• ୟୁପିରେ ଏସଆଇଆର ଅଭିଯାନ
  • ଭୋଟର ତାଲିକାରେ ବଡ଼ ପରିବର୍ତ୍ତନର ସଙ୍କେତ
  • ୨.୮୯ କୋଟି ନାଁ ତାଲିକାରୁ ହଟି ପାରେ
  • ୬ ଜାନୁଆରୀ ୨୦୨୬ରେ ଡ୍ରାଫ୍ଟ ରୋଲ୍ ବାହାରିବ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶରେ ଚାଲିଥିବା ଏସଆଇଆର ଅଭିଯାନ ଅନୁସାରେ , ଭୋଟର ତାଲିକାରେ ଏକ ବଡ଼ ପରିବର୍ତ୍ତନର ସଙ୍କେତ ମିଳୁଛି। ନିର୍ବାଚନ ଆୟୋଗଙ୍କ ଅନ୍ତିମ ତଥ୍ୟ ଅନୁସାରେ, ରାଜ୍ୟର ପାଖାପାଖି ୧୮.୭୦ ପ୍ରତିଶତ ଭୋଟ ଅର୍ଥାତ୍ ପାଖାପାଖି ୨.୮୯ କୋଟି ନାମ ତାଲିକାରୁ ହଟାଯାଇ ପାରେ। ଏହି ମଧ୍ୟରେ ଆୟୋଗ ଡ୍ରାଫ୍ଟ ରୋଲ୍ର ପ୍ରକାଶନ ତାରିଖକୁ ୩୧ ଡିସେମ୍ୱରରୁ ବଢାଇ ଏବେ ୬ ଜାନୁଆରୀ , ୨୦୨୬ କରି ଦେଇଛନ୍ତି। ଉତ୍ତର ପ୍ରଦେଶରେ ଭୋଟର ତାଲିକାର ରିଭିଜନ କାର୍ଯ୍ୟକ୍ରମ ଏବେ ସୁଦ୍ଧା ତିନି ଥର ବଦଳି ସାରିଛି।

ଏହାସହ ମଧ୍ୟ ପଢନ୍ତୁ : ଯୋଗୀଙ୍କ ଟିମ୍‌ରେ ହୋଇପାରେ ବଡ଼ ପରିବର୍ତ୍ତନ , ମନ୍ତ୍ରିମଣ୍ଡଳ ସଂପ୍ରସାରଣର ଆଲୋଚନା ଉଡ଼ାଇଲା ଅନେକ ମନ୍ତ୍ରୀଙ୍କ ନିଦ

ଇଣ୍ଡିଆନ ଏକ୍ସପ୍ରେସ୍ ନିଜର ଏକ ରିପୋର୍ଟରେ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ନବଦୀପ ପିନୱାଙ୍କ ଅନୁସାରେ କହିଛି ଯେ- ରାଜ୍ୟରେ ୧୫,୦୩୦ ଟି ନୂଆ ଭୋଟଦାନ କେନ୍ଦ୍ର ତିଆରି କରାଯାଇଛି। ବୁଥ୍ର ଏହି ଯୁକ୍ତିକରଣ କାରଣରୁ ଭୋଟରଙ୍କ ନା ନୂଆ ବୁଥକୁ ଶିଫ୍ଟ କରିବା ଓ ଅନ୍ୟ ଟେକ୍ନିକାଲ ପ୍ରକ୍ରିୟା ପାଇଁ ସମୟ ବଢାଯାଇଛି।

ନୂଆ କାର୍ଯ୍ୟକ୍ରମ ଅନୁସାରେ ୬ ଜାନୁଆରୀ ୨୦୨୬ରେ ଡ୍ରାଫ୍ଟ ରୋଲ୍ର ପ୍ରକାଶନ ହେବ। ୬ ଜାନୁଆରୀରୁ ୬ ଫେବ୍ରୁଆରୀ ଯାଏ ଦାବି ଓ ଅଭିଯୋଗ ଗୁଡ଼ିକ ରୁଜୁ କରିବା ସମୟ ଧାର୍ଯ୍ୟ ହୋଇଛି। ୬ ମାର୍ଚ୍ଚ ୨୦୨୬ରେ ଅନ୍ତିମ ଭୋଟର ତାଲିକାର ପ୍ରକାଶନ ହେବ।

କାହିଁକି କଟୁଛି ଏତେ ଅଧିକ ନାମ ?

ରାଜ୍ୟରେ ମୋଟ ୧୫.୪୪ କୋଟି ମତାଦାତଙ୍କ ମଧ୍ୟରୁ ପାଖାପାଖି ୨.୮୯ କୋଟିର ନାମ ଭୋଟ ତାଲିକାରୁ ହଟିବା ପାଇଁ ଚିହ୍ନିତ କରାଯାଇଛି। ଏଥିରୁ ପାଖାପାଖି ୪୬.୨୪ ଲକ୍ଷ ଭୋଟରଙ୍କ ମୃତ୍ୟୁ ହୋଇ ସାରିଛି। ୧.୩ କୋଟି ଲୋକଙ୍କ ନାଁ ଏଥିପାଇଁ କଟି ଯିବ, କାରଣ ସେ ସ୍ଥାୟୀ ରୂପେ କୌଣସି ଦ୍ୱିତୀୟ ସ୍ଥାନକୁ ସିଫ୍ଟ ହୋଇ ସାରିଛନ୍ତି। ୭୯.୫୨ ଲକ୍ଷ ଭୋଟର ସର୍ଭେ ବେଳେ ଗାଏବ ହୋଇଥିବା ମିଳିଛି। ଅନ୍ୟପଟେ ୨୫.୪୭ ଲକ୍ଷ ଭୋଟକଙ୍କ ନାମ ଗୋଟିଏରୁ ଅଧିକ ସ୍ଥାନରେ ରହିଥିଲା।

ସହରାଞ୍ଚଳ ଜିଲ୍ଲାରେ ସବୁଠୁ ଅଧିକ ନାଁ କଟିବ-

ତଥ୍ୟର ବିଶ୍ଳେଷଣ ଦର୍ଶାଉଛି ଯେ, ଗ୍ରାମୀଣ ଅଞ୍ଚଳ ତୁଳନାରେ ସହରୀ ଜିଲ୍ଲାରେ ନାମ କଟିବାର ହାର ବହୁତ ଅଧିକ। ଲକ୍ଷ୍ନୌ ଏହି ତାଲିକାରେ ସବୁଠୁ ଉପରେ। ଏଠାରେ ପାଖାପାଖି ୧୨ ଲକ୍ଷ ନାଁ କଟି ଯିବ। ମୋଟ ଭୋଟରଙ୍କ ଏହା ୩୦ ପ୍ରତିଶତ। ଗାଜିଆବାଦରେ ୮.୧୮ ଲକ୍ଷ ନାଁ ହଟିବ। ଯାହା କି ୨୮.୮୩ ପ୍ରତିଶତ। ୯ ଲକ୍ଷ ନାମ କାନପୁର ସହରୀ କ୍ଷେତ୍ରରୁ ହଟିବ। ପ୍ରୟାଗରାଜରୁ ମଧ୍ୟ ୧୧.୫୬ ଲକ୍ଷ ନାଁ ହଟାଯିବ।