ନୂଆଦିଲ୍ଲୀ,୨୦/୦୩: ପତ୍ନୀଙ୍କ ମୋବାଇଲ ଫୋନ୍ରେ ‘ସିମେଣ୍ଟ ଓ ଡ୍ରମ୍’ ଶବ୍ଦ ବ୍ୟକ୍ତିଙ୍କ ହୋଶ୍ ଉଡ଼ାଇଦେଲା । ଏତେ ଡରିଗଲେ ଯେ ପତ୍ନୀଙ୍କୁ ତାଙ୍କ ପ୍ରେମିକା ସହ ଚାଲିଯିବାକୁ ଅନୁମତି ଦେଇଦେଲେ । ଏ କାହାଣୀ ଉତ୍ତରପ୍ରଦେଶର ବୁଲନ୍ଦସହର ବାସିନ୍ଦା ରାଜକୁମାରଙ୍କର, ଯିଏ ନିଜ ଜୀବନ ବଞ୍ଚାଇବା ପାଇଁ ପତ୍ନୀଙ୍କୁ ଜୀବନରୁ ଦୂରେଇ ଦେଇଛନ୍ତି । ରାଜକୁମାର କହିଛନ୍ତି, ପତ୍ନୀଙ୍କର ବିବାହୋତ୍ତର ସମ୍ପର୍କ ଥିଲା । ପ୍ରେମିକ ସହ ଯିବାକୁ ଦେବା ପୂର୍ବରୁ ପତ୍ନୀ ତାଙ୍କ ସହ ପ୍ରାୟତଃ ଝଗଡ଼ା କରୁଥିଲେ । ଗତ ବର୍ଷ ଜୁଲାଇରେ ପତ୍ନୀ ଘର ଛାଡ଼ି ଚାଲିଯାଇଥିଲେ । ଉଭୟଙ୍କର ୬ ମାସର ଶିଶୁ ପତ୍ନୀଙ୍କ ବାପା-ମା’ଙ୍କ ସହ ରହିଲା । ବାସ୍ତବରେ ସେ ନିଜ ପ୍ରେମିକ ସହ ମାସେ ରହିଥିଲେ । ଯେତେବେଳେ ସେ ଏ ବିଷୟ ସାମ୍ନାସାମ୍ନି କରିବାକୁ ଚେଷ୍ଟା କଲେ, ପତ୍ନୀ ପ୍ରମାଣ ମାଗିଲେ ।

ନିକଟରେ ପତ୍ନୀଙ୍କୁ ପ୍ରେମିକ ସହ ଫୋନ୍ରେ କଥା ହେଉଥିବା ଦେଖି ରାଜକୁମାର ଫୋନ୍ ଟାଣିନେଲେ ଏବଂ ଏହା ଜରିଆରେ ସତ ଉନ୍ମୋଚନର ସୁଯୋଗ ପାଇଲେ । ଫୋନ୍ ଯାଞ୍ଚରୁ ସେ କିଛି ନଗ୍ନ ଫଟୋ ଏବଂ ଫେସବୁକରେ ଶେୟାର ହୋଇଥିବା ହତ୍ୟା କାହାଣୀ ପାଇଲେ, ଯାହାର କ୍ୟାପ୍ସନ ଥିଲା ‘ସିମେଣ୍ଟ ଓ ଡ୍ରମ୍’ । ‘ନୀଳ ଡ୍ରମ୍ ଓ ସିମେଣ୍ଟ’ ଉଲ୍ଲେଖ ହୋଇଥିବା ଏକ ଛବିରେ ନିଜର ଫଟୋ ମଧ୍ୟ ପାଇଲେ । ତାଙ୍କୁ ହତ୍ୟା କରିବାକୁ ଯୋଜନା ହେଉଛି ବୋଲି ରାଜକୁମାର ବୁଝିଗଲେ । ‘ନୀଳ ଡ୍ରମ୍ ଓ ସିମେଣ୍ଟ’ ମାମଲା ୨୦୨୫ର ଅନ୍ୟତମ ସବୁଠୁ ଚର୍ଚ୍ଚିତ ହତ୍ୟାକାଣ୍ଡ ଥିଲା । ମୁସ୍କାନ ରସ୍ତୋଗୀ ନାମ୍ନୀ ମହିଳା ନିଜ ପ୍ରେମିକ ସାହିଲ ଶୁକ୍ଲା ସହ ମିଶି ସ୍ୱାମୀ ସୌରଭ ରାଜପୁତଙ୍କୁ ହତ୍ୟା କରିଥିଲେ । ଦୁହେଁ ସୌରଭଙ୍କ ଶରୀରକୁ ୧୫ ଖଣ୍ଡ କରି ନୀଳ ଡ୍ରମରେ ସିମେଣ୍ଟ ଭର୍ତ୍ତି କରି ସିଲ୍ କରିଦେଇଥିଲେ ।

ଆହୁରି ପଢନ୍ତୁ-ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ରୁ ବଡ଼ ଆୟ, ୧୨ ବର୍ଷରେ ୩୮ କୋଟି ରୋଜଗାର

ରାଜକୁମାର କହିଛନ୍ତି, ଝଗଡ଼ା ସମୟରେ ପତ୍ନୀ ତାଙ୍କୁ ହତ୍ୟା କରି ନୀଳ ଡ୍ରମ୍ରେ ଭର୍ତ୍ତି କରିବାକୁ ଧମକ ଦେଉଥିଲେ । ତାଙ୍କ ଫୋନ୍ ନେଇଯିବା ପରେ ସେ ରାଜକୁମାର ଓ ତାଙ୍କର ସମସ୍ତ ୪ ଭାଇଙ୍କୁ ହତ୍ୟା ଧମକ ଦେଲେ । ନିଜ ବିଫଳ ବୈବାହିକ ଜୀବନ ବିଷୟରେ ରାଜକୁମାର କହନ୍ତି, ପତ୍ନୀ ତାଙ୍କ ପାଇଁ କେବେ ରୋଷେଇ କରୁନଥିଲେ କିମ୍ବା ତାଙ୍କ କପଡ଼ା ମଧ୍ୟ ସଫା କରୁନଥିଲେ । ପିଲାର ଅସନା କପଡ଼ାକୁ ମଧ୍ୟ ଧୋଇବା ବଦଳରେ ଫିଙ୍ଗି ଦେଉଥିଲେ । ଏ ନେଇ ସେ ଥାନାରେ ଅଭିଯୋଗ କଲେ । ମଧ୍ୟସ୍ଥତା ପ୍ରକ୍ରିୟାରେ ତାଙ୍କ ପତ୍ନୀ ପ୍ରେମିକ ସହ ରହିବାକୁ ଚାହୁଁଥିବା ସ୍ପଷ୍ଟ କଲେ । ତା’ପରେ ପ୍ରେମିକକୁ ଭେଟି ପତ୍ନୀଙ୍କୁ ତା’ସହ ଯିବାକୁ ଦେଲେ ।