ନୂଆଦିଲ୍ଲୀ, ୦୯/୦୫ : ଇରାନ କହୁଛି ଆମେ ଅନ୍ୟ ରାଷ୍ଟ୍ର ଭଳି ପରମାଣୁ ଶକ୍ତିସମ୍ପନ୍ନ ହେବୁ। ଉତ୍ତର କୋରିଆ ଭଳି ଦେଶ ଯଦି ଏହି ଅସ୍ତ୍ରର ଅଧିକାରୀ ହୋଇପାରୁଛି, ଆମେ କାହିଁକି ନୁହଁ ? ଆମେରିକାର ଯୁକ୍ତି ଯେ ଇରାନ ଏକ ଦାୟିତ୍ୱସମ୍ପନ୍ନ ଦେଶ ନୁହେଁ। ଏହା ପରମାଣୁ ବୋମାର ଅଧିକାରୀ ହେଲେ ବିଶ୍ୱ ପାଇଁ ସାଙ୍ଘାତିକ ବିପଦ ସୃଷ୍ଟି ହେବ। ଇରାନକୁ ପରମାଣୁ ଶକ୍ତି ରାଷ୍ଟ୍ର ହେବାକୁ ଦିଆଯିବା ଅନୁଚିତ। ଦୁଇଦେଶ ମଧ୍ୟରେ ଏହି ବିରାଟ ଫାଙ୍କରୁ ଜନ୍ମ ନେଇଛି ମହାଯୁଦ୍ଧ। ପରମାଣୁ ବୋମା ପାଇଁ ସବୁଠୁ ଜରୁରି ଉପାଦାନ ହେଉଛି ‘ୟୁରାନିୟମ’। ୟୁରାନିୟମର ଅଧିକାରୀ ହେବା ପାଇଁ ଇରାନ ୬୦ ପ୍ରତିଶତ ସଫଳ ହୋଇଯାଇଥିଲା । ଆଉ ମାତ୍ର ୪୦ ପ୍ରତିଶତର ସଫଳତା ପାଇବା ପୂର୍ବରୁ ଆମେରିକା କରିଥିଲା ଆକ୍ରମଣ। ଇସ୍ରାଏଲ୍‌ ସହ ମିଶି ଇରାନର ପ୍ରମୁଖ ସାମରିକ ସ୍ଥଳୀ ଉପରେ ଘନଘନ ମିସାଇଲ ମାଡ଼ କରିଥିଲା । ପରମାଣୁ ବୋମାର ଅଧିକାରୀ ହେବା ଜିଦ୍‌କୁ ଜାବୁଡ଼ି ଧରି ପ୍ରଚଣ୍ଡ ଜବାବ ଦେଇଥିଲା ଇରାନ। ସୁପ୍ରିମ ଲିଡର ଆୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ସମେତ ଅନେକ ଟାଣୁଆ ନେତାଙ୍କୁ ହରାଇ ବି ହାରିଯାଇ ନ ଥିଲା ।

୨୫୦ ବର୍ଷର ଏକ ଦେଶ (ଆମେରିକା) ୬ ହଜାର ବର୍ଷ ପୁରୁଣା ସଭ୍ୟତା (ଇରାନ)କୁ ହରାଇ ପାରିବ ନାହିଁ ବୋଲି ହୁଙ୍କାର ଦେଇଥିଲା ଇରାନ। ଅସ୍ତିତ୍ୱର ସୁରକ୍ଷା ଏବଂ ହକ୍‌ ପାଇଁ ୪୦ ଦିନ ଧରି ପୂରା ଶକ୍ତି ଲଗାଇ ଲଢ଼ିଥିଲା । ‘କର ବା ମର’ ନୀତିରେ ଇରାନୀ ସେନା ଆମେରିକା ଓ ଇସ୍ରାଏଲ୍‌ର ପ୍ରତିଟି ଆକ୍ରମଣର ଜବାବ ଦେଇଥିଲା। ଯୁଦ୍ଧକୁ ସୁଯୋଗରେ ପରିଣତ କରି ପରମାଣୁର ଅଧିକାରୀ ହେବା ପାଇଁ ଅଡ଼ିବସିଥିଲା । ବିଶ୍ୱକୁ ଡରାଇବାରେ ଅଭ୍ୟସ୍ତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପାଇଁ ଏହା ଅଡୁଆ ପରିସ୍ଥିତି ସୃଷ୍ଟି କରିଥିଲା। ଶେଷରେ ଯୁଦ୍ଧବିରତି ଘୋଷଣା କରିଥିଲା ଆମେରିକା। ଏବେ ଯୁଦ୍ଧବିରତି ଜାରି ରହିଛି ସତ। କିନ୍ତୁ ଆହୁରି ଭୀଷଣ ଯୁଦ୍ଧ ପାଇଁ ଇରାନ ପ୍ରସ୍ତୁତ । ୟୁରାନିୟମ ବିକାଶରେ ୧୦୦ ପ୍ରତିଶତ ସଫଳତା ହାସଲ କରିବାକୁ ଏହା ଏବେ ବି ତତ୍ପର। ଇରାନ ଏଥିରେ ସଫଳ ହେବ ନା ଆମେରିକା ଏହାକୁ ରୋକିଦେବ, ତାହା ଉପରେ ବିଶ୍ୱର ନଜର।

ଇରାନର ସାମ୍ପ୍ରତିକ ସ୍ଥିତି

ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି ଅନୁସାରେ, ଇରାନ ପାଖରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ସମୃଦ୍ଧ ହୋଇସାରିଥିବା ପ୍ରାୟ ୪୪୦ କେଜି ବା ୯୭୦ ପାଉଣ୍ଡ ୟୁରାନିୟମ ରହିଛି । ଯଦି ତାହାକୁ ୯୦ ପ୍ରତିଶତ ପର୍ଯ୍ୟନ୍ତ ସମୃଦ୍ଧିକରଣ କରାଯାଏ ତେବେ ଇରାନ ସେଥିରୁ ୧୦ରୁ ୧୧ ପରମାଣୁ ବୋମା ବନାଇପାରିବ । ମାସାଚ୍ୟୁସେଟ୍ସ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜିର ପ୍ରଫେସର ଟେଡ୍‌ ପୋସ୍ତୋଲ କହିଛନ୍ତି, ଇରାନର ଫୋର୍ଡୋ ପରମାଣୁ କେନ୍ଦ୍ର ଉପରେ ଆମେରିକା ଆକ୍ରମଣ କରିବା ପୂର୍ବରୁ ଇରାନ ପାଖରେ ଅତିକମ୍‌ରେ ୧୭୪ ଆଇଆର୍‌-୬ ସେଣ୍ଟ୍ରିଫ୍ୟୁଜ୍‌ର ୧୦ କାସ୍‌କେଡ୍‌ କାର୍ଯ୍ୟକ୍ଷମ ଥିଲା । ଅର୍ଥାତ ୧,୭୪୦ଟି ଆଇଆର୍‌-୬ ସେଣ୍ଟ୍ରିଫ୍ୟୁଜ୍‌ । ଆଇଆର୍‌-୬ ହେଉଛି ଇରାନର ସବୁଠାରୁ ଅତ୍ୟାଧୁନିକ ସେଣ୍ଟ୍ରିଫ୍ୟୁଜ୍‌ ମଡେଲ ମଧ୍ୟରୁ ଅନ୍ୟତମ । ଏହା ବ୍ୟତୀତ ଇରାନ ପାଖରେ ହଜାର ହଜାର ପୁରୁଣା ମଡେଲର ସେଣ୍ଟ୍ରିଫ୍ୟୁଜ୍‌ ମଧ୍ୟ ରହିଛି । ଇରାନ ଭୂତଳରେ ସାଇତି ରଖିଥିବା ଏହି ସେଣ୍ଟ୍ରିଫ୍ୟୁଜ୍‌ଗୁଡ଼ିକର ସ୍ଥିତି କିମ୍ବା ୟୁରାନିୟମ ହେକ୍ସାଫ୍ଲୋରାଇଡ୍‌ର ମହଜୁଦ ପରିମାଣ ବାବଦରେ ଅଧିକ ସୂଚନା ନାହିଁ । ପୋସ୍ତୋଲଙ୍କ ଅନୁସାରେ, ୬୦ ପ୍ରତିଶତ ପର୍ଯ୍ୟନ୍ତ ୟୁରାନିୟମ ସମୃଦ୍ଧିକରଣ ପାଇଁ ପ୍ରାୟ ୫ ବର୍ଷ ଏବଂ ୫ ହଜାର ଏସ୍‌ଡବ୍ଲ୍ୟୁୟୁ ଆବଶ୍ୟକ, ଯାହା ଇରାନ ପୂର୍ବରୁ କରିସାରିଛି । ୬୦ ପ୍ରତିଶତରୁ ୯୦ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ମାତ୍ର ୫୦୦ ଏସ୍‌ଡବ୍ଲ୍ୟୁୟୁ ଆବଶ୍ୟକ । ଏଥିପାଇଁ ମାତ୍ର ୪ରୁ ୫ ସପ୍ତାହ ସମୟ ଲାଗିପାରେ । 

ଇରାନ କରିଥିବା ଚୁକ୍ତି

୨୦୧୫ରେ ବାରାକ ଓବାମା ଆମେରିକାର ରାଷ୍ଟ୍ରପତି ଥିଲା ବେଳେ ଚୀନ୍‌, ଫ୍ରାନ୍ସ, ଜର୍ମାନୀ, ରୁଷ୍‌, ବ୍ରିଟେନ ଏବଂ ଆମେରିକା ସମେତ ୟୁରୋପୀୟ ସଂଘ ସହ ଇରାନ ଏକ ବୁଝାମଣା କରିଥିଲା, ଯାହାକୁ ଜେସିପିଓଏ କୁହାଯାଏ । ଏହା ଅନୁସାରେ ଇରାନ ନିଜର ପରମାଣୁ କାର୍ଯ୍ୟକ୍ରମକୁ ସୀମିତ ରଖିବ । ଇରାନ ୩.୬୭ ପ୍ରତିଶତ ପର୍ଯ୍ୟନ୍ତ ୟୁରାନିୟମ ସମୃଦ୍ଧିକରଣ କରିପାରିବ । ଏହା ବଦଳରେ ଇରାନ ଉପରୁ ଆର୍ଥିକ କଟକଣା ହଟାଯିବ। ଇରାନ ଏଥିରେ ରାଜି ହେବା ପରେ ତାହାକୁ ୬ ହଜାର ସେଣ୍ଟ୍ରିଫ୍ୟୁଜ୍‌ ରଖିବାକୁ ଅନୁମତି ମିଳିଥିଲା ଏବଂ ଇରାନ ଉପରେ କଡ଼ା ନଜର ରଖାଯାଇଥିଲା । ଏଥିରେ ଇରାନକୁ କିଛି ଅସୁବିଧା ନ ଥିଲା ଏବଂ ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା । କିନ୍ତୁ ୨୦୧୮ରେ ଡୋନାଲ୍ଡ ଟ୍ରମ୍ପ୍‌ ଆମେରିକାର ରାଷ୍ଟ୍ରପତି ହେବା ପରେ ଏହି ଚୁକ୍ତି ‘ଏକପାଖିଆ’ ବୋଲି କହି ସେଥିରୁ ଓହରି ଯାଇଥିଲେ ଏବଂ ଇରାନ ଉପରେ ପୁଣି କଟକଣା ଲଗାଇଥିଲେ। ଏହାର ଜବାବରେ ଇରାନ ଫୋର୍ଡୋରେ ପୁଣି ୟୁରାନିୟମ ସମୃଦ୍ଧିକରଣ ଆରମ୍ଭ କରିଥିଲା । ୨୦୨୦ ଜାନୁଆରୀରେ ଆମେରିକା ଇରାନର ଜେନେରାଲ କାସେମ ସୋଲେମାନିଙ୍କୁ ହତ୍ୟା କରିବା ପରେ ଇରାନ କ୍ରୋଧିତ ହୋଇଉଠିଥିଲା । ଏଣିକି ଇରାନ ଆଉ ୟୁରାନିୟମ ସମୃଦ୍ଧିକରଣ ସୀମା ମାନିବନି ବୋଲି କହିଥିଲା।

କ’ଣ କହୁଛି ଏନ୍‌ପିଟି ?

୧୯୬୮ରେ ହୋଇଥିବା ଅଣୁ ଅସ୍ତ୍ରର ଅପ୍ରସାରଣ ଚୁକ୍ତି (ନନ୍‌-ପ୍ରୋଲିଫେରେସନ ଟ୍ରିଟି ବା ଏନ୍‌ପିଟି) ଏଭଳି ଅସ୍ତ୍ର ପ୍ରସାରକୁ ରୋକିବା ଏବଂ ପରମାଣୁ ଶକ୍ତିର ଶାନ୍ତିପୂର୍ଣ୍ଣ ବ୍ୟବହାରକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ଚୁକ୍ତି । ଇରାନ ମଧ୍ୟ ଏହି ଚୁକ୍ତିରେ ସ୍ୱାକ୍ଷର କରିଥିବା ଦେଶଗୁଡ଼ିକ ମଧ୍ୟରୁ ଅନ୍ୟତମ । ଏହି ଚୁକ୍ତି ଅନୁସାରେ, ସମସ୍ତ ସ୍ୱାକ୍ଷରକାରୀ ଦେଶ ପରମାଣୁ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିବା ଏବଂ ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟରେ (ଯଥା ଶକ୍ତି ଉତ୍ପାଦନ, ଚିକିତ୍ସା କିମ୍ବା ଶିଳ୍ପ କ୍ଷେତ୍ର) ୟୁରାନିୟମ ସମୃଦ୍ଧ କରିବାର ଅଧିକାର ରହିଛି । କିନ୍ତୁ ଏହି ପ୍ରଯୁକ୍ତିକୁ ଅସ୍ତ୍ର ତିଆରିରେ ବ୍ୟବହାର କରାଯିବ ନାହିଁ । ପରମାଣୁ ଅସ୍ତ୍ର ରଖିଥିବା ଦେଶମାନେ ଅଣ-ପରମାଣୁ ଶକ୍ତିସମ୍ପନ୍ନ ଦେଶଗୁଡ଼ିକୁ ପରମାଣୁ ଅସ୍ତ୍ର ହସ୍ତାନ୍ତର କରିବେ ନାହିଁ କିମ୍ବା ତାହା ବିକଶିତ କରିବାରେ ବି ସାହାଯ୍ୟ କରିବେନି । ସେହିପରି ଅଣ-ପରମାଣୁ ଶକ୍ତି ସମ୍ପନ୍ନ ଦେଶ ପରମାଣୁ ଅସ୍ତ୍ର ହାସଲ କରିବାକୁ ମଧ୍ୟ ଚେଷ୍ଟା କରିବେନି ବୋଲି ଏହି ଚୁକ୍ତି ମାଧ୍ୟମରେ ସମ୍ମତି ପ୍ରକାଶ କରିଛନ୍ତି ।  ଏହା ସତ୍ତ୍ଵେ ପରମାଣୁ ଶକ୍ତି ସମ୍ପନ୍ନ ଦେଶ ସେମାନଙ୍କ ପରମାଣୁ ଅସ୍ତ୍ରକୁ ଅଧିକ ଆଧୁନିକୀକରଣ କରୁଛନ୍ତି। ବିଶ୍ୱର ଅଧିକାଂଶ ଦେଶ ଏହି ଚୁକ୍ତିରେ ସ୍ୱାକ୍ଷର କରିଛନ୍ତି। ତେବେ ଭାରତ, ପାକିସ୍ତାନ, ଇସ୍ରାଏଲ, ଦକ୍ଷିଣ ସୁଦାନ, ଉତ୍ତର କୋରିଆ ଏହି ଚୁକ୍ତିରେ ସ୍ୱାକ୍ଷର କରିନାହାନ୍ତି ।

ଏହି ଖବରଟିକୁ ପଢନ୍ତୁVolcano Eruption : ଇଣ୍ଡୋନେସିଆରେ ଆଗ୍ନେୟଗିରି ଉଦ୍‌ଗିରଣ, ୩ ମୃତ, ୧୫ ଜଣ ଉଦ୍ଧାର