ନୂଆଦିଲ୍ଲୀ : ପଶ୍ଚିମ ଏସିଆରେ ଜାରି ଯୁଦ୍ଧ ଏବେ ନୂଆ ସ୍ତରରେ ପହଞ୍ଚିଛି । ୨୮ ଫେବ୍ରୁଆରୀରେ ଆମେରିକା ଓ ଇସ୍ରାଏଲ ଆକ୍ରମଣ ପରେ ଇରାନ ହର୍ମୁଜକୁ ବନ୍ଦ କରିବା ଆରମ୍ଭ କରି ଦେଇ ଥିଲା। ଏବେ ସାତ ସପ୍ତାହ ପରେ ଇରାନ ହର୍ମୁଜକୁ ଖୋଲିବାକୁ ଘୋଷଣା କରି ଦେଇଛି। କିନ୍ତୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ଷ୍ଟାଣ୍ଡ କ୍ଲିୟର କରି ହର୍ମୁଜରୁ ନିଜର ବ୍ଲକେଡ୍ ହଟେଇବାକୁ ମନା କରି ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ଇରାନ ସହ ଶାନ୍ତି ଚୁକ୍ତି ଉପରେ ସହମତି ନହୋଇଛି , ହର୍ମୁଜ ଷ୍ଟ୍ରେଟ୍‌ରେ ବ୍ଲକେଡ୍ ଜାରି ରହିବ।

ଆହୁରି ମଧ୍ୟ ପଢନ୍ତୁ : ସଂପୂର୍ଣ୍ଣ ରୂପେ ଖୋଲି ଗଲା ହର୍ମୁଜ ରାସ୍ତା , ଲେବାନନରେ ଅସ୍ତ୍ରବିରତି ପରେ ଇରାନର ଘୋଷଣା

ଇରାନର ବୈଦେଶିକ ମନ୍ତ୍ରୀ ଅବାସ୍ ଅରାଘଚୀ ଦ୍ୱାରା ହର୍ମୁଜ ଖୋଲିବାର ଘୋଷଣା ପରେ ଟ୍ରମ୍ପ ମଧ୍ୟ ଏକ ପୋଷ୍ଟ କରି ବିବୃତ୍ତି ଜାରି କରିଛନ୍ତି। ସେ ଲେଖିଛନ୍ତି , ଷ୍ଟ୍ରେଟ୍ ଅଫ୍ ହର୍ମୁଜ ଏବେ ସଂପୂର୍ଣ୍ଣ ଖୋଲା ହୋଇଛି। ଏହା ବାଣିଜ୍ୟ ଓ ଜାହାଜ ଚଳାଚଳ ପାଇଁ ପୂରା ପ୍ରସ୍ତୁତ, କିନ୍ତୁ ଏହା ଉପରେ ଲାଗି ଥିବା ଆମେରିକାର ବ୍ଲକେଡ୍ ଏବେ ବି ହଟି ନାହିଁ। ଏହା ସେପର୍ଯ୍ୟନ୍ତ ହଟିବ ନାହିଁ, ଯେପର୍ଯ୍ୟନ୍ତ ଇରାନ ସହ ଆମର ନେଣଦେଣ ପୂରଣ ନହୋଇଛି। ଆମର ଆଶା ଯେ, ଏହା ଖୁବ୍ ଶୀଘ୍ର ହିଁ ହୋଇ ଯିବ। ଏହି ପୂରା ପ୍ରକ୍ରିୟା ଖୁବ୍ ଶୀଘ୍ର ସଂପନ୍ନ ହୋଇଯିବ , କାରଣ ଅଧିକାଂଶ ପ୍ରସଙ୍ଗ ଉପରେ ସହମତି ହୋଇ ସାରିଛି। 

ଏହା ପୂର୍ବରୁ ଇରାନୀ ବୈଦେଶିକ ମନ୍ତ୍ରୀ ହର୍ମୁଜ ପ୍ରଣାଳୀକୁ ବାଣିଜ୍ୟିକ ଜାହାଜ ଗୁଡ଼ିକ ପାଇଁ ସଂପୂର୍ଣ୍ଣ ଖୋଲିବାକୁ ଘୋଷଣା କରିଦେଇ ଥିଲେ। ସେ ଏହି ଖୋଲା କରିବାର ଅବଧି ଅସ୍ତ୍ରବିରତିର ଅବଧି ଯାଏ  କହିଥିଲେ। ସୋସିଆଲ ମିଡ଼ିଆ ସାଇଟ୍ ଏକ୍ସରେ ଇରାନୀ ବୈଦେଶିକ ମନ୍ତ୍ରୀ ସୈୟଦ ଅବାସ ଅରାଘଚୀ ଲେଖିଥିଲେ, ଲେବାନନରେ ହୋଇଥିବା ଅସ୍ତ୍ରବିରତିକୁ ଦେଖି ସବୁ ବାଣିଜ୍ୟିକ ଜାହାଜ ଗୁଡ଼ିକୁ ହର୍ମୁଜରୁ ସୁରକ୍ଷିତ ଭାବେ ବାହାରିବାକୁ ମୁକ୍ତ କରାଯାଇଛି।