ଅଲଆଉଟ୍ ହୋଇଥିଲା। ଦ୍ବିତୀୟ ଇନିଂସରେ ଭାରତ ମାତ୍ର ୪ ଓଭର ବ୍ୟାଟିଂ ଶେଷ କରିବା ବେଳେ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଥିଲା ମ୍ୟାଚ୍। ମ୍ୟାଚ ବନ୍ଦ ହେବା ସୁଦ୍ଧା ଭାରତର ଗୋଟିଏ ଓ୍ବିକେଟ ହରାଇ ୨୧ ରନ୍ କରିଛି। ବୈଭବ ସୂର୍ଯ୍ୟବଂଶୀ ୪ ବଲ୍ରେ ଦୁଇ ରନ୍ କରି ଆଉଟ୍ ହୋଇଥିବା ବେଳେ ଆୟୁଷ ମାହାତ୍ରେ ୧୭ ବଲ୍ରେ ୩ ଚୌକା ସହିତ ୧୫ ରନ୍ ଏବଂ ବେଦାନ୍ତ ତ୍ରିଭେଦୀ ୪ ବଲ୍ରେ ଦୁଇ ରନ୍ କରି ଅପରାଜିତ ରହିଛନ୍ତି।

୧୯ ବର୍ଷରୁ କମ୍ ବିଶ୍ୱକପର ପ୍ରଥମ ମ୍ୟାଚ୍ରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଭାରତୀୟ ୧୯ ବର୍ଷରୁ କମ୍ ଦଳ ଆମେରିକା ୧୯ ବର୍ଷରୁ କମ୍ ଦଳକୁ ୧୦୭ ରନ୍ରେ ଅଲ୍ଆଉଟ୍ କରିଥିଲା। ହେନିଲ୍ ପଟେଲ ୫ ୱିକେଟ୍ ନେଇଥିଲେ। ଦୀପେଶ ଦେବେନ୍ଦ୍ରନ୍, ଅମ୍ବ୍ରିଶ୍, ଖିଲାନ୍ ପଟେଲ ଏବଂ ବୈଭବ ସୂର୍ଯ୍ୟବଂଶୀ ପ୍ରତ୍ୟେକେ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଆମେରିକା ପକ୍ଷରୁ ନୀତିଶ ରେଡ୍ଡୀ ସର୍ବାଧିକ ୩୬ ରନ୍ କରିଥିଲେ। ଆମେରିକା ୧୯ ବର୍ଷରୁ କମ୍ ଦଳର ୬ ଜଣ ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ଓପନର୍ ଅମରିନ୍ଦର ୧, ଅଧିନାୟକ ଉତ୍କର୍ଷ ଶ୍ରୀବାସ୍ତବ ୦, ଆମୋଗ୍ ରେଡ୍ଡୀ ୩, ଅଦିତ କପ୍ପା ୫, ସବ୍ରିଶ ପ୍ରସାଦ ୭ ଏବଂ ରିଷଭ ରାଜ ୦ ରେ ଆଉଟ୍ ହୋଇଥିଲେ। ଖିଲାନ୍ ପଟେଲ ରିଷଭ ରାଜ ଶିମ୍ପିଙ୍କୁ ଆଉଟ୍ କରି ଇନିଂସରେ ତାଙ୍କର ୫ ୱିକେଟ୍ ହାସଲ କରିଥିଲେ। ତା’ପରେ ବୈଭବ ସୂର୍ଯ୍ୟବଂଶୀ ନୀତିଶ ରେଡ୍ଡୀଙ୍କୁ ଆଉଟ୍ କରି ଆମେରିକା ଇନିଂସର ଅନ୍ତ ଘଟାଇଥିଲେ।

୫ଟି ଓ୍ବିକେଟ ନେଇଥିଲେ ହେନିଲ ପଟେଲ:

କୁଇନ୍ସ ସ୍ପୋର୍ଟ୍ସ କ୍ଲବ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ରେ, ଭାରତୀୟ ୧୯ ବର୍ଷରୁ କମ୍ ଦଳର ଅଧିନାୟକ ଆୟୁଷ ମହାତ୍ରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦ୍ୱିତୀୟ ଓଭରରେ ଆମେରିକାର ପ୍ରଥମ ୱିକେଟ୍ ପଡ଼ିଥିଲା। ଆମେରିକୀୟ ଖେଳାଳୀ ଅମରିନ୍ଦର ଗିଲ୍ (୧)ଙ୍କୁ ଆଉଟ୍ କରିଥିଲେ ହେନିଲ୍ ପଟେଲ। ପରେ ଓପନର୍ ସାହିଲ୍ ଗର୍ଗ ୧୬ ରନ୍ କରି ଦପେଶ ଦେବେନ୍ଦ୍ରନ୍ଙ୍କ ବଲର ଶିକାର ହୋଇଥିଲେ।ଆମେରିକାର ଅଧିନାୟକ ଉତ୍କର୍ଷ ଶ୍ରୀବାସ୍ତବ ତାଙ୍କର ଖାତା ଖୋଲିପାରି ନ ଥିଲେ, ହେନିଲ୍ ପଟେଲଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଅର୍ଜୁନ ମହେଶଙ୍କୁ କ୍ୟାଚ୍ ଆଉଯ୍ କରି ହେନିଲ ପଟେଲ ଆମେରିକା ଇନିଂସର ଚତୁର୍ଥ ୱିକେଟ୍ ନେଇଥିଲେ। ତା'ପରେ ହେନିଲ୍ ଆମୋଘ ରେଡ୍ଡିଙ୍କୁ ପାଭିଲିୟନ ପଠାଇଥିଲେ। ଆମେରିକା ଦଳର ଅଧା ଖେଳାଳି ମାତ୍ର ୩୯ ରନ୍ ରେ ଆଉଟ୍ ହୋଇଯାଇଥିଲେ। ଅନ୍ୟ ପାର୍ଶ୍ୱରେ ୱିକେଟ୍ ପଡ଼ିବା ଜାରି ରହିଥିବା ବେଳେ ରେଡ୍ଡି ଗୁରୁତ୍ୱପୂର୍ଣ୍ଣ ରନ୍ ଯୋଡ଼ି ଚାଲିଥିଲେ। ଆମେରିକାର ସ୍କୋର ଶେଷରେ ୧୦୦ ରେ ପହଞ୍ଚିଥିଲା, କିନ୍ତୁ ତା’ପରେ ଦୁଇ ରନ୍ ମଧ୍ୟରେ ଆଉ ତିନୋଟି ୱିକେଟ୍ ହରାଇଥିଲା ଆମେରିକା ଦଳ। ବର୍ତ୍ତମାନ ବର୍ଷା ପାଇଁ ଅଟକିଛି ମ୍ୟାଚ୍।