ୟୁପିରେ ଜୈଶର ୨ ଆତଙ୍କବାଦୀ ଗିରଫ

source: https://www.jansatta.com
ଲକ୍ଷ୍ନୌ,୨୨।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣର ଷଡଯନ୍ତ୍ର ରଚିଥିବା ଜୈଶ-ଇ-ମହମ୍ମଦର ୨ ଆତଙ୍କବାଦୀଙ୍କୁ ଆଜି ଉତ୍ତରପ୍ରଦେଶର ସାହାରନପୁରରୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଜଣେ ଆତଙ୍କବାଦୀଙ୍କ ନାମ ଶାହାନଓ୍ବାଜ ଅହମ୍ମଦ ତେଲି। ଶାହାନଓ୍ବାଜ କୁଲଗାଓଁରେ ରୁହେ। ଗିରଫ ହୋଇଥିବା ଅନ୍ୟ ଆତଙ୍କବାଦୀ ଜଣକର ଘର ପୁଲଓ୍ବାମରେ ହୋଇଥିବା ବେଳେ ତା’ର ନାଁ ଆକିବ ଅହମ୍ମଦ ମଲିକ ବୋଲି ଜଣାପହିଛି। ଏହି ଦୁଇଜଣଙ୍କୁ ଦେଓବନ୍ଦର ଏକ ହଷ୍ଟେଲରୁ ଗିରଫ କରାଯାଇଛି। ଦୁହେଁ କଶ୍ମୀର ଛାତ୍ର ବୋଲି ପରିଚୟ ଦେଇ ସେଠାରେ ରହୁଥିଲେ।
ୟୁପି ପୋଲିସ ଡିଜିସି ଓପି ସିଂହ କହିଛନ୍ତି ଶାହନଓ୍ବାଜ ଜୈଶର ସକ୍ରିୟ ସଦସ୍ୟ। ସେ ନିଜ ସଂଗଠନ ପାଇଁ ନିଯୁକ୍ତି କରାଉଥିଲା। ଦୁହିଁଙ୍କ ପାଖରୁ ୩୨ ବୋରର ପିସ୍ତଲ ଏବଂ ୩୦ ଟି ଅଫୁଟା ଗୁଳି ଜବତ କରାଯାଇଛି। ପୋଲିସକୁ ସେମାନଙ୍କ ନିକଟରୁ ବହୁ ଜିହାଦୀ ଦସ୍ତାବିଜ ମିଳିଛି। ଦୁହିଁଙ୍କ ମଧ୍ୟରେ ଶାହନଓ୍ବାଜ ଗ୍ରେନେଡ ଲଞ୍ଚ କରିବାରେ ଏକ୍ସପର୍ଟ ବୋଲି କୁହାଯାଉଛି। ପୋଲିସର କହିବା ଅନୁସାରେ ଦୁହିଁଙ୍କୁ କୋର୍ଟରେ ହାଜର କରାଯାଇ ତାଙ୍କୁ ରିମାଣ୍ଡରେ ନିଆଯିବ। ସେମାନଙ୍କ ଲକ୍ଷ୍ୟ କ’ଣ ଥିଲା ଏବଂ ତାଙ୍କୁ କିଏ ପାଣ୍ଠି ଯୋଗାଉଥିଲା ସେ ବିଷୟରେ ପଚରାଉଚରା କରାଯିବ।