ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ପରିସ୍ଥିତି ବେଳକୁ ବେଳ ଖରାପ ହେବାରେ ଲାଗିଛି। ଏହି ସମୟରେ ଆଜି (ଶୁକ୍ରବାର) ଆମେରିକୀୟ ଦୂତାବାସ ଇରାନରେ ଥିବା ଏହାର ନାଗରିକଙ୍କ ପାଇଁ ଏକ ଆଡଭାଇଜରି ଜାରି କରିଛି। ସେମାନଙ୍କୁ ତୁରନ୍ତ ଇରାନ ଛାଡିବାକୁ ପରାମର୍ଶ ଦେଇଛି। ଇରାନ ସରକାର ସୁରକ୍ଷା ବୃଦ୍ଧି କରିବା ପାଇଁ ଅନେକ ସ୍ଥାନରେ ରାସ୍ତା ଅବରୋଧ କରୁଛନ୍ତି ଏବଂ ବିମାନ ଯାତ୍ରାକୁ ମଧ୍ୟ ପ୍ରତିବନ୍ଧକ ଲଗାଉଛନ୍ତି। ଏହି ପରିସ୍ଥିତି ଦୁଇ ଦେଶ ମଧ୍ୟରେ ଯୁଦ୍ଧର ଆଶଙ୍କା ବୃଦ୍ଧି କରିଛି।
ଯୁଦ୍ଧର ଆଶଙ୍କା ମଧ୍ୟରେ, ଆମେରିକୀୟ ଦୂତାବାସ ଏହାର ନାଗରିକ ମାନଙ୍କୁ ତୁରନ୍ତ ଇରାନ ଛାଡିବାକୁ ଅନୁରୋଧ କରିଛି। ସେମାନେ ସଡ଼କ, ଆକାଶ କିମ୍ବା ସମୁଦ୍ର ପଥର ସାହାରା ନିଅନ୍ତୁ କିନ୍ତୁ ଇରାନ ଛାଡନ୍ତୁ। ଦୂତାବାସ କହିଛି ଯେ, ବିଶ୍ୱବ୍ୟାପୀ ବିମାନ କମ୍ପାନୀ ଗୁଡ଼ିକ ଇରାନକୁ ବିମାନ ଚଳାଚଳକୁ ସୀମିତ କରୁଛନ୍ତି, ଏବଂ ଅନେକ ବିମାନ ବାତିଲ କରାଯାଉଛି । ଯାହା ଫଳରେ ସେମାନେ ଇରାନରୁ ଫେରିବାକୁ ବାଧ୍ୟ ହେଉଛନ୍ତି।
ଆଡଭାଇଜରିରେ ଏକ ଉଲ୍ଲେଖନୀୟ ବିଷୟ ହେଉଛି ଯେ, ଦୂତାବାସ ଏହାର ନାଗରିକ ମାନଙ୍କୁ ଆମେରିକା ସରକାରଙ୍କ ଠାରୁ ସାହାଯ୍ୟ ଆଶା ନକରିବା ଏବଂ କୌଣସି ସହାୟତା ବିନା ଯଥାଶୀଘ୍ର ଇରାନ ଛାଡିବାକୁ ପରାମର୍ଶ ଦେଇଛି।
ଏହା ମଧ୍ୟ ଉଲ୍ଲେଖ କରିବା ଗୁରୁତ୍ୱପୂର୍ଣ୍ଣ ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରମାଣୁ ଆଲୋଚନା ଶୁକ୍ରବାର ହେବାର କାର୍ଯ୍ୟକ୍ରମ ଅଛି। ଏହି ଆଲୋଚନା ଓମାନରେ ହେବ । ଆଇଏଏନଏସ ଅନୁସାରେ, ହ୍ୱାଇଟ୍ ହାଉସ୍ କହିଛି ଯେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଦଳ କୂଟନୈତିକ ପ୍ରୟାସ ଉପରେ କାମ କରୁଛି। ପ୍ରାଥମିକ ଏଜେଣ୍ଡା ହେଉଛି ଇରାନର ପରମାଣୁ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ବନ୍ଦ କରିବା।