ଚୌଦ୍ୱାର ୨୦/୧୦: ଚୌଦ୍ୱାର ଜେଲ ହୋଇ ପଡିଛି ଅସୁରକ୍ଷିତ l ଆଜି (ସୋମବାର) ଭୋର ସମୟରେ ନୂଆ ବିଲଡିଂ ୱାର୍ଡ ନମ୍ବର ୬୨ ରେ ରହୁଥିବା କବି ସେଠ୍ ନାମକ କଏଦୀକୁ ଅନ୍ୟ ଜଣେ କଏଦୀ  ପ୍ଲେଟରେ ମୁଣ୍ଡକୁ ଆକ୍ରମଣ କରିଥିବା ଜଣାପଡିଛି ।  ଏନେଇ ହାବିଲଦାର ମୁଖ୍ୟ ୱାର୍ଡରଙ୍କୁ ୱାକିଟକି ଯୋଗେ ଯୋଗାଯୋଗ କରିଥିଲେ ବି ସେ ଉଠାଇ ନଥିଲେ l ପରେ ଗୁରୁତର ଅବସ୍ଥାରେ ତାକୁ ଜେଲ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡିକାଲକୁ ନେଇଥିଲେ l ହେଲେ ଘଟଣା ଯେପରି ପଦାକୁ ନ ଆସିବ ସେ ନେଇ ଜେଲ ଅଧିକାରୀ ଫତୁଆ ଜାରି କରିଥିଲେ l ଏପରିକି ଥାନାରେ ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ଅଭିଯୋଗ କରିନଥିଲେ l କୌଣସି ସୂତ୍ରରୁ ଚୌଦ୍ୱାର ଆଇଆଇସି ଦୀପକ ଖଣ୍ଡାୟତରାୟ ଖବର ପାଇ ଜେଲ ଅଧିକାରୀଙ୍କୁ ଫୋନରେ ଯୋଗାଯୋଗ କରିବାରୁ  ଘଟଣା ଘଟିଥିବା କହିବା ସହ ଅଭିଯୋଗ ଦେଇଥିଲେ l ଜେଲର ୬୨ ନମ୍ବର ୱାର୍ଡରେ ରହୁଥିବା କବି ସେଠ୍ ନାମକ କଏଦୀକୁ ଅନ୍ୟ ଜଣେ କଏଦୀ ପ୍ଲେଟରେ ମୁଣ୍ଡକୁ ଆକ୍ରମଣ କରିଥିବା ନେଇ ଅଭିଯୋଗ କରିଥିଲେ l ହେଲେ କ’ଣ ପାଇଁ ଜେଲ ଅଧିକାରୀ ଘଟଣାକୁ ଲୁଚାଇବାକୁ ଚେଷ୍ଠା କରୁଥିଲେ ତାକୁ ନେଇ ଉଠିଛି ପ୍ରଶ୍ନ l ନିକଟରେ ସେଲ ମଧ୍ୟରୁ ବିହାରର ଦୁଇ କୁଖ୍ୟାତ ଅପରାଧୀ ଚମ୍ପଟ ମାରିବା ଘଟଣାରେ ଜେଲର ସୁରକ୍ଷା ବ୍ୟବସ୍ଥା ସହ ଅଧିକାରୀଙ୍କ ଅପାରଗତାକୁ ପଦାରେ ପକାଇଛି l ଏନେଇ ଜେଲ ଅଧିକ୍ଷକ ସୁଜିତ ରାଉଳଙ୍କୁ ଯୋଗାଯୋଗ କରିଥିଲେ ବି ଫୋନ ଉଠାଇ ନଥିଲେ l