ବାରିପଦା,୨୨/୦୩: ଯୁଦ୍ଧର ଘନଘଟା ଭିତରେ ସାରା ବିଶ୍ୱବାସୀ ଭୀତତ୍ରସ୍ତ ଅବସ୍ଥାରେ ଥିବା ବେଳେ ସୁବର୍ଣ୍ଣରେଖା ନଦୀ ଗର୍ଭରୁ ଆମେରିକୀୟ ବୋମା ଠାବ ଘଟଣା ଝାଡ଼ଖଣ୍ଡର ପୂର୍ବସିଂହଭୂମ ଅନ୍ତର୍ଗତ ବହଡାଗୋଡା ଅଞ୍ଚଳରେ ତଥା ସୀମାନ୍ତରେ ଚାଞ୍ଚଲ୍ୟ ଖେଳି ଯାଇଛି । ଅବୈଧ ବାଲି ଖନନ ସମୟରେ ଗ୍ୟାସ୍ ସିଲିଣ୍ଡର ପରି ଏକ ବସ୍ତୁ ଦେଖି କୌତୁହଳ ବଶତଃ ନଦୀ ଗର୍ଭକୁ ଖୋଳିବା ପରେ ତାହା ଏକ ବୋମା ବୋଲି ଜଣା ପଡିଥିଲା । ଏହି ବୋମା ଦେହରେ ଆମେରିକାନ୍ ମେଡ ଏଏନ୍-ଏମ୍୬୪-୫୦୦- ଏଲବି (ଅନଏକ୍ସପ୍ଲୋଡେଡ) ଲେଖାଯାଇଛି ।

ଝାଡ଼ଖଣ୍ଡର ପୂର୍ବ ସିଂହଭୂମ ଜିଲ୍ଲା ଅନ୍ତର୍ଗତ ବହଡାଗୋଡା ଥାନାର ପାଣିପଡା-ନାଗୁଡ ସାହି ନିକଟରେ ଥିବା ସୁବର୍ଣ୍ଣରେଖା ନଦୀ ଗର୍ଭରୁ ଏହି ବୋମା ଠାବ ହୋଇଛି । ଏହି ବୋମା ଠାବ ସଂପର୍କରେ ପ୍ରଚାର ହେବା ପରେ ଏହାକୁ ଦେଖିବାକୁ ଲୋକଙ୍କ ଭିଡ ଜମୁଥିବା ବେଳେ ବହଡାଗୋଡା ପୁଲିସ୍ ଏହି ଅଞ୍ଚଳକୁ ସିଲ୍ କରିଛି । ବୋମାକୁ ନିଷ୍କ୍ରିୟ କରିବାକୁ ରାଞ୍ଚିରୁ ବୋମା ନିଷ୍କ୍ରିୟକାରୀ ଦଳ ଆସିଥିଲେ ସୁଦ୍ଧା ଏହା ଏକ ଘାତକ ଏବଂ ଶକ୍ତିଶାଳୀ ବୋମା ହୋଇଥିବାରୁ ଏହାକୁ ନିଷ୍କ୍ରିୟ କରିବା ସମ୍ଭବ ହୋଇ ନଥିଲା । ଏଥିପାଇଁ ଉନ୍ନତ ବୈଷୟିକ ଜ୍ଞାନ କୌଶଳର ଆବଶ୍ୟକତା ଅଛି ବୋଲି ବୋମା ନିଷ୍କ୍ରିୟକାରୀ ଦଳରେ ଥିବା ନନ୍ଦକିଶୋର ସିଂ କହିଛନ୍ତି । ପୂର୍ବ ସିଂହଭୂମ୍ ଜିଲ୍ଲା ଏସ୍ପି ରିଷଭ ଗର୍ଗ କହିଛନ୍ତି ଯେ, ରାଞ୍ଚିରୁ ଆସିଥିବା ବୋମା ନିଷ୍କ୍ରିୟକାରୀଦଳ ଏହି ବୋମାକୁ ଜୀବନ୍ତ ଏବଂ ଅତ୍ୟନ୍ତ ଘାତକ ବୋଲି କହିବା ପରେ ଏହାକୁ ସୁରକ୍ଷା ସହ ନିଷ୍କ୍ରିୟ କରିବାକୁ ସେନାର ସହାୟତା ଲୋଡା ଯାଇଛି । ଏସଏସପି ପିୟୁଷ ପାଣ୍ଡେ ଏ ନେଇ ସେନାର ବୋମା ନିଷ୍କ୍ରିୟକାରୀ ୟୁନିଟ୍କୁ ପତ୍ର ଲେଖିଛନ୍ତି । ସେପଟେ ଏହି ବୋମା ଠାବ ହୋଇଥିବା ସ୍ଥାନକୁ ବହଡାଗୋଡା ପୁଲିସ୍ ପକ୍ଷରୁ ସିଲ୍ କରାଯାଇ ସେଠାକୁ କୌଣସି ସାଧାରଣ ଗ୍ରାମବାସୀ ଯେଭଳି ଯାଇ ନ ପାରିବେ ବ୍ୟବସ୍ଥା କରାଯାଇଥିବା ନେଇ ବହଡାଗୋଡା ଥାନାଧିକାରୀ ଶଙ୍କର ପ୍ରସାଦ ଖୁସୱା କହିଛନ୍ତି ।

ଅଧିକ ପଢ଼ନ୍ତୁ :- କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଜଗା ସମେତ ୪ ଗିରଫ

ଏହି ବୋମା ଠାବ ହୋଇଥିବା ଅଞ୍ଚଳ ନିକଟରେ ପଶ୍ଚିମବଙ୍ଗର କୋଲେଇକୁଣ୍ଡା ଏୟାରଫୋର୍ସ ଷ୍ଟେସନ ଥିବାରୁ ସେଠାରୁ ଅଭିଜ୍ଞ ବୋମା ନିଷ୍କ୍ରିୟକାରୀ ଦଳ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରାଯାଇଛି । ପୂର୍ବରୁ ମଧ୍ୟ ସୁବର୍ଣ୍ଣରେଖା ନଦୀର ବିଭିନ୍ନ ସ୍ଥାନରେ ଏହିଭଳି ବୋମା ଉଦ୍ଧାର ହୋଇଥିବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ସାତ ମାସ ପୂର୍ବେ ପଶ୍ଚିମବଙ୍ଗର ଗୋପୀବଲ୍ଲଭପୁର ଥାନା ଅଞ୍ଚଳର ସୁବର୍ଣ୍ଣରେଖା ନଦୀରୁ ଉଦ୍ଧାର ହୋଇଥିବା ବୋମାକୁ କଲେଇକୁଣ୍ଡା ଏୟାରଫୋର୍ସ ଷ୍ଟେସନର ଅଭିଜ୍ଞ ବୋମା ନିଷ୍କ୍ରିୟକାରୀ ଦଳ ଦ୍ୱାରା ତାହାକୁନିଷ୍କ୍ରିୟ କରାଯାଇଥିଲା ।

ସୁବର୍ଣ୍ଣରେଖା ବାଲିରୁ ଠାବ ହୋଇଥିବା ବୋମାର ଓଜନ ୫୦୦ ପାଉଣ୍ଡ ହୋଇଥିବା ବେଳେ ୨୨୬.୭ କିଗ୍ରା ବୋଲି ଜଣା ପଡିଛି । କେତେକ ଏହାକୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ବୋଲି ଦାବି କରୁଥିବା ବେଳେ କେତେକ ଏହାକୁ ୧୯୭୧ ମସିହାରେ ହୋଇଥିବା ଭାରତ ପାକିସ୍ତାନ ଯୁଦ୍ଧ ସମୟର ବୋଲି ମଧ୍ୟ କହିଛନ୍ତି । ତେବେ ଏଭଳି ଆଉ କେତେ ବୋମା କେଉଁଠି ପଡିଛି ସେ ସଂପର୍କରେ ବିଦ୍ଧିବଦ୍ଧ ତଦନ୍ତ ହେବା ସହିତ ଏହା କେଉଁ ସମୟର ତାହା ମଧ୍ୟ ଡିକୋଡ କରିବାର ଆବଶ୍ୟକତା ରହିଛି ବୋଲି ସ୍ଥାନୀୟ ଅଞ୍ଚଳର ଶିକ୍ଷାବିତ୍ ଅଜିତ୍ ପାତ୍ର କହିଛନ୍ତି ।