ନୂଆଦିଲ୍ଲୀ,୨୮/୦୮: ଭାରତରୁ ଆମେରିକା ଯାଉଥିବା ସାମଗ୍ରୀଗୁଡ଼ିକ ଉପରେ ୫୦% ଟାରିଫ୍‌ ଲାଗୁ ହୋଇଛି । ଏହି ନୂଆ ଶୁଳ୍କ ଭାରତର ପ୍ରାୟ ୫.୪ ଲକ୍ଷ କୋଟିର ରପ୍ତାନିକୁ ପ୍ରଭାବିତ କରିପାରେ । ନିଯୁକ୍ତି ହ୍ରାସ କରିପାରେ । ୫୦% ଟାରିଫ୍‌ ଲାଗୁ ପରେ ଭାରତ-ଆମେରିକା ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ଚରମ ସ୍ଥିତିରେ ରହିଛି । ଏହାରି ଭିତରେ ପୁଣି ଭାରତକୁ ଧମକ ଦେଇଛି ଆମେରିକା । ହ୍ୱାଇଟ ହାଉସ ପରାମର୍ଶଦାତା କେଭିନ ହାସେଟ ଭାରତ-ଆମେରିକା ସମ୍ପର୍କକୁ 'ଜଟିଳ' ବୋଲି କହିବା ସହ ଆମେରିକା ଉତ୍ପାଦକୁ ଭାରତ ବଜାର ଖୋଲିବାକୁ ନେଇ ଜିଦି ବାବଦରେ କହିଛନ୍ତି ।

ଆମେରିକୀୟ ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ ହାସେଟ୍ ଭାରତ ଉପରେ ଲାଗୁ ହୋଇଥିବା ଆମେରିକାର ଶୁଳ୍କକୁ ୟୁକ୍ରେନ୍ ବିବାଦ ପାଇଁ ରୁଷ ଉପରେ ଚାପ ପକାଇବା ପାଇଁ ବ୍ୟାପକ ଭୂ-ରାଜନୈତିକ ପ୍ରୟାସ ସହିତ ଯୋଡିଛନ୍ତି।  ସେ କହିଛନ୍ତି, "ମୁଁ ଭାବୁଛି ଏହା ଏକ ଜଟିଳ ସମ୍ପର୍କ । ଆମେ ରୁଷ୍ ଉପରେ ଏକ ଶାନ୍ତି ଚୁକ୍ତି ସୁରକ୍ଷିତ କରିବା ଏବଂ ଲକ୍ଷ ଲକ୍ଷ ଜୀବନ ବଞ୍ଚାଇବା ପାଇଁ ଚାପ ପକାଇବାକୁ ଚେଷ୍ଟା କରୁଛୁ । ଯାହା ଏହାର ଏକ ଅଂଶ । ଏଥିରେ ଭାରତର ଜିଦ୍ ମଧ୍ୟ ଅଛି ।  ଆମର ଉତ୍ପାଦ ପାଇଁ ତାର ବଜାର ଖୋଲି ନାହିଁ । ଯଦି ଭାରତ ତା ଜିଦ୍‌ରେ ଅଟଳ ରୁହେ ତେବେ ଟାରିଫ୍‌ରୁ ଆଶ୍ୱସ୍ତି ମିଳିବ ନାହିଁ । "

ଅଧିକ ପଢନ୍ତୁ...ଏହା ମୋଦିଙ୍କ ଯୁଦ୍ଧ...ରୁଷ-ୟୁକ୍ରେନ ଲଢେଇ ସହ ଭାରତକୁ କାହିଁକି ଯୋଡୁଛି ଆମେରିକା ?

ବିକଳ୍ପ ବଜାର ଖୋଜୁଛି ଭାରତ- ୫୦% ଟାରିଫ୍‌ ଦ୍ୱାରା ଆମେରିକାରେ ବିକ୍ରି ହେଉଥିବା ପୋଷାକ, ରତ୍ନପଥର-ଗହଣା, ଫର୍ଣ୍ଣିଚର ଏବଂ ସାମୁଦ୍ରିକ ଖାଦ୍ୟ ଆଦି ଭାରତୀୟ ସାମଗ୍ରୀ ମହଙ୍ଗା ହୋଇଯିବ । ଫଳରେ ଏଗୁଡ଼ିକର ଚାହିଦା ୭୦% ହ୍ରାସ ଘଟିପାରେ । ଚୀନ୍‌, ଭିଏତ୍‌ନାମ ଏବଂ ମେକ୍ସିକୋ ଭଳି କମ୍ ଟାରିଫ୍‌ଯୁକ୍ତ ଦେଶଗୁଡ଼ିକର ସାମଗ୍ରୀ ଶସ୍ତା ଦାମରେ ବିକ୍ରି ହେବ । ଏହା ଦ୍ୱାରା ଆମେରିକା ବଜାରରେ ଭାରତୀୟ କମ୍ପାନୀଗୁଡ଼ିକର ବଜାର ଅଂଶ କମିପାରେ । ଟ୍ରମ୍ପଙ୍କ ଟାରିଫ୍ ଜାବାବ ଦେବାକୁ ଭାରତ ବିକଳ୍ପ ବଜାର ଖୋଜୁଛି । ଏହାର ମୁକାବିଲା କରିବାକୁ ପ୍ରସ୍ତୁତ ହୋଇଗଲାଣି ଭାରତ । ଟେକ୍ସଟାଇଲ ରପ୍ତାନୀ ପାଇଁ ବ୍ରିଟେନ, ଜାପାନ ଏବଂ ଦକ୍ଷିଣ କୋରିଆ ସମେତ ୪୦ ପ୍ରମୁଖ ବଜାରକୁ ଫୋକସ୍ କରୁଛି । ଭାରତ ଏବେ ୨୨୦ରୁ ଅଧିକ ଦେଶକୁ ରପ୍ତାନୀ କରୁଛି ।