ନୂଆଦିଲ୍ଲୀ,୧୭/୬ : ପଞ୍ଜାବୀ କଣ୍ଠଶିଳ୍ପୀ ଗୁରୁ ରନ୍ଧଓ୍ବାଙ୍କ ପଶ୍ଚିମ ବିହାରରେ ଫିଟନେସ ଜିମ୍ ଉପରେ ହୋଇଥିବା ଗୁଳିମାଡ଼ ଘଟଣାରେ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଅରମାନ ଏବଂ ତୁଷାର ଓରଫ ତାଶୁ ଓରଫ ପିଙ୍କୁ ଭାବେ ହୋଇଛନ୍ତି । ଉଭୟଙ୍କୁ ବହାଦୁରଗଡ଼ରୁ ଧରାଯାଇଛି । ପୁଲିସ ଅନୁସାରେ ଦୁଇ ଅଭିଯୁକ୍ତ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ସହ ଯୋଡ଼ି ହୋଇଥିବା ଅନୀଲ ପଣ୍ଡିତଙ୍କ ଲାଗି କାମ କରୁଥିଲେ । ଅନୀଲ ପଣ୍ଡିତ ପ୍ରାୟ ଆମେରିକାରେ ବସି ଗ୍ୟାଙ୍ଗ୍ ଅପରେଟ୍ କରୁଛନ୍ତି । ୧୧ଜୁନ ସକାଳ ପ୍ରାୟ ୪ଟା ସମୟରେ ବାଇକରେ ଦୁର୍ବୃତ୍ତମାନେ ଆସି ଗୁଳିମାଡ଼ କରିଥିଲେ । ଏହି ଘଟଣାରେ କୌଣସି ବ୍ୟକ୍ତି ଆହତ ହୋଇ ନ ଥିଲେ । ଘଟଣାସ୍ଥଳରୁ ପୋଲିସକୁ କେବଳ ୭ ଖାଲି ଗୁଳି ମିଳିଥିଲା । ଗୁଳିମାଡ଼ ପରେ ସୋସିଆଲ ମିଡ଼ିଆରେ ଭାଇରାଲ ଏକ ପୋଷ୍ଟରେ ଅନୀଲ ପଣ୍ଡିତ ଏହି ଆକ୍ରମଣର ସ୍ବିକୀର କରିଥିଲେ ।

ପୋଷ୍ଟରେ ଦାବି କରାଯାଇଥିଲା କି ଗୁରୁ ରନ୍ଧ୍ବାଙ୍କୁ ପୂର୍ବରୁ ବି ଚେତାବନୀ ଦିଆଯାଇଥିଲା ଏବଂ ତାଙ୍କର ସଲମାନ ଖାନଙ୍କ ନିକଟତର ହେବା ଆକ୍ରମଣର କାରଣ ବୋଲି କୁହାଯାଇଛି । ଯାଞ୍ଚରେ ସାହିଲ, ସାଗର, ଅରମାନ ଏବଂ ତୁଷାରଙ୍କ ନାଁ ସାମ୍ନାକୁ ଆସିଛି । ସେମାନଙ୍କ ମଧ୍ୟରୁ ଅରମାନ ଏବଂ ତୁଷାରଙ୍କୁ ଗିରଫ କରାଯାଇଛି । ପଚରାଉଚରା ସମୟରେ ଉଭୟ ଅଭିଯୁକ୍ତ ଗୁଳିମାଡ଼ରେ ନିଜର ଭୂମିକାକୁ ସ୍ବୀକାର କରି ନେଇଛନ୍ତି ।

ପୋଲିସର ସୂଚନା ଅନୁସାରେ, ଏହି ଘଟଣାରେ ସାମିଲ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜା ଚାଲିଛି । ଗୁଳିମାଡ଼ରେ ବ୍ୟବହାର ସାମଗ୍ରୀ ଜବତ ଲାଗି ଚଢଉ ଜାରି ରହିଛି । ଉଭୟ ଅଭିଯୁକ୍ତଙ୍କୁ ପୋଲିସ ରିମାଣ୍ଡରେ ନେଇ ପୂରା ନେଟଓ୍ବର୍କ ଏବଂ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କ ବିଷୟରେ ପଚରାଉଚରା ଜାରି ରଖିଛି ।