ନୂଆଦିଲ୍ଲୀ, ୧୧/୧୨ : ଆମେରିକାରେ ଚାକିରି କରିବାକୁ ଚାହୁଁଛନ୍ତି କି ? ତାହେଲେ ପଢି ନିଅନ୍ତୁ ଏହି ଖବର। ନେହେଲ ସୋସିଆଲ୍ ମିଡିଆ ଆକାଉଣ୍ଟ ଯୋଗୁଁ ଖାରଜ ହୋଇଯିବ ଭିସା ଆବେଦନ। ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ଏକ୍ସ ଭଳି ଆକାଉଣ୍ଟରେ ହୋଇଥିବା ପୁରୁଣା ପୋଷ୍ଟ ଠାରୁ କମେଣ୍ଟ ଯାଏଁ ସବୁ କିଛି ଭିସା ଆବେଦନ ଉପରେ ପକାଇବ ବଡ଼ ପ୍ରଭାବ। ଗୁରୁତ୍ଵପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କଲା ଭାରତ ସ୍ଥିତ ଆମେରିକା ଦୂତାବାସ। ଏବେ ସମସ୍ତ H-1B ଭିସା ଆବେଦକଙ୍କ ସୋସିଆଲ ମିଡିଆ ଆକାଉଣ୍ଟର ସମୀକ୍ଷା କରାଯିବ। ଯଦି କୌଣସି ଆକାଉଣ୍ଟରେ ଆମେରିକା ବିରୋଧୀ କିମ୍ଵା ସନ୍ଦିଗ୍ଧ ଗତିବିଧି ଦେଖିବାକୁ ମିଳିବ ତାହେଲେ ଭିସା ଆବେଦନ ଖାରଜ ହୋଇଯିବ। ତେବେ ଆମେରିକାରେ ଚାକିରି କରିବାକୁ ହେଲେ ଜାଣିରଖନ୍ତୁ କେମିତି ହୋଇଥିବା ଉଚିତ୍ ଆପଣଙ୍କ ସୋସିଆଲ ମିଡିଆ ପ୍ରୋଫାଇଲ୍ ?
ସୋସିଆଲ ମିଡିଆ ସ୍କ୍ରିନିଂ ନିୟମ-ଡିସେମ୍ଵର ୧୫ରୁ H-1B ଭିସା ଆବେଦକଙ୍କ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ସୋସିଆଲ ମିଡିଆ ଯାଞ୍ଚ ଅନିବାର୍ଯ୍ୟ ହେବ। ପୂର୍ବରୁ ଏହି ନିୟମ କେବଳ F-1 ଛାତ୍ର ଭିସା ଏବଂ କିଛି ଏକ୍ସଚେଞ୍ଜ ଭିସା କାଟେଗୋରୀ ଉପରେ ଲାଗୁଥିଲା। ଏବେ H-1B ଏବଂ H-4, F, M ଏବଂ J ଭିସା କାଟେଗୋରୀ ଉପରେ ଏହି ନିୟମ ଲାଗୁ ହେବ। ସରକାର କହିଛନ୍ତି ଯେ, ଏହି ସବୁ କାଟେଗୋରୀର ଭିସା ଆବେଦକ ନିଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟର ପ୍ରାଇଭେସି ସେଟିଂ ପବ୍ଲିକ୍ ରଖିବେ। ଏହାଦ୍ଵାରା ଆମେରିକୀୟ ଅଧିକାରୀ ଆବେଦକଙ୍କ ଅନଲାଇନ୍ ବ୍ୟବହାର, ଗତିବିଧି ଏବଂ ସମ୍ଭାବ୍ୟ ରିସ୍କ ଦେଖି ପାରିବେ।
କାହିଁକି ଯାଞ୍ଚ ହେବ ସୋସିଆଲ ମିଡିଆ ଆକାଉଣ୍ଟ ?
ଆମେରିକା ସରକାରଙ୍କ ଅନୁଯାୟୀ, ରାଷ୍ଟ୍ରୀୟ ସୁରକ୍ଷା ମଜବୁତ କରିବା ପାଇଁ ଏହି ନିୟମ ଲାଗୁ କରାଯାଇଛି। ଆମେରିକା ଷ୍ଟେଟ୍ ଡିପାର୍ଟମେଣ୍ଟ କହିଛି ଯେ, ପ୍ରତ୍ୟେକ ଭିସା ରାଷ୍ଟ୍ରୀୟ ସୁରକ୍ଷା ସହ ଜଡ଼ିତ। କୌଣସି ଆବେଦକ ଆମେରିକାର ଲୋକ କିମ୍ଵା ରାଷ୍ଟ୍ରୀୟ ହିତ ପାଇଁ ବିପଦ ନୁହେଁ ବୋଲି ସୁନିଶ୍ଚିତ ହେଲେ ଯାଇ ଭିସା ପ୍ରଦାନ କରାଯିବ।
ସମୟ ସୀମା ବୃଦ୍ଧି
ଆମେରିକୀୟ ଅଧିକାରୀଙ୍କ କହିବା ଅନୁଯାୟୀ, ସୋସିଆଲ ମିଡିଆର ନୂଆ ସମୀକ୍ଷା ପ୍ରକ୍ରିୟା ପାଇଁ ସମୟ ଲାଗିବ। ଏଥିପାଇଁ ଭିସା ଇଣ୍ଟର୍ଭ୍ୟୁ ସିଡ୍ୟୁଲରେ ବିଳମ୍ବ ହେବ। ତେଣୁ ଯେଉଁମାନଙ୍କୁ ଭିସା ଆପଏଣ୍ଟମେଣ୍ଟ ତାରିଖ ପରିବର୍ତ୍ତନ ହୋଇଥିବା ନେଇ ଇମେଲ ଆସିଛି ସେମାନେ ନୂଆ ତାରିଖରେ ଯିବେ। ପୁରୁଣା ତାରିଖରେ ଗଲେ ଏଣ୍ଟ୍ରି ମିଳିବ ନାହିଁ। ଏଥିପାଇଁ ଆମେରିକା ଦୂତାବାସ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।
ATTENTION VISA APPLICANTS - If you have received an email advising that your visa appointment has been rescheduled, Mission India looks forward to assisting you on your new appointment date. Arriving on your previously scheduled appointment date will result in your being denied…
— U.S. Embassy India (@USAndIndia) December 9, 2025