ଲକ୍ଷ୍ନୌ, ୨୨/୯ : ଜାତିଗତ ଭେଦଭାବ ଦୂରୀକରଣ ଦିଗରେ ଉତ୍ତର ପ୍ରଦେଶ ସରକାରଙ୍କ ବଡ଼ ପଦକ୍ଷେପ। ଏବେ ୟୁପିରେ ଜାତି ଆଧାରିତ ରାଲି ଉପରେ ସମ୍ପୂର୍ଣ୍ଣ ରୋକ୍। ସାର୍ବଜନୀନ ସ୍ଥାନରେ, ପୁଲିସ ଏଫଆଇଆରରେ, ଆରେଷ୍ଟ ମେମୋ ଓ ସରକାରୀ କାଗଜପତ୍ରରେ କେଉଁଠି ବି ଲେଖା ହେବନି ଜାତି। ଆହ୍ଲାବାଦ ହାଇକୋର୍ଟଙ୍କ ଐତିହାସିକ ରାୟ ପରେ ୟୁପିରେ ନିୟମ ଲାଗୁ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ମୁଖ୍ୟ ଶାସନ ସଚିବ। 

ନିର୍ଦ୍ଦେଶନାମା ଅନୁଯାୟୀ, ଏବେ ପୁଲିସ ରେକର୍ଡ ଯଥା ଏଫଆଇଆର ଓ ଆରେଷ୍ଟ ମେମୋରେ କୌଣସି ବ୍ୟକ୍ତିର ଜାତି ବିଷୟରେ ଉଲ୍ଲେଖ କରାଯିବ ନାହିଁ। ଏହା ସହ ସରକାରୀ ଓ ଆଇନଗତ କାଗଜପତ୍ରରେ ମଧ୍ୟ ଜାତି ସମ୍ବନ୍ଧୀୟ କଲମ୍ ହଟା ଦିଆଯିବ। ୟୁପି ସରକାରଙ୍କ ଏହି ପଦକ୍ଷେପ ଦ୍ଵାରା ସମସ୍ତଙ୍କ ସହ ସମାନ ବ୍ୟବହାର ହେବ। ସେହିପରି ଜାତି ଆଧାରିତ ରାଲି ଉପରେ ପ୍ରତିବନ୍ଧକ ଲଗାଯିବ। ସୋସିଆଲ ମିଡିଆ, ଇଣ୍ଟରନେଟରେ ଜାତି ଆଧାରିତ ପ୍ରସାର ତଥା ଘୃଣା ଭାବ ସୃଷ୍ଟି କରୁଥିବା କଣ୍ଟେଣ୍ଟ ବିରୋଧରେ ଆଇଟି ଆକ୍ଟ ଆଧାରିତ କାର୍ଯ୍ୟାନୁଷ୍ଠାନ ନିଆଯିବ। 

ସୂଚନା ତାଉକି, ସେପ୍ଟେମ୍ଵର ୧୯ରେ ଆଲହାବାଦ ହାଇକୋର୍ଟର ଜଷ୍ଟିସ୍ ବିନୋଦ ଦିବାକରଙ୍କ ପୀଠ ଏକ ମଦ ତସ୍କରୀ ମାମଲାରେ ଶୁଣାଣି କରିବା ସମୟରେ ଏହି ଐତିହାସିକ ରାୟ ଶୁଣାଇଥିଲେ। ଆବେଦନକାରୀ ପ୍ରବୀଣ ଛେତ୍ରୀ ତାଙ୍କ ଗିରଫଦାରି ଓ ଏଫଆଇଆର ମେମୋରେ ତାଙ୍କ ଜାତିଗତ ତଥ୍ୟ ଭରିବା ପାଇଁ ଆପତ୍ତି କରିଥିଲେ। ଏହାପରେ କୋର୍ଟ ଏହାକୁ ସମ୍ବିଧାନ ବିରୋଧୀ କହିଥିଲେ। କୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କୁ ତତ୍କାଳ ଏହି ପ୍ରକ୍ରିୟାରେ ପରିବର୍ତ୍ତନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।