ନୂଆଦିଲ୍ଲୀ: ଭାରତ-ଆମେରିକା ମଧ୍ୟରେ ଚାଲିଥିବା ଶୁଳ୍କ ବିବାଦ ମଧ୍ୟରେ ନୂଆଦିଲ୍ଲୀ ସହ ବେଜିଂର ସମ୍ପର୍କ ବଢିବାକୁ ନେଇ ରାଷ୍ଟ୍ରପତି ଟ୍ରମ୍ପ ଏବେ ଚିନ୍ତାରେ । ଭାରତ ଚୀନ୍ର ନିକଟତର ହେବା ଦେଖି ମୋଦୀଙ୍କ ସହ ପୁଣି ଥରେ ସମ୍ପର୍କ ସୁଧାରିବାକୁ ପ୍ରସ୍ତୁତିକୁ ଜୋରଦାର କରୁଛନ୍ତି ଟ୍ରମ୍ପ । ନିକଟରେ ଟ୍ରମ୍ପ ତାଙ୍କର ଏକ ବିବୃତ୍ତିରେ ସ୍ପଷ୍ଟ କରିଥିଲେ ଯେ, ସେ ଖୁବଶୀଘ୍ର ଭାରତ ସହ ତାଙ୍କର ସମ୍ପର୍କରେ ସୁଧାର ଆଣିବେ। ଆଉ ଏହି ସମୟରେ, ଭାରତରେ ନିୟୋଜିତ ଆମେରିକୀୟ ରାଷ୍ଟ୍ରଦୂତ ସେର୍ଗିଓ ଗୋର୍ ମଧ୍ୟ କହିଛନ୍ତି ଯେ, ଭାରତକୁ ଆମ ପକ୍ଷକୁ ଆଣିବା ଆମର ସର୍ବୋଚ୍ଚ ପ୍ରାଥମିକତା।
ସେର୍ଗିଓ ଗୋର୍ କହିଛନ୍ତି, " ଭାରତକୁ ଆମ ପକ୍ଷକୁ ଆଣିବା ଏବଂ ଚୀନ୍ ଠାରୁ ଦୂରେଇ ରଖିବା ଆମର ସର୍ବୋଚ୍ଚ ପ୍ରାଥମିକତା ହେବ । ସେ ଏହା ମଧ୍ୟ କହିଛନ୍ତି ଯେ, ଯଦିଓ ବର୍ତ୍ତମାନ ଆମର (ଭାରତ-ଆମେରିକା) ସମ୍ପର୍କରେ କିଛି ପ୍ରତିବନ୍ଧକ ଅଛି, ଆମେ ସେଗୁଡିକୁ ସମାଧାନ କରିବା ପଥରେ ଅଛୁ। ଭାରତ ସରକାର ଏବଂ ଭାରତୀୟ ଲୋକଙ୍କ ସହିତ ଆମର ସମ୍ପର୍କ ଆଗାମୀ ଅନେକ ଦଶନ୍ଧି ପର୍ଯ୍ୟନ୍ତ ରହିବ ଏବଂ ଏହି ସମ୍ପର୍କ ଚୀନ୍ ସହିତ ସେମାନଙ୍କ ସମ୍ପର୍କ ଅପେକ୍ଷା ବହୁତ ଉଷ୍ମ।
ଗୋର୍ କହିଛନ୍ତି ଯେ ଚୀନ୍ ର ବିସ୍ତାରବାଦ କେବଳ ଭାରତର ସୀମା ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ସମଗ୍ର ଅଞ୍ଚଳରେ ବିସ୍ତାରିତ। ଭାରତକୁ ଆମ ପକ୍ଷକୁ ଆଣିବା ଏବଂ ସେମାନଙ୍କ (ଚୀନ୍) ଠାରୁ ଦୂରେଇ ରଖିବା ଆମେ ଆମର ସର୍ବୋଚ୍ଚ ପ୍ରାଥମିକତା ଦେବୁ।ଚାଲିଥିବା ବାଣିଜ୍ୟ ଆଲୋଚନାରେ, ଆମେ ଚାହୁଁଛୁ ଯେ ଭାରତୀୟ ବଜାର ଆମର ଅଶୋଧିତ ତେଲ, ପେଟ୍ରୋଲିୟମ୍ ଉତ୍ପାଦ ଏବଂ LNG ପାଇଁ ଖୋଲା ରହୁ। ଭାରତର ମଧ୍ୟବିତ୍ତ ବର୍ଗ ଆମେରିକାର ସମଗ୍ର ଜନସଂଖ୍ୟା ଅପେକ୍ଷା ବଡ଼।