ମୁମ୍ବାଇ, ୧୨/୦୧: ମହିଳା ପ୍ରିମିୟର ଲିଗ୍ (ଡବ୍ଲ୍ୟୁପିଏଲ୍)ର ପଞ୍ଚମ ଲିଗ୍ ମୁକାବିଲାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ୟୁପି ୱାରିୟର୍ସ ସାମ୍ନାସାମ୍ନି ହେବେ । ଡିୱାଇ ପାଟିଲ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ଅଭିଯାନ ଆରମ୍ଭ କରିଥିବା ରୟାଲ୍ ଚ୍ୟାଲେଞ୍ଜର୍ସ ବିଜୟଧାରା ଜାରି ରଖିବା ଲକ୍ଷ୍ୟରେ ରହିଛି । ଅନ୍ୟ ପଟରେ ୟୁପି ୱାରିୟର୍ସ ଖାତା ଖୋଲିବାକୁ ବ୍ୟାକୁଳ । ଫଳରେ ମ୍ୟାଚ୍‌ଟି ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି ।

ରୟାଲ୍ ଚ୍ୟାଲେଞ୍ଜର୍ସ ପ୍ରଥମ ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସକୁ ୩ରନରେ ପରାଜିତ କରିଥିଲା । ନାଦିନ ଡି’କ୍ଲର୍କ (୪ ୱିକେଟ୍, ଅପରାଜିତ ୬୩) ଅଲରାଉଣ୍ଡ୍ ପ୍ରଦର୍ଶନ କରି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଅଧିନାୟିକା ସ୍ମୃତି ମନ୍ଧନା ଓ ଗ୍ରେସ୍ ହ୍ୟାରିସ୍ସଠୁ ଦର୍ଶକ ବଡ଼ ଇନିଂସ୍ ଆଶା ରଖିବେ । ମଧ୍ୟକ୍ରମରେ ଦୟାଲନ ହେମଲତା, ରିଚା ଘୋଷ ଓ ରାଧା ଯାଦବ ପୂର୍ବ ମ୍ୟାଚ୍‌ରେ ବିଫଳ ହୋଇଥିଲେ । ଏହି ୩ବ୍ୟାଟର ଫର୍ମକୁ ଫେରିଲେ ଦଳର ବିଜୟ ସହଜ ହୋଇପାରିବ । ବୋଲିଂ ବିଭାଗ ଅପେକ୍ଷାକୃତ ଦୃଢ଼ ରହିଛି ।

ୟୁପି ୱାରିୟର୍ସ ଲଢ଼ୁଆ ପ୍ରଦର୍ଶନ ସତ୍ତେ୍ୱ ଗୁଜରାଟ ଜାଏଣ୍ଟ୍ସ ନିକଟରୁ ୧୦ରନ୍‌ରେ ପରାସ୍ତ କରିଥିଲା । ମଧ୍ୟକ୍ରମ ବ୍ୟାଟର ଫୋଏବ ଲିଚଫିଲ୍ଡ (୭୮) ଅର୍ଦ୍ଧଶତକୀୟ ଇନିଂସ୍ ଖେଳି ଫର୍ମରେ ଥିବା ପ୍ରମାଣିତ କରିଥିଲେ । ମେଗ୍ ଲ୍ୟାନିଂଙ୍କ ନେତୃତ୍ୱରେ ଦଳ ଶୃଙ୍ଖଳିତ ପ୍ରଦର୍ଶନ କରିଥିଲା । ବୋଲିଂ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ ଦେଲେ ରୟାଲ୍ସ ଚ୍ୟାଲେଞ୍ଜର୍ସ ବିଜୟରେ ବ୍ରେକ୍ ଲଗାଇ ପାରିବ । ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ । କାକର ପଡ଼ୁଥିବାରୁ ଦ୍ୱିତୀୟ ଭାଗରେ ବ୍ୟାଟିଂ ସହଜ । ତେଣୁ ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।

ସମ୍ଭାବ୍ୟ ଏକାଦଶ

ୟୁପି ୱାରିୟର୍ସ: କିରଣ ନଭଗିରେ, ମେଗ ଲ୍ୟାନିଂ (ଅଧିନାୟିକା), ଫୋଏବ ଲିଚଫିଲ୍ଡ, ହର୍ଲିନ ଦେଓଲ, ଦୀପ୍ତି ଶର୍ମା, ଶ୍ୱେତା ଶେରାୱତ, ଡିଣ୍ଡ୍ରା ଡଟିନ, ସୋଫି ଏକ୍ଲେଷ୍ଟୋନ, ଆଶା ଶୋଭାନା, ଶିଖା ପାଣ୍ଡେ, କ୍ରାନ୍ତି ଗୌଡ଼ ।

ରୟାଲ୍ ଚ୍ୟାଲେଞ୍ଜର୍ସ: ଗ୍ରେସ୍ ହ୍ୟାରିସ୍, ସ୍ମୃତି ମନ୍ଧନା (ଅଧିନାୟିକା), ଦୟାଲନ ହେମଲତା, ରିଚା ଘୋଷ, ରାଧା ଯାଦବ, ନାଦିନ ଡି’କ୍ଲର୍କ, ଅରୁନ୍ଧତୀ ରେଡ୍ଡୀ, ଶ୍ରେୟଙ୍କା ପାଟିଲ, ପ୍ରେମା ରାୱତ, ଲିନ୍ସି ସ୍ମିଥ୍, ଲୌରେନ ବେଲ୍।