ନୂଆଦିଲ୍ଲୀ, ୧୭।୬: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଟୁଲ୍ 'ଗ୍ରୋକ୍' କୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଇରାନ ବିପକ୍ଷରେ ହୋଇଥିବା ସାମରିକ ଆକ୍ରମଣରେ ଏହି AI ଟୁଲ୍ର ବ୍ୟବହାର କରାଯାଇଥିଲା । ଖୋଦ୍ ଆମେରିକା ସରକାର ଏକ ଆଇନଗତ ଦଲିଲ୍ ଜରିଆରେ ଏହି ବଡ଼ ସ୍ୱୀକାରୋକ୍ତି କରିଛନ୍ତି । ଜୁନ୍ ୧୫ରେ ଦାଖଲ ହୋଇଥିବା ଏହି ଦଲିଲ୍ ମାଧ୍ୟମରେ ଏଲନ ମସ୍କଙ୍କ କମ୍ପାନୀ 'xAI'ର ବିଶାଳ ଡାଟା ସେଣ୍ଟରରେ ବ୍ୟବହୃତ ହେଉଥିବା ଗ୍ୟାସ୍ ଟର୍ବାଇନଗୁଡ଼ିକର ସୁରକ୍ଷା ପାଇଁ ଟ୍ରମ୍ପ ସରକାର ଆଗକୁ ଆସିଛନ୍ତି । ଏହି ଟର୍ବାଇନଗୁଡ଼ିକୁ ନେଇ କମ୍ପାନୀ ବିରୋଧରେ ପରିବେଶ ସମ୍ବନ୍ଧୀୟ ଏକ ମାମଲା ଚାଲିଛି । କୋର୍ଟରେ ଏଲନ ମସ୍କଙ୍କ ପକ୍ଷ ରଖିବାକୁ ଯାଇ ଟ୍ରମ୍ପ ସରକାର ପ୍ରମାଣ ସ୍ୱରୂପ ଦର୍ଶାଇଛନ୍ତି ଯେ, ଏହି AI ଟୁଲ୍ ସାହାଯ୍ୟରେ ଇରାନ ଉପରେ ସଫଳ ଆକ୍ରମଣ କରାଯାଇଥିଲା, ତେଣୁ ଏହାର ଆବଶ୍ୟକତା ଜରୁରୀ ।
କୋର୍ଟରେ କ’ଣ ଯୁକ୍ତି ବାଢ଼ିଲା ଟ୍ରମ୍ପ ସରକାର ?
ଆମେରିକାର ନ୍ୟାୟ ବିଭାଗ କୋର୍ଟରେ କହିଛି ଯେ, xAI କମ୍ପାନୀ ବିରୋଧରେ ଚାଲିଥିବା ଏହି ମାମଲା ଆମେରିକାର ଜାତୀୟ, ଅର୍ଥନୈତିକ ଏବଂ ଶକ୍ତି ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି । ଏହି ମାମଲା ଜରିଆରେ ସେହି ବିଦ୍ୟୁତ୍ ଯୋଗାଣକୁ ବନ୍ଦ କରିବାକୁ ଚେଷ୍ଟା କରାଯାଉଛି, ଯାହା AI ଇନୋଭେସନକୁ ଶକ୍ତି ଦେବା ସହ ଆମେରିକାର ସାମରିକ ଅଭିଯାନଗୁଡ଼ିକୁ ସହଯୋଗ କରୁଛି । ନିଜ ଯୁକ୍ତିକୁ ଅଧିକ ମଜବୁତ କରିବା ପାଇଁ ସରକାରୀ ଓକିଲମାନେ ପେଣ୍ଟାଗନ୍ର AI ମୁଖ୍ୟ କ୍ୟାମେରନ୍ ଷ୍ଟେନଲିଙ୍କ ସାକ୍ଷ୍ୟ ଉପସ୍ଥାପନ କରିଥିଲେ । ସେ ଶପଥ ନେଇ କହିଛନ୍ତି ଯେ 'ଗ୍ରୋକ୍ AI'ର ବ୍ୟବହାର ଆମେରିକା ସେନାର ଟାର୍ଗେଟ୍ ଚୟନ କରୁଥିବା ଗୁପ୍ତ ପ୍ରୋଜେକ୍ଟ 'ମେଭେନ୍'ରେ କରାଯାଉଛି । ଏହି ପ୍ରୋଜେକ୍ଟ ପ୍ରାରମ୍ଭିକ ପର୍ଯ୍ୟାୟରେ 'ଆନ୍ଥ୍ରୋପିକ' କମ୍ପାନୀର 'କ୍ଲଡ୍' ମଡେଲ୍ ଉପରେ ଆଧାରିତ ଥିଲା, ଯେଉଁଥିରେ ଏବେ ମସ୍କଙ୍କ AI ସାମିଲ ହୋଇଛି ।
ଏଲନ ମସ୍କଙ୍କ ବିରୋଧରେ କିଏ କରିଛି ମାମଲା ?
ଆମେରିକାରେ କୃଷ୍ଣକାୟ ଲୋକଙ୍କ ଅଧିକାର ପାଇଁ କାମ କରୁଥିବା ଏକ ପ୍ରତିଷ୍ଠିତ ନାଗରିକ ଅଧିକାର ସଂଗଠନ NAACP 'xAI' ବିରୋଧରେ ଏହି ମାମଲା ଦାୟର କରିଛି । xAI କମ୍ପାନୀ ବିନା ଅନୁମତିରେ ଦଶାଧିକ ଗ୍ୟାସ୍ ଟର୍ବାଇନ ଚଲାଉଛି, ଯାହା ଆମେରିକାର 'କ୍ଲିନ୍ ଏୟାର ଆକ୍ଟ' ଆଇନର ଉଲ୍ଲଂଘନ କରୁଛି । ଏହି ଟର୍ବାଇନଗୁଡ଼ିକ ଯୋଗୁଁ ସେହି ଅଞ୍ଚଳଗୁଡ଼ିକ ପ୍ରଦୂଷିତ ହେଉଛି, ଯେଉଁଠାରେ ଅଧିକାଂଶ କୃଷ୍ଣକାୟ ଲୋକ ବସବାସ କରନ୍ତି । ଅପରପକ୍ଷରେ ଏଲନ ମସ୍କଙ୍କ କମ୍ପାନୀ କହିଛି ଯେ, ଏହି ଟର୍ବାଇନଗୁଡ଼ିକ ଅସ୍ଥାୟୀ ଏବଂ ଏହାକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସହଜରେ ନିଆଯାଇପାରିବ । ତେଣୁ ଏହା ଉପରେ ସାଧାରଣ କଠୋର ପରିବେଶ ନିୟମ ଲାଗୁ ହେବ ନାହିଁ ।
ଆହୁରି ପଢ଼ନ୍ତୁ... G-7 ବୈଠକରେ ନେତାଙ୍କୁ ଟ୍ରମ୍ପ କହିଲେ, ‘ମୁଁ ବସ୍’…